ଓଡିଶାରାଜନୀତି

Naveen: ନିର୍ଯାତନାର କେନ୍ଦ୍ର ପାଲଟିଛି ଧାନ ମଣ୍ଡି: ନବୀନ

ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତା ବ୍ୟବସ୍ଥାଗତ ଶୋଷଣ ଓ କଷଣର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ....

ଭୁବନେଶ୍ବର: ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତା ବ୍ୟବସ୍ଥାଗତ ଶୋଷଣ ଓ କଷଣର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି। ଚାଷୀଙ୍କ ଅଭିଯୋଗର ସମାଧାନ ଦିଗରେ ସରକାରଙ୍କ ବିଫଳତା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ର କରୁଛି। ତେଣୁ ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପତ୍ର

ଶ୍ରୀ ପଟ୍ଟନାୟକ କହିଛନ୍ତି ୨୦୨୪ ନିର୍ବାଚନ ସମୟରେ ବିଜେପି ନିର୍ବାଚନୀ ଇସ୍ତାହାରର ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟ୍‌ନି-ଛଟ୍‌ନି ବନ୍ଦ କରିବା ସମ୍ପର୍କରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ବିଭିନ୍ନ ଆଳରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେ.ଜି ପର୍ଯ୍ୟନ୍ତ କଟ୍‌ନି-ଛଟ୍‌ନି କରାଯାଉଛି। ମିଲର ଓ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ନିଜର କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ତେଣୁ ତୁରନ୍ତ ମଣ୍ଡିଗୁଡ଼ିକରେ ସ୍ପେଶାଲ ସ୍କ୍ବାଡ୍‌ ନିୟୋଜିତ କରାଯାଉ। ଦୋଷୀ ମିଲ୍‌ ମାଲିକ ଓ ସରକାରୀ ଅଧିକାରୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେହିପରି ଚାଷୀଙ୍କ କ୍ବିଣ୍ଟାଲ ପିଛା ଇନ୍‌ପୁଟ୍‌ ସବ୍‌ସିଡି ୮୦୦ ଟଙ୍କା ଲେଖାଏ ଦେବା ପାଇଁ ବିଜେପି ଘୋଷଣା କରିଥିଲା। କିନ୍ତୁ ରାଜ୍ୟ ସରକାର ଏହି ସବ୍‌ସିଡି ପାଇଁ ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଂ ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଭଙ୍ଗର ଜ୍ବଳନ୍ତ ଉଦାହରଣ। ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଂ ସର୍ତ୍ତ ତୁରନ୍ତ ପ୍ରତ୍ୟାହାର କରାଯାଉ। ପଞ୍ଜୀକୃତ ସବୁ ଚାଷୀଙ୍କଠାରୁ ଧାନ କିଣାଯାଉ। ମଣ୍ଡିରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ୍‌ ବ୍ୟବସ୍ଥାରେ ବିଫଳତା ଓ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି। ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ସେମାନଙ୍କ ପ୍ରାପ୍ୟ ଦିଆଯାଉ। ଏହାସହ ୭୨ ଘଣ୍ଟା ମଧ୍ୟରେ ମଣ୍ଡିଗୁଡ଼ିକରେ ଖୋଲାରେ ପଡ଼ିଥିବା ସବୁ ଧାନଗୁଡ଼ିକୁ ଶତ ପ୍ରତିଶତ ଉଠାଇବା ଲାଗି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button