ଓଡିଶାମହାନଗର

Naveen: କର ବା ମର ସ୍ଥିତିରେ ନବୀନ-ଭକ୍ତ: ନବୀନ ନିବାସରେ ହାଜିରା ପକାଇଲେ ବିଜେଡି ବିଧାୟକ

ବିଜେପି ସମ୍ପୂର୍ଣ୍ଣ ଆଶାବାଦୀ- ‘ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଜିତିବେ। ବିଜେଡି-କଂଗ୍ରେସରେ ଗଡ଼ବଡ଼ ହେବ ହିଁ ହେବ।’ ବିଜେଡି ଓ କଂଗ୍ରେସର ଚ୍ୟାଲେଞ୍ଜ-‘ଗୋଟିଏ ଭୋଟ୍ ବି ଏପଟ ସେପଟ ହେବନି।

ଭୁବନେଶ୍ବର: ବିଜେପି ସମ୍ପୂର୍ଣ୍ଣ ଆଶାବାଦୀ- ‘ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଜିତିବେ। ବିଜେଡି-କଂଗ୍ରେସରେ ଗଡ଼ବଡ଼ ହେବ ହିଁ ହେବ।’ ବିଜେଡି ଓ କଂଗ୍ରେସର ଚ୍ୟାଲେଞ୍ଜ-‘ଗୋଟିଏ ଭୋଟ୍ ବି ଏପଟ ସେପଟ ହେବନି। ସମସ୍ତେ ଦଳୀୟ ନିଷ୍ପତ୍ତି ମାନିବେ। ସ୍ବାଧୀନ ପ୍ରାର୍ଥୀ ଦତ୍ତେଶ୍ବର ହୋତା ଜିତିବେ’। ଉଭୟ ପକ୍ଷର ଏମିତି ଆତ୍ମବିଶ୍ବାସ ରାଜ୍ୟସଭା ନିର୍ବାଚନକୁ ରୋଚକ ମୋଡ଼କୁ ନେଇ ଆସିଛି। ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଗତିବିଧି ଏବେ ଚର୍ଚ୍ଚାରେ। ବିଜେଡି ଗଠନ ପରେ ପ୍ରଥମଥର ପାଇଁ କୌଣସି ଏକ ପ୍ରସଙ୍ଗରେ କଂଗ୍ରେସ ସହ ହାତ ମିଶାଇଛି। ସେଥିପାଇଁ ଶାସକ ଦଳ ପଟୁ କୁତ୍ସାରଟନା ଶୁଣିବାକୁ ମିଳୁଛି। ତେଣୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଜିତାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ଦିନରାତି ଏକ କରିଛନ୍ତି। ଉଭୟଙ୍କ ପାଇଁ ଏବେ କର ବା ମର ପରିସ୍ଥିତି।

କଂଗ୍ରେସରେ ଅଧିକ କ୍ରସ୍ ଭୋଟିଂ ହେବ ବୋଲି କୁହାଯାଉଥିବାରୁ ପିସିସି ସଭାପତି ଶ୍ରୀ ଦାସ ସତର୍କତାର ସହ ଗୋଟି ଚାଳନା କରୁଛନ୍ତି। ଗତକାଲି ସେ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାରୁ ସେହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି। ଏହି ବିଧାୟକମାନେ ବେଙ୍ଗାଲୁରୁରେ ୱାଣ୍ଡର୍‌ଲା ରିସୋର୍ଟରେ ରହିଛନ୍ତି। ସେମାନେ ରବିବାର ସନ୍ଧ୍ୟା କିମ୍ବା ସୋମବାର ସକାଳୁ ଓଡ଼ିଶା ଫେରିବାର ସମ୍ଭାବନା ରହିଛି। ଆଜି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ସେଠାକାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ରିସୋର୍ଟକୁ ଯାଇ ବିଧାୟକଙ୍କୁ ସାକ୍ଷାତ କରିଥିଲେ। ଗଣମାଧ୍ୟମକୁ ଶିବକୁମାର କହିଥିଲେ, ଓଡ଼ିଶାର ବିଧାୟକଙ୍କ ଦାୟିତ୍ବ ଆମର କର୍ତ୍ତବ୍ୟ। ସେମାନଙ୍କୁ ଭୟଭୀତ କରାଯାଉଛି କିମ୍ବା ବିଭିନ୍ନ ଅଫର୍ ଦିଆଯାଉଛି। ତେବେ ସେମାନେ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି। ‘ଅପରେସନ୍ ଲୋଟସ୍’ର ଅଂଶ ହେବାକୁ ସେମାନେ ଆଗ୍ରହୀ ନୁହନ୍ତି। ସେମାନେ ଏଠାରୁ ଯିବେ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ।

ନବୀନ ନିବାସରେ ହାଜିରା ପକାଇଲେ ବିଜେଡି ବିଧାୟକ
ସୌଭିକଙ୍କ ସମେତ ୬ ଅନୁପସ୍ଥିତ
ବେଙ୍ଗାଲୁରୁରେ ଭକ୍ତ ଓ ୮ ବିଧାୟକ

ଆଜି ବିଧାନସଭାକୁ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି ଓ ସୋଫିଆ ଫିର୍‌ଦୋସ ଆସିଥିଲେ। ଏମାନଙ୍କ ବାଦ୍ ଆଉ ତିନି ବିଧାୟକ ରମେଶ ଜେନା, ସାଗର ଦାସ ଓ ଦାଶରଥୀ ଗମାଙ୍ଗୋ ବେଙ୍ଗାଲୁରୁ ଯାଇନାହାନ୍ତି। କଂଗ୍ରେସର କୌଣସି ଭୋଟ୍ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଖକୁ ଯିବ ନାହିଁ ବୋଲି ଗଣମାଧ୍ୟମକୁ ଶ୍ରୀ କାଡ଼ାମ କହିଛନ୍ତି। ଅପରପକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ବିଧାୟକମାନଙ୍କୁ ଏକାଠି ରଖିବାକୁ ସବୁ କୌଶଳ ଖଟାଇଛନ୍ତି। ଗତକାଲିର ନିର୍ଦ୍ଦେଶ ମୁତାବକ ଆଜି ସନ୍ଧ୍ୟାରେ ବିଧାୟକମାନେ ନବୀନ ନିବାସରେ ଏକାଠି ହୋଇଥିଲେ। ୪୨ ବିଧାୟକ ଉପସ୍ଥାନ ପକାଇଥିଲେ। ସମସ୍ତଙ୍କ ନଜର ସୁବାସିନୀ ଜେନା ଓ ସୌଭିକ ବିଶ୍ବାଳଙ୍କ ଉପରେ ଥିଲା। ସୁବାସିନୀ ଆସିଥିଲେ ଓ ସୌଭିକ ଅନୁପସ୍ଥିତ ଥିଲେ। ଆସି ନଥିବା ଅନ୍ୟ ୫ ବିଧାୟକ ହେଲେ ସାରଦା ନାୟକ, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର, ମନୋହର ରନ୍ଧାରୀ ଓ ସୁଦର୍ଶନ ହରିପାଲ। ବୈଠକରେ ଭୋଟିଂ ସମ୍ପର୍କରେ ବିଧାୟକମାନଙ୍କୁ ଅବଗତ କରାଯାଇଥିଲା। ପ୍ରସନ୍ନ ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଦେଲା ପରେ ଅରୁଣ ସାହୁ ଭୋଟିଂ ପ୍ରକ୍ରିୟା ସମ୍ପର୍କରେ ତାଲିମ ଦେଇଥିଲେ। ସମସ୍ତେ ଦଳର ନିଷ୍ପତ୍ତି ମାନି ଦୁଇ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଶପଥ ନେବାକୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ। ସାଂସଦ ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଶେଷ ଆଡ଼କୁ ନବୀନ ଉପସ୍ଥିତ ରହି ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ପୂର୍ବାହ୍ଣରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ଯାଇ ବିଧାୟକଙ୍କୁ ପୁଣି ଲାଇଭ୍ ଟ୍ରେନିଂ ଦିଆଯିବ।

sffssfsf

ସୌଭିକ ବିଶ୍ବାଳଙ୍କୁ ବୁଝାଇବା ପାଇଁ ବିଜେଡି ପକ୍ଷରୁ ଉଦ୍ୟମ ଚାଲିଛି। ଏପରିକି ପ୍ରଭାତ ବିଶ୍ବାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଲାଗି ମତପ୍ରକାଶ ପାଉଛି। ଏ ନେଇ ଆସନ୍ତାକାଲି ନିଷ୍ପତ୍ତି ନିଆଯିବ। ନିଜେ ନବୀନ ସୌଭିକଙ୍କୁ ଡାକି ଆଲୋଚନା କରିବେ। ଗଣମାଧ୍ୟମକୁ ବିଧାୟକ ଅରୁଣ ସାହୁ କହିଛନ୍ତି, ନବୀନ ପଟ୍ଟନାୟକ ସବୁ ନିର୍ବାଚନକୁ ନେଇ ସିରିୟସ୍ ଥା’ନ୍ତି। ସେ ଯଦି ନିଜ ଦଳକୁ ସୁସଂଗଠିତ କରି ରଖିବାକୁ ଚେଷ୍ଟା କରୁଛନ୍ତି, ତେବେ ତାହାକୁ ଭୟ ବୋଲି କୁହାଯିବ ନାହିଁ। ଗୋଟିଏ ଭୋଟ୍ ଯେମିତି ଭୁଲ୍ ନହୁଏ, ସେଥି ପାଇଁ ବିଧାୟକଙ୍କୁ ତାଲିମ ଦେବାକୁ ନବୀନ ନିବାସ ଡକାଯାଉଛି। ଦଳର ସବୁ ବିଧାୟକ ଏକାଠି ଅଛନ୍ତି।

ହ୍ବିପ୍‌ ଉଲ୍ଲଙ୍ଘନ!

ଭୁବନେଶ୍ବର: ଗତ ୧୧ ତାରିଖରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ରାଜନ୍ ଏକ୍କା ବିଧାୟକମାନଙ୍କ ପାଇଁ ହ୍ବିପ୍ ଜାରି କରିଥିଲେ। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ କୌଣସି କଂଗ୍ରେସ ବିଧାୟକ ଭୁବନେଶ୍ବର ଛାଡ଼ି ନଯିବାକୁ କୁହାଯାଇଥିଲା। ଆଶ୍ଚର୍ଯ୍ୟର କଥା ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ହିଁ ବିଧାୟକମାନେ ଭୁବନେଶ୍ବର ଛାଡ଼ି ବାହାରକୁ ଯାଇଛନ୍ତି। ହ୍ବିପ୍ ଜାରି କରିଥିବା ମୁଖ୍ୟ ସଚେତକ ଶ୍ରୀ ଏକ୍କା ବି ଏଥିରେ ସାମିଲ ଅଛନ୍ତି। ତେଣୁ ଖୋଲାଖୋଲି ଭାବେ ହ୍ବିପ୍ ଅମାନ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ବିଧାୟକମାନଙ୍କୁ ବାହାରକୁ ନିଆଯିବାର ଥିଲା, ତେବେ ଦଳ ପକ୍ଷରୁ ହ୍ବିପ୍ କାହିଁକି ଜାରି କରାଗଲା? ଏବେ ହ୍ବିପ୍‌ ଅମାନ୍ୟ କରିଥିବା ବିଧାୟକଙ୍କ ବିରୋଧରେ କିଏ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଅନେକ ନେତା ପ୍ରଶ୍ନ କଲେଣି। ବିଧାୟକଙ୍କ ବେଙ୍ଗାଲୁରୁ ଗସ୍ତକୁ ସୋଫିଆ ଫିର୍‌ଦୋସ ନାପସନ୍ଦ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ବେଙ୍ଗାଲୁରୁ ଗସ୍ତ ସମ୍ପର୍କରେ ମୁଁ ଗଣମାଧ୍ୟମରୁ ଜାଣିଲି। ମୋତେ କିଛି କୁହାଯାଇନି। ସେମାନେ କ’ଣ ପାଇଁ ଯାଇଛନ୍ତି, ମୁଁ ଜାଣିନି। ଯିବାର ବି ଆବଶ୍ୟକତା କ’ଣ ଅଛି? ଆମେ ନିର୍ବାଚିତ ହୋଇ ଆସିଛୁ। ଚିନ୍ତା କରି ଠିକ୍ ଭାବେ ଭୋଟ୍ ଦେବୁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button