Breaking News

ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ମୋହର, ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୯ଟି ପ୍ରସ୍ତାବରେ ମୋହର ବାଜିଛି। ବିଶେଷ କରି ଆଜି ରାଜ୍ୟ କ୍ୟାବିନେଟ ‘ଆମ ଗାଁ, ଆମ ବିକାଶ’ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଆମ ଓଡିଶା ନବୀନ ଓଡିଶା ନାମରେ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ।

ପଂଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କର ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗକୁ ପ୍ରେରଣ କରାଯିବ। ସେହିପରି ବିଦ୍ୟୁତ ବିତରଣ ଭିତ୍ତିଭୂମି ସୁଦୃଢ ସହ ପୁରୁଣା ଓ କ୍ଷତିଗ୍ରସ୍ତ ବିଦ୍ୟୁତ ତାର ପରିବର୍ତ୍ତନ, ନୂତନ ୩୩ କେଭି ଓ ୧୧ କେଭି ଲାଇନ ନିର୍ମାଣ ପାଇଁ ୩୮୪୩ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି।

ବଲାଙ୍ଗିରର ରାଜେନ୍ଦ୍ର କଲେଜକୁ ୮ ଏକର ୬୯୩ ଡ଼ିସିମିଲ ଜମି ମାଗଣାରେ ଯୋଗାଇଦିଆଯିବ। ସେହିପରି କୋରାପୁଟ ଜିଲ୍ଲାର ଲମତାପୁଟ ଡିଗ୍ରୀ ମହାବିଦ୍ୟାଳୟର କୋଠା ନିର୍ମାଣ ନିମନ୍ତେ ୫ ଏକର ଜମି ବିନା ପ୍ରିମିୟମରେ ଯୋଗାଇଦିଆଯିବ। କେନ୍ଦ୍ରାପଡ଼ାର ଖରସ୍ରୋତାରେ ନୂଆବଜାର ଓ ବାଲିତରା ଘାଟ ମଧ୍ୟରେ ହେବାକୁ ଥିବା ପୋଲକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୯୭ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟବରାଦକୁ ମଞ୍ଜୁରୀ ଦିଆଯାଇଛି।

Comments are closed.