New Year 2026, Jay Jagannath: ମଣିମା ! ନୂଆବର୍ଷ ଏ ଜଗତ ପାଇଁ ମଙ୍ଗଳମୟ ହେଉ, ଛବିଶ କାହା ପାଇଁ ଛଳନା କି ଛଳଛଳ ନହେଉ…

ଭୁବନେଶ୍ବର: ବର୍ଷ ୨୦୨୫ କାହା ପାଇଁ କେମିତି ଗଲା ସେମାନେ ହିଁ କହିପାରିବେ । ପୁରୁଣା ବର୍ଷର କଥାବ୍ୟଥା ମନେପକାଇ ଆଉ କି ଅବା ଲାଭ । ବାସ୍ ପୁରୁଣାର ବର୍ଷର କ୍ଷତ, ପୁରୁଣା ବର୍ଷର ଅଧୁରା କାମକୁ ପୂରା କରିବା ଏବଂ ଠକିଥିବା ଘଟଣାରୁ ଶିକ୍ଷା ଗ୍ରହଣ କରି ଆଗାମୀ କାଲିକୁ ମଜବୁତ କରିବା ହିଁ ନୂଆବର୍ଷର ସବୁଠୁ ଶ୍ରେଷ୍ଠ ନିଷ୍ପତ୍ତି । ନୂଆବର୍ଷ ନୂଆ ସଂକଳ୍ପ, ନୂଆ ଆଶା ନେଇ ଆଗାଉ ଥିବା ବେଳେ ମହାପ୍ରଭୁଙ୍କ ସ୍ମରଣ କରି ଅନେକ ଲୋକ ନିଜର ନୂଆ କାମ ଆରମ୍ଭ କରିଛନ୍ତି ଆଉ ମଣିମାଙ୍କ ପାଦପଦ୍ମରେ ଗୁହାରୀ କରି ଏତିକି କହିଛନ୍ତି ଯେ- ପ୍ରଭୁ ଯାହା ହେଲା ହେଲା, ୨୫ ପରି ୨୬ ନଖେଳୁ ଛଳନାର ଛକିଶୂନ ଖେଳ… କି କାହା ପାଇଁ ଛଳଛଳ ନହେଉ ଛବିଶ ।

କାଳିଆରେ ତୁ ପରା କଷ୍ଟ ଲାଘବ କରୁ… ଏଥର ଅନୁରୋଧ ଟେ ରଖିବୁ?? ରାସ୍ତାରେ କାହାର ଦୁର୍ଘଟଣା ନ ଘଟୁ । ଅସାବଧାନତା ପୂର୍ବରୁ ତୁ ଆଖି ଖୋଲିଦେ ଯେମିତି କାହାର ଘର ନ ଉଜୁଡ଼ି ଯାଉ । କାରଣ ମାଆର କୋଳରୁ ପୁଅ, ସ୍ତ୍ରୀ ମଥାରୁ ସିନ୍ଦୂର ଲିଭିଗଲେ ତୋ ସ୍ବର୍ଗଦ୍ବାର ଶେଷ ଠିକଣା ହୋଇଯିବ ସତ କିନ୍ତୁ ତାଙ୍କୁ ହରାଇଥିବା ପରିବାର ସେ ଜୀବନ ଜୁଇର ଯନ୍ତ୍ରଣାରେ ସବୁଦିନ ଜଳି ଜଳି ବଞ୍ଚିବେ ତୁ କ’ଣ ଦେଖିପାରିବୁ?

ହେ ମହାପ୍ରଭୁ…ଏ ନୂଆବର୍ଷରେ ଆମକୁ ଭଲ ମଣିଷଟେ କରିଦେ । ତୁ ଯେମିତି ଅନ୍ୟର ଦୁଃଖ ଦେଖି ଆଖି ଓଦା କରିଦେଉ ଆଉ ଦୁଇ ବାହୁ ମେଲାଇ କଷ୍ଟ କାଢ଼ିନେଉ । ଠିକ୍ ସେମିତି ଏ ମଣିଷ ମନର ମଲାଟରେ ସମ୍ବେଦନଶୀଳ, ସମବେଦନାର ଭାବନା ଭରିଦେରେ ଭାବବିନୋଦିଆ । ଠାକୁରେ ତୁମେ ତ ସର୍ବବ୍ୟାପି ସବୁ ଜାଣିପାରୁଛ, ସବୁ ବର୍ଷ ଭଳି କ୍ୟାଲେଣ୍ଡର ବଦଳୁଛି ହେଲେ ସେ କ୍ୟାଲେଣ୍ଡରରେ କାହାଣୀ ଭାରି କଷ୍ଟ ଦେଇ କଡ଼ ନେଉଟାଉଛି… ଏଥର ଟିକେ ମନକଥା ବୁଝିବୁ ନା, ଏ ଅଧମର ଅନୁରୋଧ ରଖିବୁ ନା?? ନୂଆବର୍ଷ ଏ ଜଗତ ପାଇଁ ମଙ୍ଗଳମୟ ହେଉ ଜୟ ଜଗନ୍ନାଥ… ଜୟ ଜଗନ୍ନାଥ…

ସୌଜନ୍ୟ ସମ୍ବାଦ