ଓଡିଶା

Odisha: ସ୍ବତନ୍ତ୍ର: କିଂବଦନ୍ତିର କଣ୍ଠରୋଧ, ଓଡ଼ିଶାର ଜାଲିଆନାୱାଲାବାଗ ‘କୁଦୋପାଲି’

ଓଡ଼ିଶାରେ ରହିଛି ସ୍ବାଧୀନତା ସଂଗ୍ରାମର ବୀରତ୍ବ ଓ ବଳିଦାନର ଗାଥା। ମହାତ୍ମା ଗାନ୍ଧୀଙ୍କ ଆଗମନର ସ୍ମୃତି। ଅନେକ ଅଲିଭା ଇତିହାସ, ସ୍ମରଣୀୟ ସ୍ମାରକୀ, ଅନାଲୋଚିତ କିଂବଦନ୍ତି। ରାଜ୍ୟର ପୁରାତନ କୀର୍ତ୍ତିରାଜିର ବିକାଶ ପାଇଁ ବିଭିନ୍ନ ସମୟରେ ଯୋଜନା ହେଉଛି।

ଓଡ଼ିଶାରେ ରହିଛି ସ୍ବାଧୀନତା ସଂଗ୍ରାମର ବୀରତ୍ବ ଓ ବଳିଦାନର ଗାଥା। ମହାତ୍ମା ଗାନ୍ଧୀଙ୍କ ଆଗମନର ସ୍ମୃତି। ଅନେକ ଅଲିଭା ଇତିହାସ, ସ୍ମରଣୀୟ ସ୍ମାରକୀ, ଅନାଲୋଚିତ କିଂବଦନ୍ତି। ରାଜ୍ୟର ପୁରାତନ କୀର୍ତ୍ତିରାଜିର ବିକାଶ ପାଇଁ ବିଭିନ୍ନ ସମୟରେ ଯୋଜନା ହେଉଛି। ହେଲେ ସରକାର ଯୋଜନା କରି ଭୁଲି ଯାଉଛନ୍ତି। ଯାହାକି ପରୋକ୍ଷରେ କିଂବଦନ୍ତିର କଣ୍ଠରୋଧର ବଡ଼ କାରଣ ପାଲଟୁଛି। ଏ ସଂପର୍କରେ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

ରତ୍ନାକର ଭୋଇ

ସମ୍ବଲପୁର: ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କଙ୍କ ବୀରତ୍ବର ଗାଥା କହୁଥିବା ସହିଦ ପୀଠ କୁଦୋପାଲି ଏବେ ବି ଅବହେଳିତ। ସହିଦଙ୍କ ସ୍ମୃତିରକ୍ଷା ନିମନ୍ତେ ଠୋସ୍‌ ପଦକ୍ଷେପ ନିଆଯାଇନାହିଁ। ୧୦ ମେ’ ୧୮୫୭ରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ବୃହତ୍‌ ସ୍ବାଧୀନତା ସଂଗ୍ରାମ ସିପାହି ବିଦ୍ରୋହ। ସିପାହି ବିଦ୍ରୋହବେଳେ ବିଦ୍ରୋହୀମାନେ ହଜାରିବାଗ ଜେଲ୍‌ ଭାଙ୍ଗି ଦେବାରୁ ସେଠାରେ ବନ୍ଦୀ ଥିବା ବୀର ସୁରେନ୍ଦ୍ର ସାଏ ବଣଜଙ୍ଗଲ ଦେଇ ସମ୍ବଲପୁରରେ ପହଞ୍ଚି ପୁଣି ଆରମ୍ଭ କରିଥିଲେ ସଶସ୍ତ୍ର ଆନ୍ଦୋଳନ। ବୀର ସୁରେନ୍ଦ୍ର ସାଏଙ୍କ ଆନ୍ଦୋଳନ ଯୋଗୁ ଇଂରେଜ ସରକାର ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ସୁରେନ୍ଦ୍ର ସାଏଙ୍କୁ ଦମନ କରିବା ପାଇଁ ଯେଉଁ ସବୁ ରଣନୀତି କରିଥିଲେ, ସବୁ ଫେଲ୍‌ ମାରିଥିଲା। ସମ୍ବଲପୁର ସହରଠାରୁ ଅଳ୍ପ ଦୂରରେ ଥିବା କୁଦୋପାଲି ଗାଁ ପାହାଡ଼ରେ ୩୦ ଡିସେମ୍ବର ୧୮୫୭ରେ ଘଟିଥିଲା ସଶସ୍ତ୍ର ସଂଗ୍ରାମ। ପାହାଡ଼ ଉପରେ ଲୁଚି ପଥର ପକାଇ ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରୁଥିଲେ ସଂଗ୍ରାମୀ।

ଏଭଳି ସ୍ଥିତିରେ ଇଂରେଜ ସୈନ୍ୟମାନେ ସ୍ଥାନ ଛାଡ଼ି ଚାଲିଯିବାର ନାଟକ ରଚିଥିଲେ। ରଣନୀତି ଅନୁଯାୟୀ ଇଂରେଜ ସୈନ୍ୟମାନେ ପଳାୟନ କରୁଥିବା ଦେଖି ଖୁସିରେ ଆତ୍ମହରା ହୋଇ ପାହାଡ଼ ତଳକୁ ଓହ୍ଲାଇ ଆସିଥିଲେ ସଂଗ୍ରାମୀ। ହେଲେ, ଅଚାନକ ଇଂରେଜ ସୈନ୍ୟମାନେ ଫେରି ଆସି ଗୁଳିବର୍ଷଣ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏ ଘୋଡ଼ାରେ ବସି ପଳାୟନ କରୁଥିବା ସମୟରେ କୁ‌ଦୋପାଲି ଗାଁ ମଝିରେ ତାଙ୍କୁ ବାଜିଥିଲା ଦୁଇଟି ଗୁଳି।  କୁଦୋପାଲି ଗାଁ ଦାଣ୍ଡରେ ଟଳି ପଡ଼ିଥିଲେ ଛବିଳ ସାଏ। ଇଂରେଜ୍‌ ସେନାର ବର୍ବର ଆକ୍ରମଣରେ ସେଦିନ ଛବିଳ ସାଏଙ୍କ ସହିତ କୁଦୋପାଲିଠାରେ ୫୩ ଜଣ ସଂଗ୍ରାମୀ ସହିଦ ହୋଇଥିଲେ। ୧୧ ଜଣ ସଂଗ୍ରାମୀ ଇଂରେଜମାନଙ୍କ ହାତରେ ପଡ଼ିିଥିବା ବେଳେ ୪ ଜଣଙ୍କୁ ଫାଶୀଦଣ୍ଡ ଓ ଅନ୍ୟ ୨ ଜଣଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। ତେବେ ଅନ୍ୟ ୫ ଜଣଙ୍କୁ ଛାଡ଼ି ଦିଆଯାଇଥିଲା। ଏକ ବିରଳ ଘଟଣା କ୍ରମରେ ସଂଗ୍ରାମୀଙ୍କ ପକ୍ଷ ନେଇ ସେଠାରେ ଇଂରେଜମାନଙ୍କ ବିରୋଧରେ ଲଢ଼ିଥିବା ବ୍ରିଟିସ୍‌ ପଦାତିକ ବାହିନୀର ଜଣେ ଭାରତୀୟ ସୈନ୍ୟଙ୍କୁ ମଧ୍ୟ ଫାଶୀ ଦିଆଯାଇଥିଲା। ଓଡ଼ିଶାର ଜାଲିଆନାୱାଲାବାଗ କୁହାଯାଉଥିବା କୁଦୋପାଲିରେ ସର୍ବମୋଟ ୫୮ ଜଣଙ୍କ ଜୀବନହାନି ଘଟିଥିଲା। ତେବେ ବର୍ଷବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଆସିଛି ଏହି ଐତିହ୍ୟପୀଠ କୁଦୋପାଲି। ବହୁବର୍ଷ ପୂର୍ବେ ସହିଦଙ୍କ ସ୍ମୃତିରକ୍ଷା ପାଇଁ କିଛି ବୁଦ୍ଧିଜୀବୀ ଓ ସାମ୍ବାଦିକ ମିଶି ଉଦ୍ୟମ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୩ ମସିହାରୁ ଭାରତୀ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଉଥିବା ବେଳେ ୨୦୨୨ ମସିହାରେ ବୀର ଛବିଳ ସାଏ ସ୍ମୃତି ସମିତି ଗଠନ କରି ଡିସେମ୍ବର ୩୦ ତାରିଖରେ ସହିଦ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଉଛି।

ବିଳମ୍ବରେ ହେଲେ ମଧ୍ୟ ଏହି ଅନାଲୋଚିତ ବୀରତ୍ବ ଗାଥାକୁ ଏନ୍‌ବିଟି ପକ୍ଷରୁ ୧୩ଟି ଭାଷାରେ ପୁସ୍ତକ ପ୍ରକାଶନ ପରେ ଅନେକ ଲୋକ କିଛି ଜାଣିପାରିଛନ୍ତି। ଗତ ନଭେମ୍ବର ମାସରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରହ ଫଳରେ ସହିଦ ସ୍ମାରକୀ ନିର୍ମାଣ ନିମନ୍ତେ ମୁମ୍ବାଇର ଜେ.ଜେ. ସ୍କୁଲ ଅଫ ଆର୍ଟର ଅଧ୍ୟାପକମାନଙ୍କ ଏକ ଦଳ କୁଦୋପାଲି ପରିଦର୍ଶନ କରିବା ସହିତ ସହିଦସ୍ଥଳର ପରିବେଶ ଓ ଭୌଗୋଳିକ ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଛନ୍ତି। ପୁସ୍ତକର ଅନ୍ୟତମ ରଚୟିତା ଐତିହାସିକ ଦୀପକ ପଣ୍ଡାଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ‌ବୋନ୍ଦର କହିଛନ୍ତି, ଜେ.ଜେ. ସ୍କୁଲ ଅଫ୍‌ ଆର୍ଟ ପକ୍ଷରୁ ୩ଡି ପ୍ଲାନ୍‌ ଦିଆଯାଇଛି। ପୂର୍ଣ୍ଣାଙ୍ଗ ବ୍ୟୟ ଅଟକଳ ପ୍ରଦାନ ପରେ ସହିଦ ସ୍ମାରକୀ ନିର୍ମାଣ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଅବହେଳାର ଶିକାର ମାରାଗୁଡ଼ା ଉପତ୍ୟକା

ଅଶ୍ବିନୀ ପାଣିଗ୍ରାହୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜୋଙ୍କ ନଦୀକୂଳରେ ଷଷ୍ଠ ଶତାବ୍ଦୀରେ ଗଢ଼ି ଉଠିଥିଲା ମାରାଗୁଡ଼ା ସଭ୍ୟତା। ଏଠି ଦକ୍ଷିଣ କୋଶଳର ରାଜାମାନେ ରାଜଧାନୀ ସ୍ଥାପନ କରିଥିଲେ। ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ୪ ଶହ ବର୍ଷ ଧରି କୁଶାଣ, ସାତବାହାନ, ଭକଟକ, ନଳ, ସରଭପୁରୀୟ, ପାଣ୍ତୁବଂଶୀ, ସୋମବଂଶୀ, କାଳଚୁରୀ, ଚୌହାନ ବଂଶୀୟ ରାଜାମାନେ ଶାସନ କରିଥିଲେ। ଚୌହାନମାନେ ଶେଷଥର ପାଇଁ ଶାସନ କରିଥିଲେ। ରାଜଧାନୀର କ୍ଷେତ୍ରଫଳ ୧୦ କିମି ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପଶ୍ଚିମରେ ଛତିଶଗଡ଼, ପୂର୍ବରେ ପାଟଣା ଓ ଦକ୍ଷିଣରେ କଳାହାଣ୍ତି ରାଜ୍ୟ ରହିଥିଲା। ଏବେ ମାରାଗୁଡ଼ା ସଭ୍ୟତାର ଭଗ୍ନାବଶେଷ ଦେଖିଲେ ଏକ ବିତ୍ତଶାଳୀ, ସଂସ୍କୃତି ସମ୍ପନ୍ନ ରାଜ୍ୟ ଥିବାର ଅନୁମାନ ହୁଏ। ସେହିପରି ସୁନାବେଡ଼ା ଉପତ୍ୟକାରେ ଚୌହାନବଂଶୀୟ ରାଜାଙ୍କ ଜୁମଲାଗଡ଼ ଦୁର୍ଗର ଭଗ୍ନାବଶେଷ ରହିଛି। ଇତିହାସର ମୂକସାକ୍ଷୀ ସାଜିଥିବା ମାରାଗୁଡ଼ା ରକ୍ଷଣାବେକ୍ଷଣ ଅଭାବରୁ ନିଶ୍ଚିହ୍ନ ହେବାରେ ଲାଗିଛି। ଏବେ ବି ମାରାଗୁଡ଼ାର ଭଗ୍ନାବଶେଷକୁ ଦେଖିଲେ ସେତେବେଳର ନଗର ଓ ପ୍ରାସାଦ ନିର୍ମାଣଶୈଳୀ ଅତି ଉଚ୍ଚକୋଟୀର ଥିବା ଅନୁମାନ କରାଯାଏ। ମୋଟା ଇଟା ସହ ପଥରରେ କୋଠା ନିର୍ମାଣ ହୋଇଥିଲା। ଅତିସୂକ୍ଷ୍ମ କାରୁକାର୍ଯ୍ୟଭରା ରାଜପ୍ରସାଦ ରହିଥିବା ବେଳେ ରାସ୍ତାଗୁଡ଼ିକ ସିଧାସଳଖ ରହୁଥିଲା।

ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନେଜ୍‌ ବ୍ୟବସ୍ଥା ଥିଲା। ମାରାଗୁଡ଼ା ଭଗ୍ନାବଶେଷ ନିକଟରେ ୧୫୦ ଏକରର ଏକ ବଡ଼ ଜଳାଶୟ ‘ରାଏତାଲ ସାଗର’ ରହିଛି। ସେଠାରୁ ରାଜଧାନୀ ଅଞ୍ଚଳର ଚାଷୀ ନାଳ ଖୋଳି ଜଳସେଚନ ସୁବିଧା କରିଥିଲେ। ଏବେ ସୁନାବେଡ଼ା ଅଭୟାରଣ୍ୟର ଏହି ସାଗର ଏକ ପକ୍ଷୀବିହାର ଭାବେ ବେଶ୍‌ ଜଣାଶୁଣା। ୧୯୭୪ରୁ ୧୯୮୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟଠାରୁ ୧୫ କିମି ଦୂରତାରେ ଖନନ କାର୍ଯ୍ୟ ହୋଇଥିଲା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ୟୁ.ସି. ପଟେଲଙ୍କ ନେତୃତ୍ବରେ ଗଠିତ ଖନନ ଟିମ୍‌ରେ ବିଶିଷ୍ଟ ପ୍ରତ୍ନତାତ୍ତ୍ବିକ ନବୀନ ସାହୁ ଓ ପ୍ରତ୍ନତାତ୍ତ୍ବିକ ଜିତାମିତ୍ର ସିଂହଦେଓ ସାମିଲ ହୋଇଥିଲେ। ଖନନ ପରେ ଏହାର ନାମ ମାରାଗୁଡ଼ା ସଭ୍ୟତା ବୋଲି ଜଣାପଡ଼ିଥିଲା। ସେତେବେଳେ ଏହା ଏକ ଉନ୍ନତ ସଭ୍ୟତା ଥିଲା। ଯେଉଁଠି ସ୍ବର୍ଣ୍ଣମୁଦ୍ରା ପ୍ରଚଳିତ ହେଉଥିବା ଜଣାପଡ଼ିଥିଲା। ସେଠାରୁ ବୌଦ୍ଧ, ଜୈନ, ଶକ୍ତି, ଶିବଲିଙ୍ଗ, କାର୍ତ୍ତିକେୟ, ବିଷ୍ଣୁ ମୂର୍ତ୍ତି ବାହାରିଥିଲା। ଏଥିରୁ ଶାକ୍ତ, ଶୈବ, ବୌଦ୍ଧ, ଜୈନ, ବୈଷ୍ଣବ ଧର୍ମାବଲମ୍ବୀ ପର୍ଯ୍ୟାୟକ୍ରମେ ବସବାସ କରୁଥିବା ସ୍ପଷ୍ଟ ହୋଇଥିଲା। ସେଠାରୁ ବହୁ ମୂର୍ତ୍ତି ରାଜ୍ୟ ସଂଗ୍ରହଳାୟକୁ ପଠାଯାଇଥିବା ବେଳେ ଅନେକ ମୂର୍ତ୍ତିକୁ ଜିଲ୍ଲା ସଂଗ୍ରହାଳୟରେ ରଖାଯାଇଛି। ହେଲେ ଅବହେଳା ହେତୁ ଏହି ସ୍ଥାନକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ। ଫଳରେ ମାରାଗୁଡ଼ା ସଭ୍ୟତାର ଚିହ୍ନ କ୍ରମେ ନିଶ୍ଚିହ୍ନ ହୋଇଯିବ ବୋଲି ମତପ୍ରକାଶ ପାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button