Oath: ଦିନକ ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ତାରିକ୍ ରହମାନ
ବାଂଲାଦେଶ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ପରେ ବାଂଲାଦେଶ ନ୍ୟାସଲିଷ୍ଟ ପାର୍ଟି (ବିଏନ୍ପି) ଅଧ୍ୟକ୍ଷ ତାରିକ ରହମାନ୍ ଫେବ୍ରୁଆରି ୧୭ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ନୂଆଦିଲ୍ଲୀ: ବାଂଲାଦେଶ ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ପରେ ବାଂଲାଦେଶ ନ୍ୟାସଲିଷ୍ଟ ପାର୍ଟି (ବିଏନ୍ପି) ଅଧ୍ୟକ୍ଷ ତାରିକ ରହମାନ୍ ଫେବ୍ରୁଆରି ୧୭ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରହମାନଙ୍କ ଶପଥ ଗ୍ରହଣ ଉତ୍ସବକୁ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ବାଧୀନ ଅନ୍ତରୀଣ ପ୍ରଶାସନ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଭାରତ, ଚୀନ, ସାଉଦି ଆରବ, ତୁର୍କୀ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ମାଲେସିଆ, ବ୍ରୁନେଇ, ଶ୍ରୀଲଙ୍କା, ନେପାଳ, ମାଲଡିଭ୍ସ ଓ ଭୁଟାନ ପରି ୧୩ ଦେଶର ଶାସନ ମୁଖ୍ୟଙ୍କୁ ନିମନ୍ତ୍ରଣ କରୁଛନ୍ତି।
ବାଂଲାଦେଶ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଫେବ୍ରୁଆରି ୧୭ରେ ମୋଦୀଙ୍କର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ଦ୍ବିପାକ୍ଷିକ ବୈଠକ ଥିବାରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ।
ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରତିନିଧିତ୍ବ କରିବେ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ଜାତୀୟ ସଂସଦ ପରିସରରେ ଦକ୍ଷିଣ ପ୍ଲାଜାରେ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କ ନୂତନ ମନ୍ତ୍ରିମଣ୍ଡଳକୁ ଶପଥ ପାଠ କରାଇବେ। ଏହାପୂର୍ବରୁ ବାଂଲାଦେଶରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନରେ ଆୟୋଜିତ ହେଉଥିଲା।
ସୌଜନ୍ୟ ସମ୍ବାଦ




