Breaking News

ଏନ୍‌ଆଇଆରଏଫ୍‌ ତାଲିକା ପ୍ରକାଶ: ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ

ଆଇଆଇଟି ଭୁବନେଶ୍ବରର ନୈରାଶ୍ୟଜନକ ପ୍ରଦର୍ଶନ

0

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଓ୍ୱାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ମୋଟ ୧୩ଟି ବର୍ଗକୁ ନେଇ ହୋଇଥିବା ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ବିଭିନ୍ନ ରାଙ୍କରେ ସ୍ଥାନ ପାଇଛନ୍ତି। ମାତ୍ର ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବ ଭଳି ସ୍ଥାନ ବଜାୟ ରଖିଛନ୍ତି।

ଗତବର୍ଷ ୩୦ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୨୬ତମ ସ୍ଥାନକୁ ଉଠିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୨୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୩୭ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାତ୍ର ଆଇଆଇଟି ଭୁବନେଶ୍ବର ତଳକୁ ତଳକୁ ଖସି ଚାଲିଛି। ୨୦୨୧‌ରେ ୫୮ତମ ସ୍ଥାନରେ ଥିବା ଆଇଆଇଟି ୨୦୨୨ରେ ୬୫କୁ ଖସିଥିଲା। ଏଥର ୯୧ତମ ସ୍ଥାନକୁ ଖସି ଯାଇଛି। ପ୍ରତିଥର ଦେଶର ୧୦୧ରୁ ୧୫୦ତମ ସ୍ଥାନ ମଧ୍ୟରେ ରହୁଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥର ଆହୁରି ତଳକୁ ଖସି ୧୫୧ରୁ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି। ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଓୟୁଏଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭିସୁଟ୍‌ ବୁର୍ଲା ଗତବର୍ଷ ପରି ଏଥର ମଧ୍ୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି।

‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୧୫ ଓ କିଟ୍‌ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାତ୍ର ଉତ୍କଳ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ୫ଟି ସ୍ଥାନ ତଳକୁ ଖସି ୯୩ତମ ସ୍ଥାନରେ ରହିଛି। ଓୟୁଏଟି, ଭିସୁଟ୍‌, ବୁର୍ଲା ଓ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ୧୦୧ରୁ ୧୫୦ ଭିତରେ ଅଛନ୍ତି। ଫକୀର ମୋହନ ବିଶ୍ବବିଦ୍ୟାଳୟ ଚଳିତବର୍ଷ ମଧ୍ୟ ୧୫୧ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି।ଗବେଷଣା ବର୍ଗରେ ଏନ୍‌ଆଇଟି ରାଉରକେଲା ୨୯, କିଟ୍‌ ୪୪, ସୋଆ ୪୯ତମ ସ୍ଥାନରେ ରହିଛି। ଇଞ୍ଜିନିୟରି˚ କଲେଜ ବର୍ଗରେ ଏନ୍‌ଆଇଟି ରାଉରକେଲା ୧୬, ସୋଆ ୨୭, କିଟ୍‌ ୩୯, ଆଇଆଇଟି ୪୭, ସିଭିରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.