Breaking News

ଅତ୍ୟଧିକ ଏନ୍‌ପିଏ ଥିବା ଦେଶ: ପଞ୍ଚମ ସ୍ଥାନରେ ଭାରତ

0

ମୁମ୍ବାଇ: ଅତ୍ୟଧିକ ପରିମାଣର ଅନାଦେୟ ଋଣ ବା ନନ୍‌ ପରଫରମିଂ ଆସେଟ୍‌ (ଏନ୍‌ପିଏ) ଥିବା ଦେଶଗୁଡ଼ିକ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି। ଭାରତ ଉପରେ ଥିବା ଅନ୍ୟ ଚାରିଟି ଦେଶ ହେଉଛି ୟୁରୋପ ମହାଦେଶର। ସେମାନେ ହେଉଛନ୍ତି ପର୍ତୁଗାଲ, ଇଟାଲି, ଆୟରଲ୍ୟାଣ୍ଡ୍‌ ଓ ଗ୍ରିସ୍‌। ଏହି ଚାରି ରାଷ୍ଟ୍ର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। କ୍ରେଡିଟ୍‌ ରେଟିଂ ଏଜେନ୍‌ସି କେୟାର୍‌ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ ସ୍ପେନ୍‌ର ଏନ୍‌ପିଏ ପରିମାଣ ଭାରତଠାରୁ କମ୍‌ ରହିଛି। ଏହି ରିପୋର୍ଟ ବିଷୟରେ କେୟାରର ମୁଖ୍ୟ ଅର୍ଥନୈତିଜ୍ଞ ମଦନ ସବ୍‌ନାଭିସ୍‌ କହିଛନ୍ତି ଯେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏନ୍‌ପିଏ ହେଉଛି ଏକ ପାରମ୍ପରିକ ସମସ୍ୟା। ମାତ୍ର ଭାରତରେ ଏହି ସମସ୍ୟା ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ଦ୍ୱାରା ସମ୍ପତ୍ତି ମାନ ଚିହ୍ନଟ ବ୍ୟବସ୍ଥା ଲାଗୁ କରାଯିବା ପରେ ଯେଉଁ ସବୁ ଋଣ ପରିଶୋଧ ହେବାର ସମ୍ଭାବନା କମ୍‌ ରହିଛି ତାହାକୁ ଚିହ୍ନଟ କରାଯାଇଥିଲା। ଯେଉଁମାନେ ଋଣ ପରିଶୋଧ କରୁନାହାନ୍ତି ସେମାନଙ୍କୁ ଖିଲାପୀର ନାମ ଦିଆଯାଇଥିଲା। ସେ କହିଛନ୍ତି ଯେ ଏନ୍‌ପିଏ ଯୋଗୁଁ ଏବେ ଦୁଇ ପ୍ରକାର ସମସ୍ୟା ଦେଖାଦେଇଛି। ପ୍ରଥମଟି ହେଉଛି ବ୍ୟାଙ୍କଗୁଡ଼ିକର ପୁଞ୍ଜି ପରିମାଣ କମିଯାଇଛି। ଦ୍ୱିତୀୟଟି ହେଉଛି ସେମାନେ ବଡ଼ ବଡ଼ ପ୍ରକଳ୍ପକୁ ଋଣ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କେୟାର ପକ୍ଷରୁ ଏନ୍‌ପିଏ ଦୃଷ୍ଟିରୁ ବିଭିନ୍ନ ଦେଶକୁ ଚାରିଟି ବର୍ଗରେ ଭାଗ କରାଯାଇଥିଲା। ତାହା ହେଉଛି ଅତି କମ୍‌ ଏନ୍‌ପିଏ, କମ୍‌ ଏନ୍‌ପି, ମଧ୍ୟମ ଏନ୍‌ପିଏ ଓ ଉଚ୍ଚ ଏନ୍‌ପିଏ। ଅତି କମ୍‌ ଏନ୍‌ପିଏ ଥିବା ଦେଶଗୁଡ଼ିକ ହେଉଛନ୍ତି ଅଷ୍ଟ୍ରେଲିଆ, ବ୍ରିଟେନ୍‌, ହଂକଂ, କାନାଡା ଓ ଦକ୍ଷିଣ କୋରିଆ। ଚୀନ୍‌, ଆର୍ଜେଣ୍ଟିନା ଓ ଚିଲିରେ ମଧ୍ୟ ଏନ୍‌ପିଏ ପରିମାଣ କମ୍‌ ସ୍ତରରେ ରହିଛି।

Leave A Reply

Your email address will not be published.