Breaking News

ସୁଶାସନ ଓ ରୂପାନ୍ତରଣର ପ୍ରତ୍ୟେକ କ୍ଷେତ୍ରରେ ଗୁଣବତ୍ତାକୁ ପ୍ରାଧାନ୍ୟ

ଓଡିଶା ଗୁଣବତ୍ତା ସଂକଳ୍ପ ସମାରୋହ

ଭୁବନେଶ୍ୱର: ଓଡିଶା ଗୁଣବତ୍ତା ସଂକଳ୍ପ ସମାରୋହ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏକ ତାରକା ହୋଟେଲରେ କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ ତରଫରୁ ଆୟୋଜିତ ଏହି ସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନ ଉତ୍ସବରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗୁଣବତ୍ତା ପରିଷଦର ଅଧ୍ୟକ୍ଷ ଯକ୍ଷ ଶାହା, ନ୍ୟାସନାଲ ଆକ୍ରେଡିଟେସନ୍ ବୋର୍ଡ ଫର ହସପିଟାଲ ଆଣ୍ଡ ହେଲଥ କେୟାର ପ୍ରୋଭାଇଡର୍ସ (ଏନଏବିଏଚ)ର ଅଧ୍ୟକ୍ଷ ଡା. ମହେଶ ଶର୍ମା, ଜାତୀୟ ଗୁଣବତ୍ତା ପ୍ରମୋସନ ବୋର୍ଡର ଅଧ୍ୟକ୍ଷ ବିପିନ ସୋନ୍ଧି, କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ମହା ସଚିବ ଆରପି. ସିଂ ଯୋଗଦେଇଥିଲେ।

ବିଭିନ୍ନ ଦ୍ରବ୍ୟ ଓ ସେବାରେ ଗୁଣବତ୍ତା ବଜାୟ ରଖିବାରେ ନାଗରିକ ସମୂହ ଓ ଜନସାଧାରଣ ତୃଣମୂଳ ସ୍ତରରେ ସଚେତନ ହେବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ୟ୍ୟକ୍ରମର ଅପରାହ୍ଣ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଗୁଣବତ୍ତା ସଂକଳ୍ପ ସମାରୋହ ପରିପ୍ରେକ୍ଷୀରେ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, “୫-ଟି” ଉପକ୍ରମ ଆଧାରରେ ବିଭିନ୍ନ ରୂପାନ୍ତରଣ କାର୍ୟ୍ୟ, ଭିତ୍ତିଭୂମି ନିର୍ମାଣ, ଲୋକମାନଙ୍କୁ ବିଭିନ୍ନ ସେବା ପ୍ରଦାନ, ଦକ୍ଷତା ବିକାଶ, ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନରେ ପାନୀୟ ଜଳ ଯୋଗାଣ, ଆଦି ସବୁଥିରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ନୂଆ ଏବଂ ସଶକ୍ତ ଓଡିଶା ଗଠନରେ ଗୁଣବତ୍ତାକୁ ପ୍ରମୁଖ ଆଧାର କରିବାକୁ ପ୍ରତ୍ୟେକ ଓଡିଶାବାସୀକୁ ମୁଖ୍ୟମନ୍ତୀ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ।

ଉଦଘାଟନୀ ଅଧିବେଶନରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଓଡିଶାରେ ସୁଶାସନ ଓ ରୂପାନ୍ତରଣରେ ଗୁଣବତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ଆଦି ଠାରୁ ଆରମ୍ଭ କରି ବିକାଶର ବିଭିନ୍ନ କ୍ଷେତ୍ରରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇ ରୂପାନ୍ତରଣ କରାଯାଉଛି। ସରକାର ଓ ସୁଶାସନ ପାଇଁ ଗୁଣବତ୍ତାର ଏକାନ୍ତ ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପ୍ରକାଶ କରିବା ସହିତ ଏହା ବଜାୟ ରଖିବାରେ ରାଜ୍ୟ ସରକାର ସର୍ବଦା ପ୍ରୟାସ ଜାରି ରଖିବେ ବୋଲି ସେ ପ୍ରକାଶ କରିଥିଲେ।

ବିଭିନ୍ନ ଅଧିବେଶନରେ ଓଡିଶାର ସାଂସ୍କତିକ ଐତିହ୍ୟର ସୁରକ୍ଷା, ଏକ ସୁଦୃଢ଼ ସ୍ୱାସ୍ଥ୍ୟ ସେବା ସହ ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ, ଗୁଣାତ୍ମକ ଉତ୍ପାଦନ ଓ ସେବା ଯୋଗାଣକ୍ଷେତ୍ରରେ ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟରେ ପରିଣତ କରିବା, ପରିବର୍ତ୍ତିତ ବିଶ୍ୱ ପାଇଁ ଦକ୍ଷତା ବିକାଶ କରି ଶିକ୍ଷାର ଅଗ୍ରଗତି ସଂପର୍କରେ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଡାକ୍ତର, ବିଶେଷଜ୍ଞ ଓ ରାଜନୈତିକ ନେତୃବୃନ୍ଦମାନେ ଯୋଗଦେଇ ଅଂଶଗ୍ରହଣ କାରୀମାନଙ୍କୁ ଗୁଣବତ୍ତା ସଂକଳ୍ପ ପରିପ୍ରେକ୍ଷୀରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ୟ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନରୁ ଶତାଧିକ କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.