Breaking News

ମୁନ୍ନାଭାଇ ଷ୍ଟାଇଲରେ ଦେଉଥିଲେ ନିଟ୍ ପରୀକ୍ଷା, ୪ ଜଣ ଏମ୍ସ ଛାତ୍ରଙ୍କୁ ଗିରଫ କଲା ପୋଲିସ

ଅନ୍ୟ ପିଲାଙ୍କ ପାଇଁ ଦେଉଥିଲେ ପରୀକ୍ଷା

ଦିଲ୍ଲୀ: ମୁନ୍ନାଭାଇ ଷ୍ଟାଇଲରେ ଚାଲିଥିଲା ନିଟ୍ ପରୀକ୍ଷାରେ ଠକେଇ । ଜଣକ ପାଇଁ ଆଉ ଜଣେ ଦେଉଥିଲେ ପରୀକ୍ଷା । ଏପରି ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୋଲିସ ଧରିବା ସହିତ ୪ ଜଣ ଏମ୍ସ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି । ତେବେ ମିଳିଥିବା ସୂଚନା ମୁତାବକ, ଏମ୍ସ ବିଏସସି (ରେଡିଓଲୋଜି, ଦ୍ୱିତୀୟ ବର୍ଷ) ଛାତ୍ର ନରେଶ ବିଶ୍ନୋଇ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଯିଏକି ପ୍ରଥମ ବର୍ଷ ଛାତ୍ରଙ୍କୁ କହି ଏପରି କାମ କରୁଥିଲା ।

କିଛି ଦିନ ତଳେ ସାରା ଦେଶରେ ନିଟ୍ ପରୀକ୍ଷା ହେଇଥିଲା । ଯେଉଁଥିରେ କି ଅନ୍ୟ ଛାତ୍ରଙ୍କ ପାଇଁ ପରୀକ୍ଷା ଦେଇଥିଲେ ଏମ୍ସର କିଛି ପ୍ରଥମ ବର୍ଷର ଛାତ୍ର । ତେବେ ତିନୋଟି ସ୍ଥାନରେ ଏପରି ହେଇଥିବା ନଜରକୁ ଆସିଛି । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପରୀକ୍ଷା ଦେଇଥିବା ଛାତ୍ରଙ୍କୁ ଗିରଫ କରିଛି ।

ପୋଲିସ ନରେଶ ବିଶ୍ନୋକୁ ସୋମବାର ସକାଳେ ହିଁ ଗିରଫ କରିଥିଲା । ନିଜର ଦ୍ୱିତୀୟ ବର୍ଷ ପରୀକ୍ଷା ଦେଉଥିବା ସମୟରେ ପୋଲିସ ତାକୁ ଗିରଫ କରିଛି । ଏହାସହିତ ରେଡିଓଲୋଜି ବିଭାଗର ପ୍ରଥମ ବର୍ଷ ଛାତ୍ର ସଞ୍ଜୁ ଯାଦବଙ୍କୁ ମଧ୍ୟ ଗିରଫ କରାଯାଇଛି । ଅନ୍ୟ ଜଣକ ପାଇଁ ପରୀକ୍ଷା ଦେବା ସମୟରେ ତାକୁ ଗିରଫ କରାଯାଇଛି । ସେହିପରି ନାଗପୁରରେ ଅନ୍ୟ ଜଣକ ପାଇଁ ପରୀକ୍ଷା ଦେଉଥିବା ସମୟରେ ଏମ୍ସ ଛାତ୍ର ଜିତେନ୍ଦ୍ରକୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଦ୍ୱାରା ସେ ଗିରଫ ହେଇଛନ୍ତି ।

ପୋଲିସ ଦ୍ୱାରା ପଚରାଉଚୁରା ପରେ ଜଣାପଡିଛି ଯେ, ଏହି ଛାତ୍ରମାନେ ନରେଶ ବିଶ୍ନୋଇଙ୍କ କଥାରେ ପଡି ଅନ୍ୟ ପାଇଁ ପରୀକ୍ଷା ଦେଉଥିଲେ । ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମିଳିବ ବୋଲି ଲୋଭ ଦେଖାଯାଇଥିଲା । ମିଳିଥିବା ସୂଚନା ମୁତାବକ ଯେଉଁ ଛାତ୍ରମାନେ ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିଲେ, ସେମାନଙ୍କୁ ନରେଶ ୭ ଲକ୍ଷ ଟଙ୍କାଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ପୋଲିସ ଏହି ଘଟଣା ବିଷୟରେ ଜାଣିବା ପରେ ତୁରନ୍ତ ଏହି ଛାତ୍ରମାନଙ୍କ ସହ ନରେଶକୁ ଗିରଫ କରିଛି ।

Comments are closed.