Breaking News

କ୍ୟାନ୍‌ସର ସନ୍ଦେହରେ ଘରୁ ବାହାର କରିଦେଲେ ଶାଶୁ ଘର ଲୋକେ, ଜୀବନ ହାରିଦେଲେ ନବବଧୂ

0

ଭୁବନେଶ୍ୱର :ଜୁନ୍‌ ମାସରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା। ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି। ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା’ ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା ସତ୍ତ୍ୱେ ଶାଶୁ ଘର ଲୋକେ ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ମଧ୍ୟସ୍ଥିକୁ ଡାକି ବୋହୂକୁ ସେମାନେ ଆଉ ଘରକୁ ଆଣିବେ ନାହିଁ ବୋଲି ସଫା ସଫା କହି ଦେଇଥିଲେ। ଏ କଥା ନବବଧୂ ଜାଣିବା ପରେ ଭାଇର ଭଡ଼ା ଘରେ ବେକରେ ରଶି ଲଗାଇ ହାରିଦେଲେ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପାରମିତା ସ୍ୱାଇଁ। ତାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଲୁଣିଗାଁରେ। ତାଙ୍କ ବଡ଼ ଭାଇ ପ୍ରିୟବତ ସ୍ୱାଇଁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ଗତ ଜୁନ୍ ୮ ତାରିଖରେ ପ୍ରଜ୍ଞାଙ୍କର ବାହାଘର ହୋଇଥିଲା। ଭୁବନେଶ୍ୱରର ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ବିବାହ ବେଳେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ବିବାହର ମାତ୍ର ୧୨ ଦିନ ଭିତରେ ପ୍ରଜ୍ଞାଙ୍କୁ କ୍ୟାନସର ହୋଇଛି ବୋଲି କହି ତାଙ୍କ ଶାଶୁ ଓ ନଣଦ ନିର୍ଯାତନା ଦେଇଥିଲେ। ଏହା ସହିତ ତାଙ୍କ ଶାଶୁ ଆମକୁ ଫୋନ୍ କରି ତୁମ ଝିଅକୁ ତୁମେ ନେଇ ଯାଅ ବୋଲି କହିଥିଲେ। ଆମ ଭଉଣୀଙ୍କୁ ସେମାନେ ରୋଗୀଣା ବୋଲି କହିଥିଲେ। ଆମେ ଅନ୍ୟ କୌଣସି ଉପାୟ ନପାଇ ଜୁନ୍ ୨୦ ତାରିଖ ଦିନ ପ୍ରଜ୍ଞାଙ୍କୁ ଶାଶୁ ଘରୁ ରସୁଲଗଡ଼ ସ୍ଥିତ ଆମ ଭଡ଼ାଘରକୁ ନେଇ ଆସିଥିଲୁ।
ଏହା ପରେ ଆମେ ପ୍ରଜ୍ଞାଙ୍କୁ ସମ୍ ହସ୍‌ପିଟାଲ୍ ନେଇ ଦନ୍ତ ବିଭାଗରେ ଦେଖାଇଥିଲୁ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି କ୍ୟାନସର ହୋଇନାହିଁ ବୋଲି କହିଲେ। କେବଳ ଦାନ୍ତ କ୍ଷୟ ଘଟୁଛି ବୋଲି କହିବା ସହିତ ଏକ ଛୋଟ ସର୍ଜରୀ କରିଥିଲେ। ତା’ପରେ ପ୍ରଜ୍ଞା ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ। କିନ୍ତୁ ଏହା ମଧ୍ୟରେ ପ୍ରଜ୍ଞାଙ୍କ ଠାରୁ ତାଙ୍କ ଶାଶୁ ଘର ଲୋକେ ଦୂରତା ବଢ଼ାଇ ଦେଇଥିଲେ। ସେମାନେ ପ୍ରଜ୍ଞାଙ୍କ ଫୋନ୍ ଉଠାଉ ନଥିଲେ। ଏମିତିକି ତାଙ୍କ ନମ୍ବରକୁ ବ୍ଲକ୍ ଲିଷ୍ଟରେ ପକାଇ ଦେଇଥିଲେ। ଏଥିଯୋଗୁ ପ୍ରଜ୍ଞା ମାନସିକ ଚାପରେ ଥିଲେ।
କିଛି ଦିନ ତଳେ ପ୍ରଜ୍ଞାଙ୍କ ଶାଶୁ ଘର ଲୋକେ ବାହାଘର ପାଇଁ ମଧ୍ୟସ୍ଥି ସାଜିଥିବା ସୁକାନ୍ତ ସେଠୀଙ୍କୁ ସେମାନଙ୍କ ପଟିଆ ସ୍ଥିତ ଘରକୁ ଡକାଇଥିଲେ। ସେମାନେ ଆଉ ପ୍ରଜ୍ଞାକୁ ଗ୍ରହଣ କରିବେ ନାହିଁ ବୋଲି ତାଙ୍କୁ କହିଥିଲେ। ଏହି ଖବର ପାଇବା ପରେ ପ୍ରଜ୍ଞା ବିଷାଦଗ୍ରସ୍ତ ହୋଇଥିଲେ। ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ସେଥିପାଇଁ ସେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁ ଘର ଲୋକମାନେ ହିଁ ଦାୟୀ ବୋଲି ପ୍ରିୟବତ ସ୍ୱାଇଁ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ, ଗତ ଜୁନ ୮ ତାରିଖରେ ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କ ସହ ପ୍ରଜ୍ଞାଙ୍କ ବାହାଘର ହୋଇଥିଲେ। ଜୁନ୍‌ ୧୮ ତାରିଖରେ ପ୍ରଜ୍ଞାଙ୍କ ଦାନ୍ତରେ ଯନ୍ତ୍ରଣା ହୋଇଥିଲା। ଏହାପରେ ଶାଶୁ ଘର ଲୋକ ତାଙ୍କୁ ଡାକ୍ତରଙ୍କୁ ଦେଖାଇଥିଲେ। ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଥିବା ଡାକ୍ତର କହିଥିଲେ। ପରେ ପ୍ରଜ୍ଞାଙ୍କୁ ନେଇ ଯିବା ପାଇଁ ତାଙ୍କ ବାପ ଘର ଲୋକଙ୍କୁ ଜଣାଇ ଦିଆଯାଇଥିଲା। ଅନ୍ୟ ଏକ ହସ୍ପିଟାଲ୍‌ରେ ପ୍ରଜ୍ଞାଙ୍କ ଚିକିତ୍ସା କରାଯାଇଥିଲା ଓ ସେଥିରୁ ଜଣାପଡ଼ିଥିଲା ତାଙ୍କୁ କ୍ୟାନ୍ସର ହୋଇନାହିଁ। ତାଙ୍କର ଦାନ୍ତ ପୋକ ଖାଇଥିଲା।
ଏହାପରେ ପ୍ରଜ୍ଞାଙ୍କୁ ନେଇ ଯିବା ଲାଗି ପରିବାର ଲୋକେ ତାଙ୍କ ଶାଶୁ ଘର ଲୋକଙ୍କୁ କହିଥିଲେ। ହେଲେ ସେମାନେ ଆଉ ତାଙ୍କୁ ଗ୍ରହଣ କଲେ ନାହିଁ କି ତାଙ୍କ ସହ କୌଣସି ଯୋଗାଯୋଗ ରଖିଲେ ନାହିଁ। ଶାଶୁଘର ଲୋକ ଘରୁ ବାହାର କରି ଦେବା ପରେ ପ୍ରଜ୍ଞା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଛି। ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଛନ୍ତି।

Leave A Reply

Your email address will not be published.