ଓଡିଶାଜିଲ୍ଲା

Naxal banners: ରାୟଗଡ଼ାର ୩ଟି ସ୍ଥାନରେ ନକ୍ସଲ ବ୍ୟାନର୍‌

ରାୟଗଡ଼ା ଜିଲ୍ଲାର ୩ଟି ସ୍ଥାନରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ଲାଗିଥିବା ପୋଷ୍ଟରରେ ମାଓ ସଂଗଠନର ପୂର୍ବ ନେତା ସବ୍ୟସାଚୀ, ଆଜାଦ, ଉଦୟ...

ରାୟଗଡ଼ା/କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲାର ୩ଟି ସ୍ଥାନରେ ଶୁକ୍ରବାର ମାଓ ବ୍ୟାନର ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ପକ୍ଷରୁ ଲାଗିଥିବା ପୋଷ୍ଟରରେ ମାଓ ସଂଗଠନର ପୂର୍ବ ନେତା ସବ୍ୟସାଚୀ, ଆଜାଦ, ଉଦୟ ଓ ନିଖିଲଙ୍କୁ ଟାର୍ଗେଟ୍‌ କରାଯାଇଛି। ଏହି ମାଓ ନେତା ଆଦିବାସୀ ହୋଇନଥିଲେ ମଧ୍ୟ ନକ୍ସଲ ସଂଗଠନରେ ଆଦିବାସୀଙ୍କୁ ରଖି ଅତ୍ୟାଚାର କରୁଥିଲେ ବୋଲି ବ୍ୟାନରରେ ଉ‌ଲ୍ଲେଖ ରହିଛି।

ରାୟଗଡ଼ା ବ୍ଲକ୍‌ ଶେଷଖାଲ ଥାନା ଅନ୍ତର୍ଗତ ଧୁମାଗୁଡ଼ା, କଲ୍ୟାଣସିଂହପୁର ବ୍ଲକ୍‌ ବୁଡ଼ାଗୁଡ଼ା ପଞ୍ଚାୟତର କୁମାରଗୁଡ଼ା ଛକ ଓ କୋଲନରା ବ୍ଲକ୍‌ ପାଇକପଡ଼ା ଶିବ ମନ୍ଦିର ସମ୍ମୁଖରେ ମାଓ ବ୍ୟାନର୍‌ ଲାଗିଥିବା ଦେଖି ଲୋକେ ପୁଲିସକୁ ସୂଚନା ଦେଇଥିଲେ। ବ୍ୟାନର ଠାବ ହେବା ପରେ ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଓ ତଲାସି ଅଭିଯାନକୁ କଡ଼ାକଡ଼ି କରାଯାଇଛି। ଫେବ୍ରୁଆରି ୫ ତାରିଖରେ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନ୍‌ର ମାଓ ନେତା ନିଖିଲ, ପତ୍ନୀ ଇନ୍ଦୁଙ୍କ ସମେତ ୧୫ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହା ପରେ ଜିଲ୍ଲାରେ ମାଓ ସଂଗଠନ ଦୁର୍ବଳ ହୋଇ ଯାଇଥିବା ପୁଲିସ ଅନୁମାନ କରିଥିଲା। କିନ୍ତୁ ଆଜି ୩ଟି ସ୍ଥାନରୁ ମାଓ ବ୍ୟାନର ଜବତ ହେବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ପୋଷ୍ଟରରେ ପୂର୍ବ ମାଓ ନେତା ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଆଦିବାସୀଙ୍କ ଉପରେ ଯେଉଁ ଅତ୍ୟାଚାର କରିଛନ୍ତି ତାହାର ଜବାବ ଦେବାକୁ ସିପିଆଇ ମାଓ ସଂଗଠନ ପ୍ରସ୍ତୁତ ଥିବା ନେଇ କେବିକେ ଡିଭିଜନ୍‌ ରାଜ୍ୟ ସଂପାଦକ ମେଘ ଜାନି ଓ ଡମ୍ବାଇ ମାଝୀ ଚେତାବନୀ ଦେଇଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନିକୁ ପ୍ରୋତ୍ସାହନ ନ ଦେବା ସହିତ ଆଦିବାସୀ ଶୋଷଣ ନୀତି ବନ୍ଦ କରିବାକୁ ବ୍ୟାନରରେ ଉଲ୍ଲେଖ ଅଛି। ମାଓ ବ୍ୟାନରକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା କିମ୍ବା ଆଖପାଖ ଜିଲ୍ଲାରେ କେବିକେ ଡିଭିଜନ୍‌ ନାମରେ କୌଣସି ମାଓ ସଂଗଠନ କାର୍ଯ୍ୟ କରୁଥିବାର ରେକର୍ଡ ନଥିବାରୁ ବ୍ୟାନରକୁ ସନ୍ଦେହଜନକ କହିଛି ପୁଲିସ। ଅନ୍ୟପକ୍ଷରେ ଗିରଫ ହୋଇଥିବା କିମ୍ବା ଆତ୍ମସମର୍ପଣ କରିଥିବା ମାଓନେତାଙ୍କ ବିରୋଧରେ ଏଭଳି ଲେଖା ସମ୍ପର୍କିତ ବ୍ୟାନରକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଅତିରିକ୍ତ ଏସ୍‌ପି ଅମୂଲ୍ୟ ଧର କହିଛନ୍ତି, ସନ୍ଦେହଜନକ ବ୍ୟାନରକୁ ନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି। ୩ଟି ଥାନାରେ ମାମଲା ରୁଜୁ ହୋଇଛି। ନକଲି ବ୍ୟାନର ଲଗାଇ ବିଭ୍ରାନ୍ତ ସୃଷ୍ଟି କରୁଥିବା ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ୟାନରକୁ ନେଇ ଜନସାଧାରଣ ଭୟଭୀତ ନହେବା ପାଇଁ ପୁଲିସ କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button