Breaking News

ଇତିହାସ ରଚିଲା ନନ୍ଦନକାନନ, ୪ ହଜାର ଟପିଲା ଜୀବଜନ୍ତୁ ସଂଖ୍ୟା

0

ଭୁବନେଶ୍ବର : ସମୟ ଥିଲା, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଷିକ ଆୟ ୧୭କୋଟିରେ ପହଞ୍ଚିଥିଲା। ପର୍ଯ୍ୟଟକଙ୍କ ଆଗମନ ୩୨ଲକ୍ଷ ଛୁଇଁଥିଲା। ଜୀବଜନ୍ତୁଙ୍କ ସଂଖ୍ୟା ଅଧିକ ନ ଥିଲା କି ସେଭଳି କିଛି ଆକର୍ଷଣୀୟ କାର୍ଯ୍ୟକ୍ରମ ହେଉ ନଥିଲା। ତା’ ପରେ ବି ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା। ମାତ୍ର ୨୦୨୦ କରୋନା ମାଡ଼ରେ ଏହାର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା। ଦୁଇ ବର୍ଷ ହେଲା ଆଗ ଭଳି ପର୍ଯ୍ୟଟକ ଆସୁ ନଥିଲେ କି ଆୟ ସେତେଟା ଭଲ ନଥିଲା। ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କୋଭିଡ୍‌ ସଂକ୍ରମଣ ଲାଗି ରାଜ୍ୟର ଏହି ପ୍ରମୁଖ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା। ଅକ୍ଟୋବରରେ ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ସେଭଳି ନ ଥିଲା। ୨୦୨୨ ଫେବ୍ରୁଆରି ପରେ ସ୍ଥିତିରେ ସୁଧାର ଆସିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆୟ ମଧ୍ୟ ସାମାନ୍ୟ ବଢ଼ିଛି। ତେବେ ବନ୍ୟପ୍ରାଣୀଙ୍କ ସଂଖ୍ୟାରେ ରେକର୍ଡ କରିଛି ଓଡ଼ିଶାର ଏହି ପ୍ରାଣୀ ଉଦ୍ୟାନ। ୨୦୨୧-୨୨ ଆର୍ଥିକ ବର୍ଷରେ ଜୀବଜନ୍ତୁଙ୍କ ସଂଖ୍ୟା ୪ ହଜାର ଟପିଛି।

୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକ କମିଥିଲେ। ତେବେ ୨୦୨୦-୨୧ରେ ସ୍ଥିତି ଆହୁରି ବିଗିଡ଼ିବା ସହ ମାତ୍ର ୮ଲକ୍ଷ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷରେ କାରୋନା ପ୍ରକୋପ ରହୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇ ୧୪ ଲକ୍ଷ ୬୨ ହଜାର ୪୭୪ରେ ପହଞ୍ଚିଥିଲା। ୨୦୨୧ ଏପ୍ରିଲରେ ୫୪ ହଜାର ୧୮୩ଜଣ ବୁଲିଥିବା ବେଳେ ମେ’, ଜୁନ୍‌ ଓ ଜୁଲାଇ ମାସରେ ସଂକ୍ରମଣ ପୁଣିଥରେ ଉପରମୁହାଁ ହେବାରୁ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା। ଜଣେ ବି ହେଲେ ପର୍ଯ୍ୟଟକ ଆସି ନ ଥିଲେ କି ଟଙ୍କାଟିଏ ଆୟ ହୋଇ ନ ଥିଲା। ସ୍ଥିତିରେ ସୁଧାର ଆସିବା ପରେ ଅଗଷ୍ଟରେ ୫୦ ହଜାର ୪୭୧, ସେପ୍ଟେମ୍ବରରେ ୯୯ ହଜାର ୬୮୯, ଅକ୍ଟୋବରରେ ୨ ଲକ୍ଷ ୨୬ହଜାର ୯୧୨, ନଭେମ୍ବରରେ ୨ ଲକ୍ଷ ୧୩ ହଜାର ୭୩୭, ଡିସେମ୍ବରରେ ୨ ଲକ୍ଷ ୭୫ ହଜାର ୫୫୫ ପର୍ଯ୍ୟଟକ ଆସିଥିଲେ। ୨୦୨୨ ଜାନୁଆରିରେ ପୁଣିଥରେ କୋଭିଡ୍‌ ସଂକ୍ରମଣ ବଢ଼ିବା ଦ୍ବାରା ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା। କଟକଣା ଯୋଗୁ ଉକ୍ତ ମାସରେ ମାତ୍ର ୯୪ ହଜାର ୭୫୭ଜଣ ବୁଲି ଆସିଥିଲେ। ଫେବ୍ରୁଆରିରେ ୧ ଲକ୍ଷ ୫୬ ହଜାର ୮୦୮, ମାର୍ଚ୍ଚରେ ୨ ଲକ୍ଷ ୮୯ ହଜାର ୧୦୨ଜଣ ଭ୍ରମଣ କରିଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏହି ସମୟ ମଧ୍ୟରେ ଜୀବଜନ୍ତୁଙ୍କ ମୃତ୍ୟୁ ବଢ଼ିଛି। ୨୦୨୦-୨୧ରେ ୭୩ଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥର ତାହା ୮୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ୩୯ଟି ସ୍ତନ୍ୟପାୟୀ, ୪୭ଟି ପକ୍ଷୀ, ୨ଟି ସରୀସୃପ(ରେପଟାଇଲ୍ସ) ଅଛନ୍ତି। କିଙ୍ଗ୍‌କୋବ୍ରା‌, ଧଳା ବାଘ ଶାବକ, ଦୁଇଟି ସିଂହ ଶାବକ, ୧୩ ବର୍ଷିଆ ବାଘ, କାପୁଚିନ୍‌, ହରିଣ, ହିମାଳୟ ଭାଲୁ, ସମ୍ବର, ନୀଳଗା‌ଈ ପରି ଜୀବଜନ୍ତୁଙ୍କ ଜୀବନ ଯାଇଛି। ଏଥର ୨୭୩ଟି ଜୀବଜନ୍ତୁ ଜନ୍ମ ନେଇଛନ୍ତି। ସେଥିରେ ୧୫୧ଟି ସ୍ତନ୍ୟପାୟୀ ଥିବା ବେଳେ ୧୦୮ଟି ପକ୍ଷୀ ଓ ୧୪ଟି ସରୀସୃପ ରହିଛନ୍ତି। ଏବେ ମୋଟ ଜୀବଜନ୍ତୁଙ୍କ ସଂଖ୍ୟା ୪୦୧୨ରେ ପହଞ୍ଚିଛି। ଗତ ୬ବର୍ଷ ତୁଳନାରେ ନନ୍ଦନକାନନରେ ଏବେ ସର୍ବାଧିକ ଜୀବଜନ୍ତୁ ରହିଛନ୍ତି। ୨୦୧୫-୧୬ରେ ଜୀବଜନ୍ତୁଙ୍କ ମୃତ୍ୟୁହାର ୩.୬୧% ଥିବା ବେଳେ ୨୦୧୬-୧୭ରେ ୧.୬୨%, ୨୦୧୭-୧୮ରେ ୨.୨୪%, ୨୦୧୮-୧୯ରେ ୧.୬୭%, ୨୦୧୯-୨୦ରେ ୨.୬୦%, ୨୦୨୦-୨୧ରେ ୧.୭୭% ଓ ୨୦୨୧-୨୨ରେ ୨.୧୨% ରହିଥିଲା। ୨୦୧୫-୧୬ରେ ସର୍ବାଧିକ ୧୦୦ ଜୀବଜନ୍ତୁ ପ୍ରାଣ ହରାଇଥିଲେ।

ଏହି ଆର୍ଥିକ ବର୍ଷରେ ବନ୍ୟପ୍ରାଣୀ ଅଦଳବଦଳ ସେତେଟା ହୋଇ ନ ଥିଲା। କେବଳ ଜୟପୁରସ୍ଥିତ ନାହାରଗଡ଼ ବାୟୋଲୋଜିକାଲ ପାର୍କରୁ ଦୁଇଟି ଗଧିଆ, ଦୁଇଟି କଲରାପତରିଆ, ୪ଟି ଘଡ଼ିଆଳ ଓ ଦୁଇଟି ଚିନ୍କାରା ଅଣାଯାଇଥିଲା। ପୋଷ୍ୟ ଗ୍ରହଣରେ ରେକର୍ଡ ସୃଷ୍ଟି ହୋଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ କୋଣ ଅନୁକୋଣରୁ ୨୨୧ଜଣ ଅନ୍‌ଲାଇନ୍‌ରେ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହାବ୍ୟତୀତ ଇପିକଲ୍‌ ପକ୍ଷରୁ ୨୦୨୧ ଡିସେମ୍ବରରେ ୧୫ଟି ଜଳହସ୍ତୀ, ଦୁଇଟି ସିଂହ, ୬ଟି ହିମାଳୟ କଳା ଭାଲୁ, ଗୋଟିଏ ଜାରିଫ୍‌, ୪ଟି ସ୍ଲଥ୍‌ ଭାଲୁ ଓ ଗୋଟିଏ ଛୋଟିଆ ଇଣ୍ଡିଆନ୍‌ ସିଭେଟ୍‌କୁ ବର୍ଷକ ଲାଗି ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ଏମ୍‌ଜିଏମ୍‌ ମିନେରାଲ୍‌ ଲିମିଟେଡ୍‌ ପକ୍ଷରୁ ଦୁଇଟି ସିଂହକୁ ଗତ ଫେବ୍ରୁଆରି ୨୨ରେ ବର୍ଷକ ଲାଗି ପୋଷ୍ୟ ଗ୍ରହଣ କରାଯାଇଛି। ୧୨ବର୍ଷରୁ ଅଧିକ ବୟସର ୧୧ ଲକ୍ଷ ୩ହଜାର ୪୫୯ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କଠାରୁ ୫ କୋଟି ୫୧ଲକ୍ଷ ୭୨ ହଜାର ଟଙ୍କା ଆଦାୟ ହୋଇଛି। ୩ରୁ ୧୨ ବର୍ଷ ମଧ୍ୟରେ ୧ଲକ୍ଷ ୬୫ ହଜାର ୭୧୮ପର୍ଯ୍ୟଟକ ଆସିଥିବା ବେଳେ ୧୬ ଲକ୍ଷ ୫୭ ହଜାର ୧୮୦ ଟଙ୍କା, ୨୭୨ଜଣ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୨୭ ହଜାର ଟଙ୍କା ଆଦାୟ ହୋଇଛି। ୨୦୯୭ଜଣ ସ୍କୁଲ ଛାତ୍ରଛାତ୍ରୀ ବୁଲିଛନ୍ତି। ୧୬୮ଟି ହ୍ୟାଣ୍ଡିକ୍ୟାମ୍‌ ନନ୍ଦନକାନନ ଭିତରକୁ ଯାଇଥିଲା ଏବଂ ଏବାବଦରେ ୧୬ ହଜାର ୮୦୦ ଟଙ୍କା ଆୟ ହୋଇଛି।

Leave A Reply

Your email address will not be published.