ଓଡିଶାରାଜନୀତି

Naupada: ନୂଆପଡ଼ା ପରେ ରାଜ୍ୟସଭା: ପୁଣି ଝୁଣ୍ଟିଲେ ନବୀନ, ଏବେ କନିଷ୍ଠ ବିଧାୟକ ବି ଚ୍ୟାଲେଞ୍ଜ ଦେଲେ

ଦିନ ଥିଲା ନବୀନଙ୍କ ଚକ୍‌ମାକୁ ରାଜ୍ୟବାସୀ ଅପେକ୍ଷା କରୁଥିଲେ। ଯାହା ନିଷ୍ପତ୍ତି ନେଉଥିଲେ, ତାହାକୁ ‘ମାଷ୍ଟର୍ ଷ୍ଟ୍ରୋକ୍’ କୁହାଯାଉଥିଲା। ଦଳର ନେତାଙ୍କୁ ତାଙ୍କର ଖାତିର ନଥିଲା। ଯାହା କହୁଥିଲେ, ତାହାକୁ ସମସ୍ତେ ନିଶ୍ଚୟ ମାନୁଥିଲେ।

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ଦିନ ଥିଲା ନବୀନଙ୍କ ଚକ୍‌ମାକୁ ରାଜ୍ୟବାସୀ ଅପେକ୍ଷା କରୁଥିଲେ। ଯାହା ନିଷ୍ପତ୍ତି ନେଉଥିଲେ, ତାହାକୁ ‘ମାଷ୍ଟର୍ ଷ୍ଟ୍ରୋକ୍’ କୁହାଯାଉଥିଲା। ଦଳର ନେତାଙ୍କୁ ତାଙ୍କର ଖାତିର ନଥିଲା। ଯାହା କହୁଥିଲେ, ତାହାକୁ ସମସ୍ତେ ନିଶ୍ଚୟ ମାନୁଥିଲେ। ବରିଷ୍ଠ ବାଟ ହୁଡ଼ିଲେ, କନିଷ୍ଠଙ୍କୁ ସେମାନଙ୍କ ପଛରେ ଲଗାଇ ଦେଉଥିଲେ। ଏବେ ସମୟ ବଦଳିଯାଇଛି। ହାତରୁ କ୍ଷମତା ତ ଖସିଯାଇଛି; ନେତୃତ୍ବର ଚମକ ବି ଆଉ ନାହିଁ। କିଛି ଷ୍ଟ୍ରୋକ୍ କାମ ଦେଉନି। ନୂଆପଡ଼ା ଉପନିର୍ବାଚନରେ ସାଧାରଣ ଭୋଟର ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କଲେ ନାହିଁ। ଏବେ ଦଳର ବିଧାୟକମାନେ ତାଙ୍କୁ ଚ୍ୟାଲେଞ୍ଜ୍ ଦେଲେ। ନବୀନ ଯାହା କହିବେ, ତାହା ବେଦର ଗାର- ଏହି ପରିସ୍ଥିତି ଆଉ ଦଳରେ ନାହିଁ। ଆଜି ତାହା ସ୍ପଷ୍ଟ ହୋଇଯାଇଛି। ଏକଦା ଅପରାଜେୟ ଥିବା ନବୀନ ୨୦୨୪ରୁ ବାରମ୍ବାର ପରାଜୟର ସ୍ବାଦ ଚାଖୁଛନ୍ତି। ୨୦୨୪ରେ ସେ ନିଜେ ୧୫ ହଜାରରୁ ଅଧିକ ଭୋଟରେ କଣ୍ଟାବାଞ୍ଜିରେ ପରାସ୍ତ ହେଲେ। ତାଙ୍କ ନେତୃତ୍ବରେ ବିଜେଡି ପରାଜୟ ବରଣ କଲା। ୨୦୨୫ରେ ନୂଆପଡ଼ା ଉପନିର୍ବାଚନରେ ନବୀନ ପ୍ରଚାର ମଙ୍ଗ ଧରିଥିବା ସତ୍ତ୍ବେ ଦଳ ହାରିଲା। ଏବେ ରାଜ୍ୟସଭାରେ ନବୀନଙ୍କ ସମସ୍ତ କସରତ ବିଫଳ ହେଲା।

 

ରାଜ୍ୟସଭା ନିର୍ବାଚନ ପାଇଁ ନିଜେ ନବୀନ ସବୁ ଦଳୀୟ ପ୍ରସ୍ତୁତିର ତଦାରଖ କରୁଥିଲେ। ୨୦୨୪ ନିର୍ବାଚନ ପରଠାରୁ ବିଧାୟକମାନଙ୍କୁ କୋଣଠେସା କରାଯାଉଥିଲା ବେଳେ ରାଜ୍ୟସଭା ପାଇଁ ସେମାନଙ୍କୁ କୋଳେଇ ନେଇଥିଲେ। ଗତ କିଛି ଦିନ ହେଲା ସେମାନଙ୍କୁ ବେଶ୍ ଗୁରୁତ୍ବ ମିଳୁଥିଲା। କିନ୍ତୁ ପ୍ରାର୍ଥୀ ଚୟନକୁ ନେଇ ଦଳ ଭିତରେ ଅସନ୍ତୋଷ ପ୍ରବଳ ଥିଲା। ଦଳୀୟ ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ରଙ୍କ ଚୟନ ଓ  କଂଗ୍ରେସ ସହ ମେଣ୍ଟ କରି ପ୍ରାର୍ଥୀ ଘୋଷଣା ଉଭୟରେ କେହି ଖୁସି ନଥିଲେ। ଦଳର ଅଭିଜ୍ଞ ନେତାଙ୍କୁ ପଛକୁ ଠେଲି ସଂତୃପ୍ତଙ୍କୁ କାହିଁକି ଚୟନ କରାଗଲା ବୋଲି ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧିଥିଲା। ନବୀନ ଚିରାଚରିତ ଢଙ୍ଗରେ ଏହି ଭିନ୍ନମତକୁ ଏଡ଼ା‌ଇ ଦେଇଥିଲେ। ବରଂ ସଂତୃପ୍ତଙ୍କ ସପକ୍ଷରେ ବିଧାୟକଙ୍କୁ ବୁଝାଇଥିଲେ। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ବିରୋଧ କଲେ ବୋଲି ତାଙ୍କ ସ୍ବରକୁ ଚାପି ଦିଆଗଲା। ଦଳୀୟ ପ୍ରାର୍ଥୀ ଭାବେ ସଂତୃପ୍ତ ଜିତିଗଲେ ସତ, ହେଲେ ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ହାରିଗଲେ। ୬  ବିଧାୟକ ନବୀନଙ୍କ ପାଖରୁ ଖସିଗଲେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ପରି ଯୁବ ବିଧାୟକ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଦଳୀୟ ନେତୃତ୍ବ ମନଇଚ୍ଛା ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ଉପରେ ଲଦିପାରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇଛନ୍ତି। ଯୁବ ବିଧାୟକ ସବୁବେଳେ ନବୀନଙ୍କ ଆସେଟ୍ ଥିଲେ। ନବୀନଙ୍କ ପାଇଁ ଗଳାଫଟା ଚିତ୍କାର କରୁଥିଲେ। ଏବେ ସେମାନେ ହାତ ଛାଡ଼ିବା ଆରମ୍ଭ କରିବା, ବିଜେଡିରେ ହଲଚଲ୍ ସୃଷ୍ଟି କରିଛି। ଗତବର୍ଷ ନୂଆପଡ଼ା ଉପନିର୍ବାଚନରେ ନବୀନଙ୍କ ଯାଦୁ କାମ ଦେଇ ନଥିଲା। ସେଠାରେ ପ୍ରାର୍ଥୀ ଚୟନ ସମସ୍ତଙ୍କୁ ଚକିତ କରିଥିଲା। ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁ ବିଜେଡି ସେଠାରେ ତୃତୀୟ ସ୍ଥାନରେ ରହିଲା। ନିଜର ସ୍ବାସ୍ଥ୍ୟ ଅନୁମତି ଦେଉ ନଥିବା ସତ୍ତ୍ବେ ଦୁଇ ଦୁଇ ଥର ସେଠାକୁ ପ୍ରଚାରକୁ ଯାଇଥିଲେ ବି ଭୋଟ ଟାଣିବାରେ ନବୀନ ସକ୍ଷମ ହୋଇ ନଥିଲେ।
ଦଳୀୟ ନେତାମାନଙ୍କର କହିବା କଥା, ୨୦୨୪ ପରାଜୟର ବଡ଼ କାରଣ ଥିଲା ନିର୍ବାଚନ ପୂର୍ବରୁ ଦଳ ଓ ସରକାରରେ ଭି କେ ପାଣ୍ଡିଆନଙ୍କ ଉପରେ ନବୀନଙ୍କ ମାତ୍ରାଧିକ ନିର୍ଭରଶୀଳତା। ପାଣ୍ଡିଆନଙ୍କ ପାଇଁ ହିଁ ବିଜେପିରେ ‘ଓଡ଼ିଆ ଅସ୍ମିତା’ ନାରା ଲୋକଙ୍କୁ ଛୁଇଁଯାଇଥିଲା। ପରାଜୟର କାରଣ ସମୀକ୍ଷା କଲେ କାଳେ ପାଣ୍ଡିଆନ ବଡ଼ ଦୋଷୀ ହୋଇଯିବେ, ସେଥି ପାଇଁ ନବୀନ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ନୂଆପଡ଼ାରେ ବି ସମାନ ସ୍ଥିତି ସୃଷ୍ଟି ହେଲା। ସମୀକ୍ଷା ହେଲା ନାହିଁ। ଏବେ ରାଜ୍ୟସଭା ପରାଜୟର ସମୀକ୍ଷା ହେବ କି ନାହିଁ, ତାହା ପରେ ଜଣାପଡ଼ିବ।
ଏହା ନିଶ୍ଚିତ ଯେ ନିଜ ଭାବମୂର୍ତ୍ତିକୁ ଭୋଟ୍‌ରେ ପରିଣତ କରିବାକୁ ନବୀନ ସକ୍ଷମ ନାହାନ୍ତି। ବିରୋଧୀ ଦଳ ନେତା ଭାବେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରୁଛି। ତାଙ୍କ ନେତୃତ୍ବରେ ମୁଖ୍ୟ ବିରୋଧୀ ଦଳ ବିଜେଡି କିପରି ଆଭିମୁଖ୍ୟ ନେଇ ଆଗକୁ ଯାଉଛି, ତାହା ଉପରେ ରାଜ୍ୟ ରାଜନୀତି ଅନେକ ମାତ୍ରାରେ ନିର୍ଭର କରୁଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button