ଦେଶ ବିଦେଶ

National Herald case: ନ୍ୟାସନାଲ୍‌ ହେରାଲ୍ଡ ମାମଲା: ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଅଦାଲତ, ସୋନିଆ, ରାହୁଲଙ୍କୁ ଆଶ୍ବସ୍ତି

ନ୍ୟାସନାଲ୍‌ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଆଜି ଆଶ୍ବସ୍ତି ମିଳିଛି।

ନୂଆଦିଲ୍ଲୀ: ନ୍ୟାସନାଲ୍‌ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଆଜି ଆଶ୍ବସ୍ତି ମିଳିଛି। ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦାଖଲ କରିଥିବା ଚାର୍ଜସିଟ୍‌କୁ କୋର୍ଟ ବିଚାରକୁ ନେବାପାଇଁ ମନା କରିଦେଇଛନ୍ତି। ଇଡି ମାମଲାରେ ପରବର୍ତ୍ତୀ ତଦନ୍ତ ଜାରି ରଖି ପାରିବ ବୋଲି କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ଇଡି କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବ ବୋଲି କହିଛି।

ବିଚାର ପାଇଁ ଗ୍ରହଣ ହେଲାନି, ରାୟ ବିରୋଧରେ ଆବେଦନ କରିବ ଇଡି

ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି, ଏହି ମାମଲାରେ ଜଣେ  ବ୍ୟକ୍ତିଙ୍କ ବ୍ୟକ୍ତିଗତ ଅଭିଯୋଗ ଆଧାରରେ ହୋଇଥିବା ତଦନ୍ତ ଅନୁଯାୟୀ ଚାର୍ଜସିଟ୍‌ ଦାଖଲ ହୋଇଛି।  କୌଣସି ପ୍ରକାର ଦୃଢ଼ ଆଧାର ନାହିଁ। ତେଣୁ ଆଇନ ଅନୁଯାୟୀ ଉକ୍ତ ମାମଲାକୁ ବିଚାରକୁ ନେବା ଅନୁମତିଯୋଗ୍ୟ ନୁହେଁ। ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଏହି ମାମଲାରେ ଏତଲା ରୁଜୁ କରି ସାରିଛନ୍ତି। ତେଣୁ ଏହି ମାମଲାରେ ଇଡିର ତର୍କ ଆଧାରରେ କୌଣସି ନିଷ୍ପତ୍ତି ନିର୍ଣ୍ଣୟ କରିବା ଅପରିପକ୍ବ ହେବ। ତେବେ ଏହି ମାମଲାରେ ଆଉ ଏକ ସ୍ଥିତି ସଂପର୍କରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତମାନେ ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଦ୍ୱାରା ଦାଖଲ ଏଫ୍‌ଆଇଆର୍‌  କପି ପାଇବାକୁ ହକ୍‌ଦାର ନୁହନ୍ତି। ସେମାନଙ୍କୁ କେବଳ ଏହି ସୂଚନା ଦିଆଯାଇପାରିବ ଯେ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍ ଦାଖଲ ହୋଇଛି। ଏହାପୂର୍ବରୁ ମାଜିଷ୍ଟ୍ରେଟ କୋର୍ଟ ଏଫ୍‌ଆଇଆର୍ କପି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ନିର୍ଦ୍ଦେଶ ଏବେ ବଦଳି ଯାଇଛି।

ଉଲ୍ଲେଖଯୋଗ୍ୟ,  ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳୀୟ ନେତା ମୋତିଲାଲ ଭୋରା , ଓସ୍କାର ଫର୍ଣ୍ଣାଣ୍ଡିଜ୍‌, ସୁମନ ଦୁବେ, ସାମ ପିଟ୍ରୋଡ଼ା ଏବଂ ଏଥିସହ  ଘରୋଇ କମ୍ପାନି ୟଙ୍ଗ ଇଣ୍ଡିଆନ୍‌ ମନି ଲଣ୍ଡରିଂ ଓ ଷଡ୍‌ଯନ୍ତ୍ର କରିଥିବା ଇଡି ଦର୍ଶାଇଛି। ଇଡି ଚାର୍ଜସିଟ୍‌ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପିଟ୍ରୋଡ଼ା, ଦୁବେ, ସୁନିଲ ଭଣ୍ଡାରି, ୟଙ୍ଗ ଇଣ୍ଡିଆନ ଏବଂ ଡଟେକ୍ସ ମର୍ଚାଣ୍ଡାଇଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନାଁ ରହିଛି।  ସେମାନେ ନ୍ୟାସନାଲ ହେରାଲ୍ଡ ଖବରକାଗଜ ଛାପୁଥିବା ଏଜେଏଲ୍‌ (ଏସୋସିଏଟେଡ୍‌ ଜର୍ଣ୍ଣାଲ୍‌ସ ଲିମିଟେଡ୍‌)ର ପାଖାପାଖି ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button