କଥାଟିଏ-ଯାଯାବର: ବୈରାଗ୍ୟ ତତ୍ତ୍ବ

ଜଣେ ସାଧୁ ଥିଲେ। ସ୍ବଭାବତଃ ସେ ଥିଲେ ଜଣେ ଯାଯାବର। ସାରା ଜୀବନ ସେ ଏଣେତେଣେ ଘୂରି ବୁଲୁଥିଲେ।
ଦିନକର ଘଟନା। ସେ ଯେଉଁ ରାଜ୍ୟ ଭିତର ଦେଇ ଯାଉଥିଲେ, ତା’ର ରାଜା ଥିଲେ ଭାରୀ ଧର୍ମପରାୟଣ। ସାଧୁ ସନ୍ଥମାନଙ୍କୁ ସେ ଆଦର କରୁଥିଲେ। ସାଧୁଙ୍କ ସହିତ ତାଙ୍କର ସାକ୍ଷାତ ହୋଇଗଲା। ସେ ତାଙ୍କୁ ନିଜ ନଅରକୁ ନେଇ ଗଲେ। ସେଠାରେ ତାଙ୍କୁ ଆତିଥ୍ୟ ପ୍ରଦାନ କରାଗଲା। ସାଧୁଙ୍କୁ ସବୁ ପ୍ରକାର ସୁବିଧା ଖଂଜି ଦିଆଗଲା। ସାଧୁ ଆରାମରେ ରହିଲେ।
ଏମିତି କିଛି କାଳ ଗଲା ପରେ ମନ୍ତ୍ରୀଙ୍କ ମନରେ ସନ୍ଦେହ ଉତ୍ପନ୍ନ ହେଲା। ସେ ରାଜାଙ୍କ ମୁଣ୍ଡରେ ସନ୍ଦେହର ବୀଜ ବୁଣିଦେଲେ। ସେ କହିଲେ- ମହାରାଜ, ମୋତେ ଲାଗୁଛି ଯେ ‌େୟ ଗୋଟିଏ ଠକ। ଆପଣଙ୍କ ଗୁଣ ଜାଣି ସାଧୁ ବେଶରେ ଆସି ପହଞ୍ଚିଛି। କାରଣ ଆଗରୁ ଆମେ ଯେତେ ସାଧୁଙ୍କୁ ଦେଖିଛେ, ସେମାନେ ସମସ୍ତେ ବୈରାଗୀ। ସେମା‌ନଙ୍କୁ ଯେ‌େତ ସୁବିଧା ଓ ସାହଚର୍ଯ୍ୟ ଦେଲେ ବି ତାହା ଗ୍ରହଣ ନ କରି ସେମାନେ ସ୍ବଇଚ୍ଛାରେ ବୈରାଗ୍ୟମୟ ଜୀବନ କାଟନ୍ତି। କିନ୍ତୁ ୟେ ତ ମହା ଆରାମରେ ଅଛନ୍ତି।
ରାଜାଙ୍କ ମନକୁ କଥାଟି ପାଇଲା। ସେ ସାଧୁଙ୍କୁ କହିଲେ- ଆପଣ ତ ଜଣେ ସାଧୁ। କିନ୍ତୁ ବୈରାଗୀ ଭଳି ଲାଗୁ ନାହାନ୍ତି?
ସାଧୁ ହସିଲେ ଓ କହିଲେ- ଲାଗୁନି? ହଉ ଦେଖ ଏବେ ଏଠି ଆରାମରେ ଶୋଇଥିଲି, ତୁମ ଆଗରେ ଆନନ୍ଦରେ ମୋ ମୁଣି ଧରି କୌପୁନି ପିନ୍ଧି ବାହାରି ଯିବି। ଟିକିଏ ବି ଫରକ ପଡ଼ିବ ନାହିଁ। ତୁମ ଆତିଥ୍ୟ ବା ସାହଚର୍ଯ୍ୟ ମୋତେ ଟିକିଏ ବି ଛୁଇଁ ନାହିଁ, ଅଥଚ ଯେତିକି ମିଳିଛି ତାକୁ ସାଦରେ ସ୍ବୀକାର କରିଛି। ଏଭଳି ସହଜ ଅସଂପୃକ୍ତି ହିଁ ବୈରାଗ୍ୟ। ଯେଉଁମାନେ ବୈରାଗୀ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ପାଖରେ ବୈରାଗ୍ୟ ପ୍ରଦର୍ଶନର ଆଡ଼ମ୍ବର ଥାଏ।
ଏହା କହି ସାଧୁ ନିର୍ବିକାର ଭାବେ ଚାଲିଗଲେ।
ସୌଜନ୍ୟ-ସମ୍ୱାଦ

Show More
Back to top button