Breaking News

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ; କାହ୍ନୁଗୁଡ଼ାକୁ ରାସ୍ତା ନୋହିଲା, ରୋଗୀଙ୍କୁ କାଉଡ଼ି ଭରସା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଲୋକେ ଆଜି ବି ପାଦରେ ଚାଲିଚାଲି ନିଜ ଗ୍ରାମକୁ ଯାଉଛନ୍ତି। ବାରମ୍ବାର ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ନେଇ ଦାବି କରିଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପ୍ରତିଶ୍ରୁତି ରକ୍ଷା କରାଯାଉ ନାହିଁ। ଏଭଳି ଏକ ଗାଁ ହେଉଛି କାଶୀପୁର ବ୍ଲକର ଗୋରଖପୁର ପଞ୍ଚାୟତର କାହ୍ନୁଗୁଡ଼ା ଗ୍ରାମ। ଏହି ଗ୍ରାମରେ ପ୍ରାୟ ଦେଢ ଶହ ପରିବାର ବସବାସ କରୁଛନ୍ତି। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ହୋଇପାରିଲା ନାହଁ।

ଅନ୍ୟଦିଗରେ ସରକାର ଗାଁକୁ ରାସ୍ତା, ମା’ଙ୍କୁ ସମ୍ମାନ ନେଇ ଡାଙ୍ଗରା ପିଟୁଛନ୍ତି। କାହ୍ନୁଗୁଡା ଗ୍ରାମର ଲୋକେ ବାରମ୍ବାର ରାସ୍ତା ପାଇଁ ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଗତ ମେ ମାସ ପ୍ରଥମ ସପ୍ତାହରେ ରାସ୍ତାରୋକ କରି ଆନ୍ଦୋଳନ କରିବା ନେଇ ପ୍ରଶାସନକୁ ନିଷ୍ପତ୍ତି ଜଣାଇଥିଲେ। ଏଥିରେ ପ୍ରଶାସନ ତୁରନ୍ତ ନିଜର ତତ୍ପରତା ଦେଖାଇଥିଲା। ଗତ ମେ ୧୨ ତାରିଖ ଦିନ ଗ୍ରାମବାସୀଙ୍କ ସହ ସ୍ଥାନୀୟ ପୁଲିସ, ତହସିଲଦାର, ରାଜସ୍ବ ନିରୀକ୍ଷକ, ବିଭାଗୀୟ ଯନ୍ତ୍ରୀ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକଙ୍କୁ ବୁଝାସୁଝା କରି ଏକ ମାସ ମଧ୍ୟରେ ରାସ୍ତା ନିର୍ମାଣ ନେଇ ପ୍ରତିଶ୍ରୁତି ଦେଲେ। କିନ୍ତୁ ପ୍ରତିଶ୍ରୁତି ପାଣିରଗାର ସଦୃସ୍ୟ ହୋଇଛି। ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୁଲିଗଲା।

ଗ୍ରାମର ଲୋକେ ପୁଣି ନିଜର ପୁରୁଣା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ। ଏଥର ରାସ୍ତା ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଲେ। ଗାଁକୁ ରାସ୍ତା ନଥିବାରୁ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ବହୁ ହଇରାଣ ହେଉଥିବା ଲୋକେ କହିଥିଲେ। ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ କାଉଡ଼ି କିମ୍ବା ଭାର ହିଁ ଭରସା ବୋଲି କହଥିଲେ। ଅନ୍ୟଦିଗରେ ଗ୍ରାମକୁ ଲାଗି ରହିଥିବା ସତ୍ୟବତୀ ନଦୀ ଗାଁର ଦୁଃଖ ପାଲଟିଛି। ବର୍ଷା ଦିନ ହେଲେ କାହ୍ନୁଗୁଡା ଗ୍ରାମଟି ସଂପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଛିନ୍ନ ହେଉଥିବା ଗ୍ରାମବାସୀ କହିଥିଲେ। ସତ୍ୟବତୀ ନଦୀ ଉପରେ ବ୍ରିଜ ନିର୍ମାଣ ନେଇ ମଧ୍ୟ ଗ୍ରାମବାସୀ ଦାବି କରିଆସୁଛନ୍ତି। କିନ୍ତୁ କେହି ତାଂକ ଗୁହାରୀ ଶୁଣୁନଥିବା କହିଥିଲେ। ନିର୍ବାଚନ ହେଲେ ମାଳ ମାଳ ନେତା ଗାଁକୁ ଆସି ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତଉଥିବା ବେଳେ ଭୋଟ ସରିବା ପରେ ସେମାନଙ୍କର ପ୍ରତିଶ୍ରୁତି କେବଳ କାଗଜ କଲମରେ ସୀମିତ ହୋଇ ରହିଯାଏ। ଗ୍ରାମବାସୀଙ୍କୁ ବୁଝାଇବାକୁ ଏକ ଧଳା ସାଧା କାଗଜରେ ସମସ୍ତଙ୍କ ଉପସ୍ଥିତିରେ ଏକ ଲିଖିତ ପ୍ରତିଶ୍ରୁତି ନେତା ଓ ପ୍ରଶାସନ ଦିଅନ୍ତି। କିନ୍ତୁ ସେହି କାଗଜ ଧରି ଗ୍ରାମବାସୀ କେବଳ ଖୁସି ହୁଅନ୍ତି ସିନା ବିକାଶ କାର୍ଯ୍ୟ ହୁଏ ନାହିଁ।

ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ଅଙ୍କାବଙ୍କା ଏବଂ ନଦୀ ପାର ହୋଇ ପ୍ରାୟ ୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିବା କହନ୍ତି ଗ୍ରାମବାସୀ। ସେହିପରି ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ପ୍ରାୟ ୧୭ କିଲୋମିଟର ଯିବାକୁ ପଡିଥାଏ। ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥାଏ। ଏହି ମାଟି ରାସ୍ତାରେ କାଦୁଅ ପଚପଚ ହେବା ଯୋଗଁ ରାସ୍ତାରେ ପାଦରେ ଚାଲିବା କଷ୍ଟକର ହୋଇପଡୁଥିବା କହନ୍ତି। ତେବେ କାହ୍ନୁଗୁଡା ଗ୍ରାମବାସୀ କେବେ ପକ୍କା ରାସ୍ତା ଦେଖିବେ ତାହା ଦେଖିବାକୁ ବାକି ରହିଲା।

Comments are closed.