Breaking News

ଓଡ଼ିଶାକୁ ମିଳିଲା ଚତୁର୍ଥ ଜାତୀୟ ଜଳ ପୁରସ୍କାର, ଦେଶର ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ଜିଲା ପୁରସ୍କୃତ

ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ

ଭୁବନେଶ୍ବର: ଜଳସମ୍ପଦ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଓଡ଼ିଶାକୁ ଆଜି ଦେଶର ଦ୍ୱିତୀୟ ଶ୍ରେଷ୍ଠ ରାଜ୍ୟ ଭାବେ ସମ୍ମାନଜନକ ଚତୁର୍ଥ ଜାତୀୟ ଜଳ ପୁରସ୍କାର-୨୦୨୨ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଜଳଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉପ ରାଷ୍ଟ୍ରପତିଙ୍କ ଜଗଦୀପ୍‌ ଧନଖରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହାବ୍ୟତୀତ ଦକ୍ଷ ଜଳସମ୍ପଦ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲା ଭାବେ ବିବେଚିତ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରସ୍କାର ଗ୍ରହଣ କରିଥିଲେ।

ଜଳସମ୍ପଦର ନିରନ୍ତର ବିକାଶ ଓ ପରିଚାଳନା କ୍ଷେତ୍ରରେ ଜଳସମ୍ପଦ ବିଭାଗ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୩.୨ ଲକ୍ଷ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ ସୁବିଧା ସୃଷ୍ଟି କରାଯାଇ ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଜଳ ସୁରକ୍ଷା ଯୋଗାଇ ଦିଆଯାଇଛି । ସ୍ଥାନୀୟ ଅଂଚଳର ଭୌଗୋଳିକ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରାଯାଇ ଦୁଇଟି ପ୍ରମୁଖ ପ୍ରକଳ୍ପ ଯଥା ଲୋୟର ଇନ୍ଦ୍ର ଓ ଉପର ଇନ୍ଦ୍ରାବତୀ ଲିଫ୍ଟ କେନାଲ; ୬୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ, ୨୮୩୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଏବଂ ୨୨,୫୦୦ ଟି ଗଭୀର ନଳକୂଅ ସ୍ଥାପନ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦୀର୍ଘ ଦିନର ସମସ୍ୟାର ସମାଧାନ କରାଯାଇ ୩୨ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦିଆଯାଇଛି।

ସବୁ ବର୍ଗର ଜଳସେଚନ ପ୍ରକଳ୍ପରେ ଜଳ ଆବଣ୍ଟନ ବ୍ୟବସ୍ଥାରେ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥା ଗ୍ରହଣ କରାଯିବା ଦ୍ୱାରା ପ୍ରକଳ୍ପଗୁଡ଼ିକର ଜଳସେଚନ ଦକ୍ଷତା ୨୦% ରୁ ଅଧିକ ବୃଦ୍ଧି ପାଇଛି। ଜଳ ସମ୍ପଦର ସଂରକ୍ଷଣ ପାଇଁ ୧୧,୭୦୦ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ନଦୀରେ ୪୬ଟି ଇନ୍ ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର (ଅନ୍ତଃନଦୀ ଜଳାଶୟ) ନିର୍ମାଣ କାର୍ୟ୍ୟ ହାତକୁ ନିଆଯାଇଛି, ଯଦ୍ଦ୍ୱାରା ୪୯,୬୫୦ ହେକ୍ଟର ମିଟର ଜଳ ସଂରକ୍ଷଣ ହୋଇପାରିବ। ଏହା ବ୍ୟତୀତ ବିଭିନ୍ନ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର ଭୂତଳ ଜଳ ସମ୍ପଦ ମଧ୍ୟ ବୃଦ୍ଧି ପାଇଛି। ୨୦୧୭ରେ ଏହା ୧୫.୫୭ ବିଲିୟନ ଘନମିଟର ଥିବାବେଳେ ୨୦୨୨ରେ ଏହା ୧୭.୭୯ ବିଲିୟନ ଘନମିଟରକୁ ବୃଦ୍ଧି ପାଇଛି। ଏଥି ସହିତ ସମଗ୍ର ରାଜ୍ୟରେ ଜଳଶକ୍ତି ଅଭିଯାନ ଅଧୀନରେ ବ୍ୟାପକ କ୍ଷୁଦ୍ର ଜଳ ସଂରକ୍ଷଣ କାର୍ୟ୍ୟ ହାତକୁ ନିଆଯାଇଛି।
ଏହାବ୍ୟତୀତ ସ୍ୱଚ୍ଛତା ଓ ରୂପାନ୍ତରଣ ଆଣିବା ପାଇଁ ବିଭାଗ ପକ୍ଷରୁ କେତେଗୁଡିଏ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇଛି। ସେଗୁଡ଼ିକ ହେଲା: ଜଳସେଚନ ପରିଚାଳନା, ପ୍ରକଳ୍ପ ତଦାରଖ ଏବଂ ବନ୍ୟା ପୂର୍ବାନୁମାନ ପାଇଁ ଗୋୱାଟର (ୱାଟର ଇଆରପି); କ୍ରୟ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ‘ପ୍ରୋମିଜ୍’ ଆପ୍ଲିକେସନ, ସେଚାଞ୍ଚଳ ଏବଂ ଭାଗିଦାରୀ ଜଳସେଚନ ପରିଚାଳନା କାର୍ଯ୍ୟକଳାପ ଟ୍ରାକିଂ ପାଇଁ ପାଇଁ ଇ-ସିଏଡି ଆପ୍ଲିକେସନ ସଫ୍ଟୱେର, ଏକାଧିକ ଉନେଶ୍ୟରେ ଜଳ ବ୍ୟବହାର ଯୋଜନା କରିବା ପାଇଁ ସମସ୍ତ ଜଳାଶୟକୁ ଅନ୍ତର୍ଭୁକ୍ତ କରାଯାଇ ‘ଆମ ଜଳାଶୟ ପୋର୍ଟାଲ’ର ବ୍ୟବହାର ।

ସେହିଭଳି ଜଳ ସଂପଦ ବିଭାଗର ଯନ୍ତ୍ରୀମାନଙ୍କ ପାଇଁ ଏଚଆରଏମ(ମାନବସମ୍ବଳ ପରିଚାଳନା) ନିମନ୍ତେ ସୁଦୃଢ ଡାଟାବେସ୍ ପିଆଇଏନଏସୱାଇଏସ୍ (ପିନସିସ) ପ୍ରସ୍ତୁତ କରାଯାଇଛି। ସେହିଭଳି ‘ୱାଟରଡକ୍ସ’ ହେଉଛି ଏକ ୱେବ ସକ୍ଷମ ଇଣ୍ଟରଫେସ୍ ଯାହା ବିଭାଗର ଦସ୍ତାବିଜ ଏବଂ ପୁରୁଣା ପ୍ରଚଳିତ ତଥ୍ୟକୁ ଡିଜିଟାଲ ଆକାରରେ ସଂରକ୍ଷଣ କରି ସରକାରୀ ଉଦ୍ଦେଶ୍ୟ ଓ ଉପଭୋକ୍ତା ଆଦିଙ୍କ ପାଇଁ ଉପଲବ୍ଧ ହେବା ପାଇଁ ଉଦ୍ଦିଷ୍ଟ। ସବୁ ବର୍ଗର ଜଳସେଚନ ପ୍ରକଳ୍ପର ବିତରଣ ପାଇଁ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥା ଗ୍ରହଣ କରାଯାଇ ପ୍ରକଳ୍ପଗୁଡ଼ିକର ଜଳସେଚନ ଦକ୍ଷତା ୨୦% ରୁ ଅଧିକ ବୃଦ୍ଧି କରାଯାଇଛି। ଜଳ ପରିଚାଳନାରେ ପାଣି ପଞ୍ଚାୟତ ଓ ଜଳ ପରିଚାଳନାରେ ମହିଳାମାନଙ୍କ ସଂପୃକ୍ତି ମଧ୍ୟ ବିଭାଗର ସଫଳତାର ଚାବିକାଠି।

Comments are closed.