ଦେଶ ବିଦେଶ

NewDelhi HighCourt: ପରିବାର ପାଇଁ ବଳିଦାନ ‌ଦେଉଥିବା ସ୍ତ୍ରୀଙ୍କ କଠିନ ପରିଶ୍ରମକୁ ଅଣଦେଖା କରିବା ଭୁଲ୍: ଦିଲ୍ଲୀ ହାଇକୋର୍ଟ

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀଙ୍କୁ ଅଦରକାରୀ ଭାବରେ ଚିହ୍ନିତ କରାଯାଇପାରିବ ନାହିଁ। ଭରଣପୋଷଣ ପ୍ରଦାନ କରିବା ସମୟରେ ତାଙ୍କର ଘରୋଇ କାମକୁ ବିଚାରକୁ ନିଆଯିବା ଉଚିତ।

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଜଣେ ଗୃହିଣୀଙ୍କୁ ଅଦରକାରୀ ଭାବରେ ଚିହ୍ନିତ କରାଯାଇପାରିବ ନାହିଁ। ଭରଣପୋଷଣ ପ୍ରଦାନ କରିବା ସମୟରେ ତାଙ୍କର ଘରୋଇ କାମକୁ ବିଚାରକୁ ନିଆଯିବା ଉଚିତ। ସ୍ୱାମୀ ଓ ସ୍ତ୍ରୀଙ୍କ ସହିତ ଜଡିତ ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଜଣେ ବେରୋଜଗାର ପତ୍ନୀ ଅଦରକାରୀ ନୁହଁନ୍ତି। ତାଙ୍କ କଠିନ ପରିଶ୍ରମକୁ ଅଣଦେଖା କରିବା ଭୁଲ୍।

ସ୍ତ୍ରୀଙ୍କ କାମ ରୋଜଗାରକ୍ଷମ ସ୍ୱାମୀଙ୍କ କ୍ୟାରିୟରରେ ଉତ୍କର୍ଷତା ହାସଲ କରିବାକୁ ସହାୟତା କରିଥାଏ

କୋର୍ଟ କହିଛନ୍ତି, ଘର ଚଳାଇବା, ପିଲାମାନଙ୍କର ଯତ୍ନ ନେବା ଓ ପରିବାର ପ୍ରତିପାଳନ କରିବା ସମସ୍ତ କାର୍ଯ୍ୟ କଷ୍ଟକର। ତେବେ ଏସବୁ ପାଇଁ ସ୍ତ୍ରୀଙ୍କୁ କୌଣସି ମଜୁରୀ ଦିଆଯାଏ ନାହିଁ। ଘରେ ସ୍ତ୍ରୀଙ୍କ କାମ ରୋଜଗାରକ୍ଷମ ସ୍ୱାମୀଙ୍କୁ ତାଙ୍କ କ୍ୟାରିୟରରେ ଉତ୍କର୍ଷତା ହାସଲ କରିବାକୁ ସହାୟତା କରିଥାଏ। ଭରଣପୋଷଣ ବିଚାର କରିବା ସମୟରେ ଏସବୁ କାମକୁ ଅଣଦେଖା କରିବା ଅବାସ୍ତବ ଏବଂ ଅନ୍ୟାୟ ହେବ।

କେବଳ ଜଣେ ମହିଳା ଶିକ୍ଷିତ ଓ ରୋଜଗାର କରିବାକୁ ସକ୍ଷମ ହୋଇଥିବାରୁ ଭରଣପୋଷଣକୁ ଅସ୍ୱୀକାର କରାଯାଇପାରିବ ବୋଲି ବିଚାରକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ରୋଜଗାର କ୍ଷମତା ଓ ପ୍ରକୃତ ରୋଜଗାର ଆଇନ ଅନୁଯାୟୀ ଦୁଇଟି ଭିନ୍ନ ଭିନ୍ନ କଥା। ଏହି ରାୟ ଏକ ମାମଲାରେ ଆସିଥିଲା ​​ଯେଉଁଠାରେ ଏକ ଦମ୍ପତି ୨୦୧୨ ମସିହାରେ ବିବାହ କରିଥିଲେ। ସ୍ୱାମୀ ୨୦୨୦ ମସିହାରେ ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅକୁ ପରିତ୍ୟାଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ମହିଳା ଜଣକ ଶିକ୍ଷିତ ଥିଲେ କିନ୍ତୁ ଚାକିରି ନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହି ନିମ୍ନ ଅଦାଲତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟ ଏହି ଆଦେଶଗୁଡ଼ିକୁ ରଦ୍ଦ କରି ପାରିବାରିକ ହିଂସାରୁ ମହିଳା ସୁରକ୍ଷା ଆଇନ ଅନୁଯାୟୀ ତାଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବିବାହ ପରେ ମହିଳାମାନେ ପ୍ରାୟତଃ ନିଜର କ୍ୟାରିଅର ଛାଡି ଦିଅନ୍ତି

ହାଇକୋର୍ଟ କହିଛନ୍ତି, ଭାରତୀୟ ସମାଜରେ ବିବାହ ପରେ ମହିଳାମାନେ ପ୍ରାୟତଃ ନିଜର କ୍ୟାରିଅର ଛାଡି ଦିଅନ୍ତି। ସ୍ୱାମୀମାନେ ଏହି ବଳିଦାନକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରି ସ୍ତ୍ରୀ ଶିକ୍ଷିତ ହୋଇ ମଧ୍ୟ ରୋଜଗାର କରୁନଥିବା ଦର୍ଶାଇ ଭରଣପୋଷଣ ଦେବାରୁ ରକ୍ଷା ପାଇପାରିବେ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button