ବିଶେଷ

Odia traders: ଝାଡ଼ଖଣ୍ଡ ହାଟରେ ଓଡ଼ିଆ ବେପାରୀ

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ସିମ୍‌ଡେଗା ଜିଲ୍ଲା ବାନୋ ବ୍ଲକର ‘ହୁରଦା’ ହାଟ। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ରୁ ୨୨ କିମି ଏବଂ ସିମ୍‌ଡେଗା ବାନୋରୁ ପ୍ରାୟ ୪୦ କିମି ଦୂର ହେଉଛି ଏହି ଅଞ୍ଚଳ।

ରାଉରକେଲା: ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ସିମ୍‌ଡେଗା ଜିଲ୍ଲା ବାନୋ ବ୍ଲକର ‘ହୁରଦା’ ହାଟ। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ରୁ ୨୨ କିମି ଏବଂ ସିମ୍‌ଡେଗା ବାନୋରୁ ପ୍ରାୟ ୪୦ କିମି ଦୂର ହେଉଛି ଏହି ଅଞ୍ଚଳ। ସ୍ବାଧୀନତା ପୂର୍ବରୁ ଚାଲିଆସୁଥିବା ଏହି ହାଟରେ ସମସ୍ତ ଗ୍ରାହକ ହେଉଛନ୍ତି ଝାଡ଼ଖଣ୍ଡର। କିନ୍ତୁ ସବୁ ବେପାରୀ ଓଡ଼ିଶାର। ମାଓ ଉପଦ୍ରୁତ ଅଞ୍ଚଳରେ ଥିବା ଏହି ହାଟ ପୂର୍ବରୁ ଅପରାହ୍ଣ ୪ଟା ସୁଦ୍ଧା ବନ୍ଦ ହୋଇଯାଉଥିଲା। ମାଓ କାର୍ଯ୍ୟକଳାପ ବନ୍ଦହେବା ପରେ ହାଟ ସକାଳୁ ରାତି ପ୍ରାୟ ୭ଟା ପର୍ଯ୍ୟନ୍ତ ଚାଲୁଛି। ସପ୍ତାହର ଦୁଇ ଦିନ ମଙ୍ଗଳବାର ଓ ଶନିବାର ହାଟ ବସିଥାଏ। କିଣାବିକା ଜମେ। ପନିପରିବାଠୁ ଆରମ୍ଭ କରି ଜୋତାଚପଲ, କଂସାବାସନ, ଖଟ ଆଦି ସବୁକିଛି ଗୋଟିଏ ସ୍ଥାନରେ ମିଳୁଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନାହିଁ ନଥିବା ଭିଡ଼ ହୋଇଥାଏ।

ସୁନ୍ଦରଗଡ଼ର ରାଉରକେଲା, ନୂଆଗାଁ, ବିଶ୍ରା, ବୀରମିତ୍ରପୁର, କୁଆରମୁଣ୍ଡା, ସୋରଡ଼ା, ଲାଠିକଟା ସମେତ ସୁନ୍ଦରଗଡ଼ର ବହୁ ବ୍ଲକ୍‌ରୁ ଶହ ଶହ ବେପାରୀ ବେପାର କରିବାକୁ ଆସିଥାନ୍ତି। କେବଳ ସୁନ୍ଦରଗଡ଼ ନୁହେଁ ବାହାର ଜିଲ୍ଲାର ବେପାରୀ ମଧ୍ୟ ଆସିଥାନ୍ତି। ପାଖାପାଖି ୧୨୦୦ରୁ ଅଧିକ ଛୋଟ ବଡ଼ ବେପାରୀ ଗୋଟିଏ ଜାଗାରେ ଏକାଠି ହୁଅନ୍ତି। ବାନୋ ବଜାର ଦୂର ଥିବାରୁ ହୁରଦା ହାଟ ଉପରେ‌ ବେରବେରା, ବାରିଲେପ୍‌ଟା, ଜଲ୍‌ଡେଗା, କୋହିପାଲ୍‌, ସାହୁବେରା, ସିକୋରଡା, ସାହୁ ବେହେରା, ରାଇକେରା, ମରାନି, ବାଙ୍କି ଏମିତି ଅନେକ ଶହ ଶହ ଗାଁର ଲୋକଙ୍କ ଏହି ହାଟ ପ୍ରଥମ ପସନ୍ଦ ହୋଇସାରିଛି। ବିବାହ ଋତୁରେ ହାଟରେ ଚାହିଦା ଆହୁରି ବଢ଼ିଯାଏ। କଂସାପିତଳ ବାସନ ଦୋକାନ, ଲୁଗା, ଡ୍ରେସ୍‌, ଟିଣବାକ୍ସ, ଖଟ ଆଦି ଦୋକାନରେ ପରିବାର ଲୋକଙ୍କ ବେଶୀ ଭିଡ଼ ଜମିଥାଏ।

 

ନୂଆଗାଁ, ପାନିଆସାଲ, ସୋରଡା, ବିଶ୍ରା ଆଦି ଅଞ୍ଚଳର ଶତାଧିକ ବେପାରୀଙ୍କ ମାଛ ଶୁଖୁଆ, ଲୁଗାପଟା, ଧାନ ଓ ଚାଉଳ ଦୋକାନରେ ମଧ୍ୟ ଭିଡ଼ ମଧ୍ୟ କିଛି କମ୍‌ ନଥାଏ। ଝାଡ଼ଖଣ୍ଡ ଲୋକେ ସଠିକ୍‌ ମୂଲ୍ୟରେ ନିଜର ମନପସନ୍ଦର ଜନିଷ ପାଇପାରୁଛନ୍ତି। ଓଡ଼ିଶାର ଶହ ଶହ ବେପାରୀ ଭଲ ଦି’ ପଇସା ରୋଜଗାର କରି ପରିବାର ଚଳାଉଛନ୍ତି। ଝାଡ଼ଖଣ୍ଡ ‘ହୁରଦା’ର ଟକଧର ସାହୁ ଓ ସୁରେନ୍ଦ୍ର କିସ୍‌ପଟ୍ଟା କହିଛନ୍ତି, ସ୍ବାଧୀନତା ପୂର୍ବରୁ ଚାଲିଆସୁଥିବା ହାଟ ଆଜି ବି ତା’ର ସ୍ଥିତି ବଜାୟ ରଖିଛି। ଓଡ଼ିଶା ବେପାରୀଙ୍କଠୁ ଆମେ କେବଳ ଜିନିଷପତ୍ର କିଣୁ ନାହୁଁ, ବରଂ ଦୁଇ ରାଜ୍ୟର ଲୋକଙ୍କ
ମଧ୍ୟରେ ଭାବର ଆଦାନପ୍ରଦାନରେ ସହାୟକ ହେଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button