Breaking News

କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ

0

ନୂଆଦିଲ୍ଲୀ: କେନ୍ଦୁଝରର ବିଶିଷ୍ଟ କାଠି କଣ୍ଢେଇ କାରିଗର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଗୁଣି ଚରଣ କୁଅଁର ଏକାଧାରରେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର । ବିଗତ 70ବର୍ଷ ହେବ ସେ ନିଜ ସାଧନା ଜାରି ରଖିଥିବା ବେଳେ, 86ବର୍ଷ ବୟସରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦୁଝର ପୁରୁଣା ସହରର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁର ।

ପରିଚୟ ତାଙ୍କର କାଠି କଣ୍ଢେଇ କାରିଗର । ବୟସର ଅପରାହ୍ଣରେ ମାଗୁଣି କାଠ ଖୋଦେଇ, ମୃଣ୍ମୟୀ ମୂର୍ତ୍ତି ଓ ସିମେଣ୍ଟ ମୂର୍ତ୍ତି ତିଆରରେ ସିଦ୍ଧହସ୍ତ । କେବଳ କଣ୍ଢେଇ, କାଠ ଓ ପାଷାଣ ମୁହଁରେ ହସ ଫୁଟାନ୍ତି ତାହା ନୁହେଁ ବରଂ ଗଭୀର ଆତ୍ମୀୟତା, ସହୃଦୟତା ଓ ପରିବେଶପ୍ରୀତି ତାଙ୍କୁ ଏକ ବହୁମୂଖୀ ପ୍ରତିଭାର ଅଧିକାରୀ ଭାବେ ଗଢି ତୋଳିଛି । ପିଲାଟି ବେଳୁ କଣ୍ଢେଇ ନାଚ ପାଇଁ ତାଙ୍କର ଥିଲା ଅଦମ୍ୟ ଉତ୍ସାହ । ମାଟିର ମୂର୍ତ୍ତି ତିଆରି ପାଇଁ ମନରେ ଥିଲା ପ୍ରଗାଢ ଇଚ୍ଛା । ପ୍ରାରମ୍ଭିକ ଅବସ୍ଥାରେ ଆର୍ଥିକ ଅନଟନ ଏଥିରୁ ତାଙ୍କୁ ବିମୁଖ କରିପାରି ନଥିଲା ।

ଆଖପାଖର କିଛି ଲୋକଙ୍କୁ ଏକାଠି କରି ସେ ଗାଁ ଗାଁ ବୁଲି କଣ୍ଢେଇ ନାଚ ଆରମ୍ଭ କଲେ । ଏହାପରେ, ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଜିଲ୍ଲା, ରାଜ୍ୟ ସହ, ଦେଶବିଦେଶରେ ମାଗୁଣିବାବୁଙ୍କ କଣ୍ଢେଇ ନୃତ୍ୟର ଆଦର ବଢିଚାଲିଲା । 2004 ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, 2013 ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି । 2014ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.