Breaking News

ବାଟବଣା ମୁକ୍ତା ଯୋଜନା: ମାଟିରେ ମିଶି ଗଲାଣି ବର୍ଷା ଜଳ ଅମଳ ପ୍ରକଳ୍ପ, ପ୍ରମାଣ ଭାବେ କେବଳ ରହିଛି ଫଳକ

0

ଭୁବନେଶ୍ୱର: ସହରାଞ୍ଚଳ ଗରିବଙ୍କର ଜୀବନଧାରଣ ମାନରେ ଉନ୍ନତି ହେବ। ତା’ ସହିତ ସହରରେ ଭିତ୍ତିଭୂମି ପ୍ରତିଷ୍ଠା ହେବ। ଦୀର୍ଘ ଦିନର ମାନସ ମନ୍ଥନ ପରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା)। ପ୍ରଥମେ ଏହି ଅଭିଯାନ ଅଧୀନରେ କେବଳ ବର୍ଷାଜଳ ଅମଳ ପ୍ରକଳ୍ପ ତିଆରି କରିବା ପାଇଁ ଯୋଜନା ହୋଇଥିବା ବେଳେ ଏବେ ବିଭିନ୍ନ ପ୍ରକଳ୍ପ ଯୋଗ କରାଯାଇଛି। ବିଏମ୍‌ସି ଏହି ଅଭିଯାନକୁ ଗୁରୁତ୍ବର ସହ ନେଇ ପ୍ରକଳ୍ପ ନିର୍ମାଣ କରିବାରେ ଲାଗିଛି। ସ୍ବତନ୍ତ୍ର ମୁକ୍ତା ସେଲ୍‌ ଖୋଲି ନିୟମିତ ସମୀକ୍ଷା କରୁଛି। ଏଯାବତ୍‌ ପାଖାପାଖି ୮୦କୋଟି ଖର୍ଚ୍ଚ ସରିଲାଣି। ଆହୁରି ୮୦ କୋଟି ଖର୍ଚ୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଗଲାଣି। ହେଲେ ଯେଉଁ ପ୍ରକଳ୍ପ ନିର୍ମାଣ ହୋଇଥିଲା, ସେଥିରୁ ଅଧିକାଂଶ ପ୍ରକଳ୍ପ ନଷ୍ଟ ହୋଇଗଲାଣି। ଅଧିକାଂଶ ବର୍ଷା ଜଳ ଅମଳ ପ୍ରକଳ୍ପ ମାଟିରେ ମିଶି ଯାଇଥିବା ବେଳେ ଫୁଟ୍‌ପାଥ୍‌ରେ ପଡ଼ିଥିବା ପେଭର୍‌ ବ୍ଲକ୍‌ ଉଠି ଗଲାଣି। ଆଉ କେଉଁଠି ମୁକ୍ତାକାଶ ବ୍ୟାୟାମଶାଳାକୁ ଉପାଡ଼ି ନେଲେଣି।

କରୋନା ପରେ ପରେ ଏହି ଅଭିଯାନକୁ ଗୁରୁତ୍ବର ସହ ନିଆଯାଇଥିଲା। ବିଏମ୍‌ସି ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯୋଜନା ହୋଇଥିଲା। ଗତବର୍ଷ ୧୧ କୋଟି ବ୍ୟୟରେ ୩୦୬୨ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ୩୦୦୦ ପ୍ରକଳ୍ପ ଗତ ବର୍ଷ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ୨୮୨୭ ପ୍ରକଳ୍ପ ଶେଷ କରିବାକୁ ବିଏମ୍‌ସି ସକ୍ଷମ ହୋଇଥିଲା। ଏଥିରୁ ଏବେ ଅର୍ଦ୍ଧାଧିକ ନଷ୍ଟ ହୋଇଗଲାଣି। ୬୩ ନମ୍ୱର ଵାର୍ଡରେ ଧର୍ମବିହାର ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ୫ଲକ୍ଷ ୭୪ହଜାର ୭ଶହ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ପ୍ରକଳ୍ପ ମାଟିରେ ମିଶି ଯାଇଛି। ମାଟି, ଇଟା, ଭଙ୍ଗା ଆଜବେଷ୍ଟସ୍‌ରେ ପିଟ୍‌ ଭର୍ତ୍ତି ହୋଇଯାଇଛି। ଏହା ଉପରେ ଘାସ ଓ ଅନାବନା ଗଛ ମାଡ଼ି ଯାଇଛି। ଏହାକୁ ଲୋକମାନେ ପରିସ୍ରାଗାର ଭାବରେ ବ୍ୟବହାର କରୁଛନ୍ତି। ସେହିଭଳି ଲକ୍ଷେ ୬୪ ହଜାର ଟଙ୍କା ବ୍ୟୟରେ ନୂଆପଲ୍ଲୀ କସ୍ତୁରବା ବିଦ୍ୟାଳୟ ପଡ଼ିଆରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଆବର୍ଜନା ଓ ବାଲିରେ ଭର୍ତ୍ତି ହୋଇଯାଇଛି। ପିଟ୍‌ର ୧୦ ଇଞ୍ଚ କେବଳ ଉପରକୁ ଦିଶୁଛି। ବାହାରୁ ଆବର୍ଜନା ଆଣି କେହି କେହି ଏଠାରେ ପକାଇ ଦେଇଥିବାରୁ ଏହା ପୂର୍ଣ୍ଣ ହୋଇଯାଇଛି। ୟୁନିଟ୍‌-୮ ‘ଇ-କଲୋନି’ ପଡ଼ିଆରେ ଥିବା ପ୍ରକଳ୍ପ ମାଟିରେ ମିଶି ଯାଇଥିବାରୁ ଏଠାରେ ପ୍ରକଳ୍ପ ହୋଇଥିବା ନେଇ ଜାଣି ହେଉନାହିଁ। କେବଳ ଲାଗିଥିବା ଫଳକ ଓ ମାଟି ଆଡ଼େଇ ଦେଖିବା ପରେ ଯାଇ ପ୍ରକଳ୍ପ ହୋଇଥିବା ଜଣାପଡ଼ୁଛି। ସତ୍ୟନଗର ପାର୍କରେ ଥିବା ପ୍ରକଳ୍ପ, ଓୟୁଏଟି ଗେଷ୍ଟ ହାଉସ ପଛ ପଟେ ଥିବା ପଡ଼ିଆ ଓ ଡେଲଟା କଲୋନିରେ ଥିବା ପ୍ରକଳ୍ପ ମଧ୍ୟ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏକାଧିକ ପ୍ରକଳ୍ପ ଢିପ ଜାଗାରେ ହୋଇଥିବାରୁ ଏହା କାମରେ ଲାଗିବ ନାହିଁ। ଏସବୁ ଉଦାହାରଣ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି। ଅନ୍ୟ ସମସ୍ତ ପ୍ରକଳ୍ପକୁ ଯାଞ୍ଚ କଲେ ଏଭଳି ଶହ ଶହ ପ୍ରକଳ୍ପ ଖତ ଖାଉଥିବା ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ଏହି ଅଭିଯାନରେ ନିର୍ଦ୍ଧାରିତ ପ୍ରକଳ୍ପ ପ୍ରସ୍ତୁତ କରି ଧାର୍ଯ୍ୟ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ସରକାର ସମସ୍ତ ପୌରସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଧାର୍ଯ୍ୟ ସମୟ ଭିତରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯାଇ ବିଏମ୍‌ସି ମନଇଚ୍ଛା ପ୍ରକଳ୍ପ ନିର୍ମାଣ କରିଛି। ଯେଉଁଥିପାଇଁ ଏହି ପ୍ରକଳ୍ପଗୁଡ଼ିକ ନଷ୍ଟ ହୋଇଯାଇଛି। ତା’ ସହିତ ଏଥିରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ତେବେ କେବଳ ବର୍ଷା ଜଳ ଅମଳ ପ୍ରକଳ୍ପ ନୁହେଁ, ବରଂ ଏହା ପରେ ଏହି ଅଭିଯାନରେ ସାମିଲ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା, ପୋଖରୀ ପୁନରୁଦ୍ଧାର, ପାର୍କ ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଗତବର୍ଷ ୩ ହଜାର ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଚିହ୍ନଟ ହୋଇଥିବା ଜାଗାଗୁଡ଼ିକ ମଧ୍ୟରୁ ଅନେକ ଜାଗାରେ ପଥର ପଡ଼ିବାରୁ ୧୭୩ ପ୍ରକଳ୍ପ ନିର୍ମାଣ ସମ୍ଭବ ହୋଇ ନଥିଲା, ବାତିଲ କରାଯାଇଥିଲା। ପ୍ରକଳ୍ପ ନଷ୍ଟ ହେବାର କୌଣସି ଅଭିଯୋଗ ନାହିଁ। ଅଭିଯୋଗ ଆସିଲେ ଆମେ ଯାଞ୍ଚ କରିବୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.