ଓଡିଶାମହାନଗର

Non-smokers: ଅଣନିଶ୍ବାସୀ କଲାଣି ଇଟାଭାଟି ଧୂଆଁ

ବାଲିଅନ୍ତା ତହସିଲ ଅଞ୍ଚଳରେ ମାଳମାଳ ଇଟାଭାଟି ବେଆଇନ ଭାବେ ଚାଲିଛି। ଅଞ୍ଚଳରେ ପରିବେଶ ପ୍ରଦୂଷଣ ବଢ଼ୁଥିଲେ ମଧ୍ୟ ପୋଡ଼ା ଇଟାଭାଟିଗୁଡ଼ିକ ଉପରେ ଚଢ଼ଉ ହେଉନାହିଁ। ପ୍ରଶାସନର କୋହଳ....

ବାଲିଅନ୍ତା ବଜାର: ବାଲିଅନ୍ତା ତହସିଲ ଅଞ୍ଚଳରେ ମାଳମାଳ  ଇଟାଭାଟି ବେଆଇନ ଭାବେ ଚାଲିଛି। ଅଞ୍ଚଳରେ ପରିବେଶ ପ୍ରଦୂଷଣ ବଢ଼ୁଥିଲେ ମଧ୍ୟ ପୋଡ଼ା ଇଟାଭାଟିଗୁଡ଼ିକ ଉପରେ ଚଢ଼ଉ ହେଉନାହିଁ। ପ୍ରଶାସନର କୋହଳ ନୀତି, କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ମାଟି ଇଟା ବେପାରୀଙ୍କୁ ସୁହାଉଛି। ବିନା କୌଣସି ବୈଧ କାଗଜପତ୍ର କିମ୍ବା ତହସିଲ ପ୍ରଶାସନ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଶିଳ୍ପ ବିଭାଗ, ଶ୍ରମ ବିଭାଗ ତଥା ସ୍ଥାନୀୟ ପଞ୍ଚାୟତର ବିନାନୁମତିରେ ଏହି ଇଟାଭାଟିଗୁଡ଼ିକ କିଭଳି ଚାଲୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାଟି ମାଫିଆମାନେ କଞ୍ଚିଲୋ, ଧମିଲୋ, ଭିଙ୍ଗାରପୁର, ଭୁବନପୁର, ଜୟଦେବ, ଜଗନ୍ନାଥପୁର ଆଦି ଅଞ୍ଚଳର କିଛି ଚାଷୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଜମିରୁ ମାଟି ଉତ୍ତୋଳନ କରୁଛନ୍ତି। ରାତିତମାମ ନିଜ ନିଜ ଇଟାଭାଟିକୁ ହାଇୱା ଯୋଗେ ମାଟି ବୋହୁଛନ୍ତି। ଫଳରେ ଜମିର ଉର୍ବରତା ନଷ୍ଟ ହେଉଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି। ଭାଟି ଗୁଡ଼ିକ ଚଳାଇବା ପାଇଁ ବିଶେଷ ଭାବରେ କୋଇଲା ଓ କାଠ ବ୍ୟବହାର କରାଯାଉଥିବାରୁ ଏଥିରୁ ପ୍ରଚୁର ପରିମାଣର ଧୂଆଁ ନିର୍ଗତ ହେଉଛି। ଭାଟିର ଉତ୍ତାପ ଯୋଗୁ ଆଖପାଖ ଅଞ୍ଚଳର ତାପମାତ୍ରା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ସେହିଭଳି ଭାଟିକୁ ମାଟିବୁହା ସମୟରେ ପ୍ରବଳ ଧୂଳି ଉଡ଼ି ଲୋକଙ୍କୁ ଅଣନିଶ୍ବାସୀ କରିଦେଉଛି। ସେହିପରି ଦ୍ରୁତ ଗତିରେ ଯାଉଥିବା ହାଇୱାକୁ ଦେଖି ଲୋକେ ଘରୁ ବାହାରିବାକୁ ଡରିଲେଣି।

କିଛି ଦିନ ପୂର୍ବରୁ ପରିବେଶ ପ୍ରଦୂଷଣ ବଢ଼ୁଥିବାରୁ ଇଟାଭାଟିଗୁଡ଼ିକରେ ପହଞ୍ଚି ବୈଧ କାଗଜପତ୍ର ଯାଞ୍ଚ କରିବା ସହ ୭ ଦିନ ସମୟ ଦେଇଥିଲେ। ଇତିମଧ୍ୟରେ ୨୦ ଦିନ ବିତିଥିଲେ ବି ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। କିଛି ବର୍ଷ ତଳେ ସ୍ଥାନୀୟ ଅଞ୍ଚଳରେ ଗଢ଼ିଉଠିଥିବା ୧୪ଟି ଇଟାଭାଟି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବନ୍ଦ କରାଯାଇଥିଲା। ବର୍ତ୍ତମାନ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ବେଆଇନ ଇଟାଭାଟିଗୁଡ଼ିକୁ ବନ୍ଦ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button