ଅର୍ଥନୀତି

NSE investors: ଆକୃଷ୍ଟ କରୁଛି ପୁଞ୍ଜିବଜାର: ଏନ୍‌ଏସ୍‌ଇ ନିବେଶକଙ୍କ ସଂଖ୍ୟା ୨୪ କୋଟି ଟପିଲା

ଦେଶର ପୁଞ୍ଜି ବଜାରରେ ନିବେଶକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଅଧିକରୁ ଅଧିକ ଲୋକ ଏହି ବଜାର ପ୍ରତି ଆକୃଷ୍ଟ ହେଉଛନ୍ତି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ନିବେଶକ ଆକାଉଣ୍ଟ ସଂଖ୍ୟା ଚଳିତମାସରେ ୨୪ କୋଟି ଟପିଛି।

ମୁମ୍ବାଇ: ଦେଶର ପୁଞ୍ଜି ବଜାରରେ ନିବେଶକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଅଧିକରୁ ଅଧିକ ଲୋକ ଏହି ବଜାର ପ୍ରତି ଆକୃଷ୍ଟ ହେଉଛନ୍ତି। ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)ରେ ନିବେଶକ ଆକାଉଣ୍ଟ ସଂଖ୍ୟା ଚଳିତମାସରେ ୨୪ କୋଟି ଟପିଛି। ଗତବର୍ଷ ଅକ୍ଟୋବରରେ ଏନ୍‌ଏସ୍‌ଇରେ ନିବେଶକଙ୍କ ଆକାଉଣ୍ଟ୍‌ ସଂଖ୍ୟା ୨୦ କୋଟି ଛୁଇଁଥିଲା। ତେଣୁ ବର୍ଷକରୁ ମାତ୍ର ଅଳ୍ପ ଅଧିକ ସମୟ ମଧ୍ୟରେ ୪ କୋଟି ଅଧିକ ଆକାଉଣ୍ଟ୍‌ ଯୋଡ଼ି ହୋଇଛି। ଦେଶର ପୁଞ୍ଜି ବଜାରରେ ଖୁଚୁରା ନିବେଶକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଏହା ହୋଇପାରିଛି।

ଦେଶର ଏହି ନିବେଶ ଆକାଉଣ୍ଟରେ ମହାରାଷ୍ଟ୍ର ସବୁଠୁ ଆଗରେ ରହିଛି। ମହାରାଷ୍ଟ୍ରରେ ଏହି ନିବେଶକଙ୍କ ସଂଖ୍ୟା ୪‌ କୋଟିରୁ ଅଧିକ ବା ମୋଟ ଆକାଉଣ୍ଟର ୧୭ ପ୍ରତିଶତ ରହିଛି। ଏହା ପଛକୁ ଉତ୍ତରପ୍ରଦେଶ ୨.୭ କୋଟି ଆକାଉଣ୍ଟ ବା ୧୧ ପ୍ରତିଶତ ସହିତ ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି ଗୁଜରାଟ ୨.୧ କୋଟି ଆକାଉଣ୍ଟ ବା ୯ ପ୍ରତିଶତ ସହିତ ତୃତୀୟ, ପଶ୍ଚିମବଙ୍ଗ ୧.୪ କୋଟି ଆକାଉଣ୍ଟ ବା ୬ ପ୍ରତିଶତ ସହିତ ଚତୁର୍ଥ ଏବଂ ରାଜସ୍ଥାନ ୧.୪ କୋଟି ଆକାଉଣ୍ଟ ବା ୬ ପ୍ରତିଶତ ସହିତ ପଞ୍ଚମ ସ୍ଥାନରେ ରହିଛି। ମୋଟ ଆକାଉଣ୍ଟରେ ଶୀର୍ଷ ୫ଟି ରାଜ୍ୟର ଅଂଶ ପ୍ରାୟ ୫୦ ପ୍ରତିଶତ ରହିଛି। ତେବେ ଶୀର୍ଷ ୧୦ଟି ରାଜ୍ୟଗୁଡ଼ିକର ଅଂଶ ମୋଟ ଆକାଉଣ୍ଟରେ ୭୩ ପ୍ରତିଶତ ବୋଲି ଏନ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। କରୋନା ମହାମାରୀଠାରୁ ପୁଞ୍ଜି ବଜାର ନିବେଶକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି।

ନିବେଶକମାନେ ସିଧାସଳଖ କିମ୍ବା ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ଜରିଆରେ ପୁଞ୍ଜି ବଜାରରେ ଅର୍ଥ ଖଟାଉଛନ୍ତି। ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକରେ ବ୍ୟକ୍ତିଗତ ନିବେଶକଙ୍କ ନିବେଶ ଅଂଶ ୧୮.୭୫ ପ୍ରତିଶତରେ ପହଞ୍ଚିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ସର୍ବାଧିକ। ଏନ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଗତ ୫ ବର୍ଷ ମଧ୍ୟରେ ନିଫ୍‌ଟି ୫୦ ଏବଂ ନିଫ୍‌ଟି ୫୦୦ ବାର୍ଷିକ ରିଟର୍ଣ୍ଣ ଆକାରରେ ଯଥାକ୍ରମେ ୧୫ ପ୍ରତିଶତ ଏବଂ ୧୮ ପ୍ରତିଶତ ପ୍ରଦାନ କରିଛି। ମୋବାଇଲରେ ଟ୍ରେଡିଂ ସୁବିଧା ଉପଲବ୍ଧ ହେବା ଫଳରେ ନିବେଶକଙ୍କ ସଂଖ୍ୟା ବଢ଼ିଯାଇଛି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button