ଓଡିଶାମହାନଗର

Odia Panji Predictions: ପାଞ୍ଜିରେ ଭବିଷ୍ୟବାଣୀ: ପ୍ରାକୃତିକ ବିପର୍ଯ୍ୟୟ ଭୟ, ଦରଦାମ୍‌ ବଢ଼ିବ, ଖାଦ୍ୟଶସ୍ୟ ଉତ୍ପାଦନ କମିବ

ଓଡ଼ିଶାରେ ରାଜନୈତିକ ସ୍ଥିରତା ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, କ୍ରୀଡ଼ା ପରି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ହେବ। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ। ଓଡ଼ିଶାର ବିକାଶ ଧାରା ଆଗକୁ ବଢ଼ିବାକୁ ଥିଲେ ମଧ୍ୟ ଭୂମିକମ୍ପ....

ଭୁବନେଶ୍ବର: ଓଡ଼ିଶାରେ ରାଜନୈତିକ ସ୍ଥିରତା ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ, କ୍ରୀଡ଼ା ପରି କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ହେବ। ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହୋଇପାରେ। ଓଡ଼ିଶାର ବିକାଶ ଧାରା ଆଗକୁ ବଢ଼ିବାକୁ ଥିଲେ ମଧ୍ୟ ଭୂମିକମ୍ପ, ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ଅଗ୍ନିକାଣ୍ଡ ବାଟ ଓଗାଳିବ। ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହେବ। କୃଷି ଉତ୍ପାଦନ ପ୍ରଭାବିତ ହୋଇପାରେ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଇବ। ଓଡ଼ିଶା ମାଟିରେନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଲୋପ ପାଇବ। ପୂର୍ବ ଓଡ଼ିଶାରେ ମହାମାରୀ ବ୍ୟାପୀପାରେ।

ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତିରୁ ପ୍ରଚଳିତ ହେବାକୁ ଯାଉଥିବା ନୂତନ ପାଞ୍ଜିରେ ଏଭଳି ଭବିଷ୍ୟବାଣୀ କରାଯାଇଛି। ଆସନ୍ତାକାଲି ଦୋଳପୂର୍ଣ୍ଣିମାରେ ଦୋଳବେଦିରେ ପଞ୍ଜିକାକାରମାନେ ଠାକୁରଙ୍କ ଆଗରେ ଏସବୁ ତଥ୍ୟ ପଢ଼ିବେ। କେବଳ ସେତିକି ନୁହେଁ, ୨୦୨୬ ଏପ୍ରିଲ ୧୪ରୁ ୨୦୨୭ ଏପ୍ରିଲ ୧୩ ମଧ୍ୟରେ ଦୁଇଟି ସୂର୍ଯ୍ୟୋପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ସଙ୍ଗଠିତ ହେବ। ତେବେ ଏହା ଭାରତ ତଥା ଓଡ଼ିଶାର କୌଣସି ସ୍ଥାନରେ ଦୃଶ୍ୟମାନ ହେବ ନାହିଁ। ତେଣୁ ପାଳନ ଅନାବଶ୍ୟକ ‌ଅଟେ।

ଖାଦ୍ୟଶସ୍ୟ ଉତ୍ପାଦନ କମିବ
ଦେଶ ଦେଶ ମଧ୍ୟରେ କଳହ ଲାଗିରହିବ

ବିଭିନ୍ନ ପଞ୍ଜିକାରେ କରାଯାଇଥିବା ଗଣନା ଅନୁଯାୟୀ, ବର୍ଷ ଆରମ୍ଭରୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। ବର୍ଷର ମଧ୍ୟ ଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ଧନସମ୍ପଦ କ୍ଷତି ହେବ। ଶସ୍ୟ ଉତ୍ପାଦନ ଅପେକ୍ଷାକୃତ ହ୍ରାସ ପାଇବ। ସରକାରୀ ସ୍ତରରେ ଅନ୍ତଃକନ୍ଦଳ ଦ୍ବାରା ବିରୋଧୀମାନେ ସରକାରଙ୍କ ନୀତି ବିରୋଧରେ
ଜନଜାଗରଣ ସୃଷ୍ଟି କରିବେ। ବାହ୍ୟ ଶତ୍ରୁର ଆକ୍ରମଣ ଭୟ ରହିବ। ବିଶେଷକରି ହିଂସାକାଣ୍ଡ, ରକ୍ତପାତ, ଭ୍ରଷ୍ଟାଚାର, ନାରୀ ନିର୍ଯାତନା, ଚୋରି ବୃଦ୍ଧି ପାଇବ। ପୁଞ୍ଜିପତିମାନେ ପୁଞ୍ଜିନିବେଶ ସହ ବିଭିନ୍ନ ଉଦ୍ୟୋଗର ଉନ୍ନତି ପାଇଁ ସହଯୋଗ କରିବେ। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସୁନାମ ବଢ଼ିବ। ନେତୃ ସ୍ଥାନୀୟ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ।  ପୂର୍ବ ଓଡ଼ିଶାରେ ମହାମାରୀ ରୋଗର ଆଶଙ୍କା ବୃଦ୍ଧି ପାଇବ।

ତେବେ ଭାରତ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବ। ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ। ରେଳ ଓ ସଡ଼କ ଦୁର୍ଘଟଣା ବଢ଼ିବାର ଆଶଙ୍କା ରହିଛି। ପଡ଼ୋଶୀ ରାଷ୍ଟ୍ରଙ୍କ ଷଡ଼୍‌ଯନ୍ତ୍ର ଫଳରେ ଦେଶ ଭିତରେ ଆତ୍ମଘା‌ତୀ କାର୍ଯ୍ୟ ବୃଦ୍ଧି ପାଇବ। ମହାକାଶ ଗବେଷଣାରେ ନୂତନ ତଥ୍ୟ ସାମନାକୁ ଆସିବ। ରାଜ୍ୟରାଜ୍ୟ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ସହ ଅର୍ଥନୈତିକ ବିକାଶ, ଉନ୍ନୟନ କାର୍ଯ୍ୟ ହେବ। ଦେଶ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବିକଶିତ ଦେଶଗୁଡ଼ିକ ଉଦ୍ୟମ ଜାରି ରଖିବେ। ଅର୍ଥନୈତିକ ବିକାଶ ପାଇଁ ବୁଝାମଣା ହେବ। ସେହିଭଳି ଜାତୀୟ ରାଜନୀତିରେ ବିରୋଧୀ ଦଳଙ୍କ ପ୍ରଭାବ ବଢ଼ିବ। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ଦେଶର ମୁଖ୍ୟ ସ୍ରୋତରେ ଯୋଗଦେବେ। ସାମରିକ ଓ ପ୍ରତିରକ୍ଷା କ୍ଷେତ୍ରରେ ଦେଶଗୁଡ଼ିକ ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ। ବିଶ୍ବର ଏକ ଶକ୍ତିଶାଳୀ ରାଷ୍ଟ୍ର ଭା‌ବେ ଭାରତ ନିଜକୁ ପ୍ରତିଷ୍ଠିତ କରିବ। ତୈଳଦର ବୃଦ୍ଧି, ଯୁଦ୍ଧ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ଭାରତ ପ୍ରଭାବିତ ହୋଇପାରେ। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆସାମ, ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ରୋଗ, ଦୁର୍ଭିକ୍ଷ, କଳହ, ହିଂସା, ବାତ୍ୟା, ବନ୍ୟା ସୃଷ୍ଟି ହୋଇପାରେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆମେରିକା ଭଳି ରାଷ୍ଟ୍ର ପ୍ରଭାବ ବିସ୍ତାର କରିବେ। ମୁସଲମାନ ଶାସିତ ଦେଶଗୁଡ଼ିକ ମଧ୍ୟରେ ଅଶାନ୍ତି ସୃଷ୍ଟି ଦ୍ବାରା ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ଆମେରିକା, ଋଷ, ଇଂଲଣ୍ଡ ଭଳି ବିକାଶିତ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିରେ ଅବନତି ଦେଖାଦେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button