NEET: ନିଟ୍ ପରୀକ୍ଷା ପୂର୍ବରୁ ବୌଦ୍ଧଧର୍ମ ଗ୍ରହଣକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍କୋର୍ଟ
ସଂଖ୍ୟାଲଘୁ ସୁବିଧା ପାଇବା ପାଇଁ ନିଟ୍ ପରୀକ୍ଷା ପୂର୍ବରୁ ହରିୟାଣାର ଏକ ପରିବାର ବୌଦ୍ଧଧର୍ମ ଗ୍ରହଣ କରିଥିବାରୁ ଗୁରୁବାର ସୁପ୍ରିମ୍କୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ ପ୍ରସଙ୍ଗରେ ହରିୟାଣା ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ସୁବିଧା ପାଇବା ପାଇଁ ନିଟ୍ ପରୀକ୍ଷା ପୂର୍ବରୁ ହରିୟାଣାର ଏକ ପରିବାର ବୌଦ୍ଧଧର୍ମ ଗ୍ରହଣ କରିଥିବାରୁ ଗୁରୁବାର ସୁପ୍ରିମ୍କୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ ପ୍ରସଙ୍ଗରେ ହରିୟାଣା ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ଉଦ୍ୟମକୁ ତୀବ୍ର ସମାଲୋଚନା କରିବା ସହ ପରିବାରର ଉଦ୍ଦେଶ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସିଜେଆଇ ଏହାକୁ ଏକ ପ୍ରକାର ଜାଲିଆତି ବୋଲି କହିଛନ୍ତି।
ଏହି ମାମଲା ହରିୟାଣା ହିସାରର ଜାଠ ପରିବାର କ୍ରିଷ୍ଣା ପୁନିଆଙ୍କ ସନ୍ତାନ ନିତିନ ପୁନିଆ ଓ ଏକତା ପୁନିଆଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନ ସହ ଜଡିତ। ସେମାନଙ୍କ ଆବେଦନ ଅନୁଯାୟୀ, ସେମାନେ ଉତ୍ତରପ୍ରଦେଶର ସୁଭାରତୀ ବିଶ୍ୱବିଦ୍ୟାଳୟର ସୁଭାରତୀ ମେଡିକାଲ୍ କଲେଜରେ ବୌଦ୍ଧ ସଂଖ୍ୟାଲଘୁ କୋଟା ଅଧୀନରେ ନାମ ଲେଖାଇବାକୁ ମନୋନୀତ ହୋଇଥିଲେ, କିନ୍ତୁ ସେମାନେ ସଫଳତାର ସହ ନିଟ୍-ପିଜି ପାଠ୍ୟକ୍ରମରେ ନାମ ଲେଖାଇପାରି ନ ଥିଲେ।
ଆବେଦନକାରୀମାନେ ହିସାରର ସବ୍-ଡିଭିଜନାଲ୍ ଅଫିସର (ସିଭିଲ୍) ଦ୍ୱାରା ଦିଆଯାଇଥିବା ବୌଦ୍ଧ ସଂଖ୍ୟାଲଘୁ ପ୍ରମାଣପତ୍ର ପାଇଥିଲେ, ଯାହା ସେମାନଙ୍କୁ କଲେଜରେ ନାମ ଲେଖାଇବାରେ ସାହାଯ୍ୟ କରିଥିଲା। ତେବେ, ଉତ୍ତରପ୍ରଦେଶ ସରକାର ୨୦୧୬ର ଏକ ବିଜ୍ଞପ୍ତି ମାଧ୍ୟମରେ ସଂଖ୍ୟାଲଘୁ ମାନ୍ୟତା ଦାବି କରୁଥିବା ଅନୁଷ୍ଠାନଗୁଡିକ ଜାତୀୟ ସଂଖ୍ୟାଲଘୁ ଆୟୋଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିଲେ ମଧ୍ୟ ଉତ୍ତରପ୍ରଦେଶ ରାଜ୍ୟରୁ ମଧ୍ୟ ସ୍ୱୀକୃତି ପାଇବାର ଆବଶ୍ୟକତା ଦର୍ଶାଇଛନ୍ତି। ଉତ୍ତରପ୍ରଦେଶ ରାଜ୍ୟ ଏପରି ସ୍ୱୀକୃତି ଦେବାକୁ ମନା କରିଦେଇଥିଲା, ଯଦିଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଥିଲା।
ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ଏକ କଠୋର ମୌଖିକ ମନ୍ତବ୍ୟ ଦେଇ ପରିବାରର ଏହି ଆଚରଣକୁ ଏକ ପ୍ରକାର ବିଶ୍ୱାସଘାତକତା ବୋଲି ବର୍ଣ୍ଣନା କରିଥିଲେ। ଆପଣ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ନେବାକୁ ଚାହୁଛନ୍ତି। ଆପଣ ଦେଶର ସବୁଠାରୁ ଧନୀ ସ୍ଥାନରୁ ଆସିଛନ୍ତି। ଆପଣ ନିଜ ସାମର୍ଥ୍ୟ ଉପରେ ଗର୍ବ କରିବା ଉଚିତ। ଏହା ଅନ୍ୟ ଏକ ପ୍ରକାର ପ୍ରତାରଣା। ଆମକୁ ଅଧିକ ମନ୍ତବ୍ୟ ଦେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ପ୍ରଧାନ ବିଚାରପତି ଏହି ଆବେଦନକୁ ଖାରଜ କରି କହିଛନ୍ତି। ଜଷ୍ଟିସ୍ ବାଗଚୀ କହିଛନ୍ତି, ପରୀକ୍ଷା ପୂର୍ବରୁ ବୌଦ୍ଧ ଧର୍ମାବଲମ୍ବୀ ହୋଇଥିଲେ କି? ଜିଲ୍ଲା ପ୍ରଶାସନର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ହିସାରର ସବ୍-ଡିଭିଜନାଲ୍ ଅଫିସର ଏପରି ପ୍ରମାଣପତ୍ର କିପରି ପ୍ରଦାନ କଲେ?
କୋର୍ଟ କହିଛନ୍ତି ଯେ, ଆବେଦନ କରିବା ସମୟରେ ପ୍ରାର୍ଥୀମାନେ ନିଜକୁ ସାଧାରଣ ବର୍ଗର ବୋଲି ଘୋଷଣା କରିଥିଲେ ଏବଂ ସେମାନେ ଜନ୍ମରୁ ସାଧାରଣ ବର୍ଗର ବୋଲି ନିଶ୍ଚିତ କରିଥିଲେ। ଖଣ୍ଡପୀଠ ଆହୁରି କହିଛନ୍ତି ଯେ ପ୍ରାର୍ଥୀମାନେ ନିଟ୍ ୨୦୨୫ ପରୀକ୍ଷା ଦେଉଥିବା ସମୟରେ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା, ଯଦିଓ ସେମାନେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)ର ନୁହନ୍ତି। ଉତ୍ତରଦାୟିତ୍ୱ ସ୍ଥିର କରିବା ପାଇଁ କୋର୍ଟ ହରିୟାଣାର ମୁଖ୍ୟ ସଚିବଙ୍କୁ ରାଜ୍ୟରେ ସଂଖ୍ୟାଲଘୁ ପ୍ରମାଣପତ୍ର ପ୍ରଦାନ ନେଇ ଥିବା ନିର୍ଦ୍ଦେଶାବଳୀ ଉପରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ଆଧାରରେ ସାଧାରଣ ବର୍ଗର ପ୍ରାର୍ଥୀ, ଯେଉଁମାନେ ଦୁର୍ବଳ ବର୍ଗର ନୁହନ୍ତି ଏବଂ ଯେଉଁମାନେ ନିଜକୁ ସାଧାରଣ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି, ସେମାନଙ୍କୁ ବୌଦ୍ଧ ସମ୍ପ୍ରଦାୟର ବୋଲି ବିବେଚନା କରାଯାଇପାରିବ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ସୌଜନ୍ୟ ସମ୍ବାଦ




