ଓଡିଶାଜିଲ୍ଲା

Neglected ancient: ପ୍ରାଚୁର୍ଯ୍ୟର ଅଞ୍ଚଳରେ ଅବହେଳିତ ପ୍ରାଚୀନ ଜନଜାତି

ଖଣି, ପାଣି, କାରଖାନା ଯାହାକୁ ଯେତେ। ମାଟି ତଳେ ପ୍ରାଚୁର୍ଯ୍ୟର ଭଣ୍ଡାର। ଜିଲ୍ଲା ଖଣିଜ ପାଣ୍ଠିରେ ଟଙ୍କାର ଅଭାବ ମଧ୍ୟ ନାହିଁ। ତଥାପି ଏହି ଜିଲ୍ଲାରେ ରହିଛି ଏମିତି ଅଞ୍ଚଳ, ଯେଉଁଠି ପାଣି ପାଇଁ....

ଅନୁଗୁଳ: ଖଣି, ପାଣି, କାରଖାନା ଯାହାକୁ ଯେତେ। ମାଟି ତଳେ ପ୍ରାଚୁର୍ଯ୍ୟର ଭଣ୍ଡାର। ଜିଲ୍ଲା ଖଣିଜ ପାଣ୍ଠିରେ ଟଙ୍କାର ଅଭାବ ମଧ୍ୟ ନାହିଁ। ତଥାପି ଏହି ଜିଲ୍ଲାରେ ରହିଛି ଏମିତି ଅଞ୍ଚଳ, ଯେଉଁଠି ପାଣି ପାଇଁ ମହିଳାଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼େ। ପାଠ ପଢ଼ିବା ପାଇଁ କୁନି ପିଲାଙ୍କୁ ଲମ୍ବା ବାଟ ଅତିକ୍ରମ କରିବାକୁ ହୁଏ। ବିଶୁଦ୍ଧ ପାଣି, ପ୍ରାଥମିକ ଶିକ୍ଷା, ବିଦ୍ୟୁତ୍‌, ମୋବାଇଲ୍‌, ସ୍ବାସ୍ଥ୍ୟସେବା, ଗମନାଗମନ ତଥା ଅନ୍ୟାନ୍ୟ ସରକାରୀ ସୁବିଧା ସେମାନଙ୍କ ଲାଗି ଅପହଞ୍ଚ। ସରକାର ଅନୁସୂଚିତ ଜନଜାତି ତଥା ପଛୁଆବର୍ଗର ଲୋକଙ୍କ ଉନ୍ନତି କଥା କହୁଥିବା ବେଳେ ପ୍ରାୟ ୯୫ ପ୍ରତିଶତ ପାଉଡ଼ି ଭୂୟାଁ ସଂପ୍ରଦାୟର ଲୋକ ବାସ କରୁଥିବା ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ ନଗିରା ଓ ବରଡିହ ପଞ୍ଚାୟତରେ ଏବେ ବି ବିକାଶ ବହୁ ପଛରେ।

କଳାହୀରାର ସହର ତାଳଚେରରୁ ଖନନ ହେଉଥିବା କୋଇଲାର ଚାହିଦା ସମଗ୍ର ବିଶ୍ବରେ ରହିଛି। ଏବେ କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରୁ ମଧ୍ୟ କୋଇଲା ଉତ୍ତୋଳନ ହେଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମ୍‌ସିଏଲ୍‌ ବ୍ୟତୀତ ଏହି ଜିଲ୍ଲାରେ ରହିଛି ଏନ୍‌ଟିପିସି, ନାଲ୍‌କୋ ପରି କେନ୍ଦ୍ର ସରକାରଙ୍କ ବୃହତ୍‌ ଶିଳ୍ପାନୁଷ୍ଠାନ ଏବଂ ଜିନ୍ଦଲ, ଟାଟା ଭଳି ଏକାଧିକ ପ୍ରତିଷ୍ଠିତ ଘରୋଇ କମ୍ପାନିର ଇସ୍ପାତ ଓ ଅନ୍ୟ ଶିଳ୍ପ କାରଖାନା। ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମରେ ଏହିସବୁ କମ୍ପାନି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରୁଥିବା କାଗଜପତ୍ର କହୁଛି। ଉନ୍ନୟନ କାମରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଟଙ୍କା ବିନିଯୋଗ ହେଉଛି। ତଥାପି ଜିଲ୍ଲା ମୁୁଖ୍ୟାଳୟଠାରୁ ୧୦୦ କିଲୋମିଟର ଦୂରରେ ଥିବା ପାଳଲହଡ଼ା ଓ ସେଠାରୁ ପ୍ରାୟ ୫୦ କିଲୋମିଟର ଦୂର ପାହାଡ଼ ଉପରେ ବାସ କରୁଥିବା ଦୁଇଟି ପଞ୍ଚାୟତ ନଗିରା ଓ ବରଡିହ ବିକାଶର ସ୍ବାଦ ଚାଖି ପାରିନି। ଉଭୟ ପଞ୍ଚାୟତରେ ପ୍ରାୟ ୭୫୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର। ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ସୀମାରେ ଥିବା ଏହି ଦୁଇ ପଞ୍ଚାୟତର ଉନ୍ନତି ଲାଗି ୧୯୭୮ ମସିହାରେ ଜମରଡିହିରେ ସ୍ଥାପିତ ହୋଇଥିଲା ପାଉଡ଼ି ଭୂୟାଁ ଉନ୍ନୟନ ଏଜେନ୍ସି (ପିବିଡିଏ)। ଏହି ଯୋଜନାକୁ ୪୮ ବର୍ଷ ବିତିବାକୁ ଯାଉଛି, ତଥାପି ଉଭୟ ପଞ୍ଚାୟତର ଲୋକ ଅବହେଳିତ। ସବୁଠାରୁ ବଡ଼ କଥା ହେଉଛି ପାନୀୟଜଳ ପରି ସମସ୍ୟା ଦୂର ହୋଇପାରିନି। ପ୍ରାୟ ୨୫ଟି ନଳକୂଅ ଖୋଳା ଯାଇଥିଲେ ହେଁ ସେସବୁ ବର୍ତ୍ତମାନ ଅଚଳ। ରାତି ପାହିଲେ ମହିଳାମାନେ ଗରା, ମାଠିଆ ଧରି ନିକଟସ୍ଥ ନାଳକୁ ଯାଇ ପାଣି ସଂଗ୍ରହ କରନ୍ତି। ଖରାଦିନେ ଏହି ସମସ୍ୟା ବଢ଼ିଯାଏ। ଚୁଆ ଖୋଳିଲେ ଆଞ୍ଜୁଳାଏ ପାଣି ମିଳିଥାଏ। ପାଠପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଇଚ୍ଛାଥିଲେ ମଧ୍ୟ ଏଠାରେ ସେ ସୁବିଧା ନାହିଁ। ପ୍ରାଥମିକ ଶିକ୍ଷା ଲାଗି ୧୫ କିଲୋମିଟରରୁ ଅଧିକ ଦୂର ପାହାଡ଼ ତଳକୁ ଆସିବାକୁ ହୋଇଥାଏ। ଘର ଓ ପରିବାରକୁ ଛାଡ଼ି ସେବାଶ୍ରମରେ ରହିବାକୁ ହୁଏ। ଛାତ୍ରାବାସରେ ମଧ୍ୟ ସମସ୍ୟାର ଅନ୍ତ ହୁଏନି। ରାତିରେ କେବେ ବିଦ୍ୟୁତ୍‌ ଅଲୁଅ ଜଳେନି। ଉଚ୍ଚଶିକ୍ଷା ଲାଗି ଆଶା ରଖିଥିବା ପିଲାମାନଙ୍କୁ ପଡ଼ୋଶୀ କେନ୍ଦୁଝର ଜିଲ୍ଲାକୁ ଯିବାକୁ ହୋଇଥାଏ। ଏକ ମାତ୍ର ଆୟୁଷ ଡାକ୍ତରଖାନା ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ିଥାଏ।

ଯାତାୟାତ ଲାଗି ପକ୍କାରାସ୍ତା  ମଧ୍ୟ ହୋଇପାରିନି। ରୁଗୁଡ଼ିଡିହରୁ ନଗିରା ପ୍ରାୟ ୮ କି‌ଲୋମିଟର ଘାଟି ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ତ। ଛୋଟ ପିଲା ଓ ଗର୍ଭବତୀଙ୍କୁ ସବୁ ସମୟରେ ପୁଷ୍ଟିକର ଖାଦ୍ୟ ମିଳିବା ସମ୍ଭବ ହେଉନି। ରୋଜଗାରର କୌଣସି ମାଧ୍ୟମ ନାହିଁ। ବାହାରକୁ ଯାଇ ମୂଲମଜୁରି ଲାଗିଲେ ସେମାନଙ୍କ ପରିବାରରେ ଚୁଲି ଜଳେ। ମୋବାଇଲ୍‌ ସେବା ଟିକକ ପାଇଁ ମଞ୍ଚା କିମ୍ବା ଗଛ ଚଢ଼ିବାକୁ ପଡ଼ୁଛି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି ଯେ ଗାଁଗୁଡ଼ିକର ଉନ୍ନତି ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button