Breaking News

ସାହିତ୍ୟ ଜଗତରେ କବିତା ସବୁଠୁ ଅଧିକ ଶକ୍ତିଶାଳୀ ଦିଗ:ରାଜ୍ୟପାଳ

ରୁଚିକାଙ୍କ ‘ଏ ବଡି ଅଫ୍ ରାପ୍ସୋଡି’ ଉନ୍ମୋଚିତ

0

ଭୁବନେଶ୍ବର: ସବୁ ପିଲାଙ୍କ ଭଳି ତାଙ୍କର ମଧ୍ୟ ହସିବା ଖେଳିବା ଓ ପାଠପଢ଼ିବା ବୟସ। କରୋନାର କଟକଣା କାଳରେ ସେ କିନ୍ତୁ ନିମଗ୍ନ ରହିଲେ ଭାବ ରାଇଜରେ, ଆଉ କାବ୍ୟ କବିତା ରଚନା କରିବା ତାଙ୍କ ନିତିଦିନିଆ ଅଭ୍ୟାସ ହୋଇଗଲା। ମୋବାଇଲ୍ କିମ୍ବା ଟିଭି ବଦଳରେ ପାଠପଢ଼ା ସହ ଅବସର ସମୟ ମିଳିଲେ ସେ ନିମଗ୍ନ ହୋଇପଡ଼ନ୍ତି। ଶବ୍ଦ ଆଉ ଭାବ ସହ ଲେଖନ୍ତି କବିତା। ଏଭଳି ଜଣେ ପ୍ରତିଭାଧାରୀ ହେଉଛନ୍ତି କୋରାପୁଟ ଜିଲା ସେମିଳିଗୁଡ଼ାର ଝିଅ ରୁଚିକା ଦିବ୍ୟଦର୍ଶିନୀ। ନିୟମିତ କବିତା ଲେଖାସବୁକୁ ଏକାଠି କରି ପ୍ରଥମେ ୨୦୨୧ରେ ପ୍ରକାଶ ପାଏ ‘ଦ ଏପିସେଣ୍ଟ୍ରିକ୍ ଲିରିକ୍’। ସେହିପରି ମଙ୍ଗଳବାର ଦ୍ୱିତୀୟ ପୁସ୍ତକ ‘ଏ ବଡି ଅଫ୍ ରାପ୍ସୋଡି’ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍ ମହୋଦୟଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି।


ରୁଚିକାଙ୍କ ପ୍ରତିଭା ଓ ତାଙ୍କ ସୃଷ୍ଟିକୁ ଉଚ୍ଚ ପ୍ରଶଂସା କରିବା ସହ ସାହିତ୍ୟ ଜଗତରେ କବିତା ସବୁଠୁ ଅଧିକ ଶକ୍ତିଶାଳୀ ଦିଗ ବୋଲି ରାଜ୍ୟପାଳ ଡ. ଗଣେଶୀ ଲାଲ୍ ପ୍ରକାଶ କରିଥିଲେ। ଖୁବ୍ କମ୍ ପ୍ରତିଭା ଏଭଳି କମ୍ ବୟସରେ ସୁବାସ ଚହଟାଇ ପାରନ୍ତି ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେହିପରି ପ୍ରକୃତି, ପ୍ରାଣୀ ଓ ସମ୍ପର୍କ-ଭାବ ଆଦିକୁ ନେଇ ଶବ୍ଦରେ ଗୁନ୍ଥିବାକୁ ସେ ଚେଷ୍ଟା କରିଆସୁଛନ୍ତି ବୋଲି ରୁଚିକା କହିଛନ୍ତି।


ରୁଚିକାଙ୍କ ପ୍ରଥମ ପୁସ୍ତକ ୨୦୦ କବିତାକୁ ନେଇ ସମୃଦ୍ଧ ହୋଇଥିବାବେଳେ ଦ୍ୱିତୀୟ ପୁସ୍ତକରେ ୨୦୫ଟି ସନ୍ନିବେଶିତ ହୋଇଛି। ଉଭୟ ପୁସ୍ତକକୁ ଦିଲ୍ଲୀର ନାମ୍ୟା ପବ୍ଲିଶର୍ ପ୍ରକାଶ କରିଛନ୍ତି ଏବଂ ବହି ଆମାଜନ୍ରେ ଉପଲବ୍ଧ ଅଛି। ସୂଚନା ଥାଉକି, ରୁଚିକା ସମ୍ପ୍ରତି ରାଜଧାନୀରେ ନିଟ୍ (ମେଡିକାଲ୍) ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଜିର ପୁସ୍ତକ ଉନ୍ମୋଚନ ଅବସରରେ ତାଙ୍କ ମାମୁ ଓ ମାଇଁ ଉପସ୍ଥିତ ଥିଲେ।

Leave A Reply

Your email address will not be published.