Breaking News

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର  ସୁରକ୍ଷାକୁ ମିଶନ ଭାବେ ନେଇ କାର୍ୟ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ, ସ୍ଥାନୀୟ ଗୋଷ୍ଠୀଙ୍କ ସଂପୃକ୍ତି ଓ ବ୍ୟାପକ ଜନ ସଚେତନତା ଉପରେ  ଗୁରୁତ୍ୱ

ଭୁବନେଶ୍ୱର:  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ନେଇ ସୁଦୃଢ ରଣନୀତି ଓ ପଦକ୍ଷେପ ନିଆଯିବା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଲୋକସେବା ଭବନ କାର୍ୟ୍ୟାଳୟଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତିକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମୟୂରଭଂଜ ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ , ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ପ୍ରମୁଖ ଲୋକ ସେବା ଭବନରେ ଉପସ୍ଥିତ ଥିବା ବେଳେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲଙ୍କ ସମେତ ମୟୁରଭଂଜ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ. ଡିଏଫ୍ ଓ, ବାରିପଦା, କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଏବଂ ଜାମୁଡା, ରାଇରଙ୍ଗପୁର, କରଂଜିଆ ଆଦି ସଂପୃକ୍ତ ବ୍କକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ ବ୍ଲକସ୍ତରୀୟ ଅଧିକାରୀମାନେ ଓସ୍ୱାନ୍ ବ୍ୟବସ୍ଥାରେ ବୈଠକରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ନିକଟରେ ସଶସ୍ତ୍ର ଶିକାରୀଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ଦୁଃଖଦ ମୃତ୍ୟୁ  ଏବଂ ଏହି ଅଭୟାରଣ୍ୟର ସୁରକ୍ଷା ପାଇଁ ଉଭୟ ସ୍ୱଳ୍ପ ଏବଂ ଦୀର୍ଘମିଆଦୀ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ସଂପର୍କରେ ବିଶଦ୍ ଆଲୋଚନା ହୋଇଥିଲା ।  ବୈଠକରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ଓଡିଶାର ଶିମିଳିପାଳ ଅଭୟାରଣ୍ୟ ଆମ ଦେଶର ଗର୍ବ ଓ  ଗୌରବ । ଏହାର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ନିତାନ୍ତ ଆବଶ୍ୟକ । ଅତୀତରେ ବନ୍ୟା ବାତ୍ୟା ଭଳି ବଡ ବଡ ବିପର୍ୟ୍ୟୟକୁ ମୁକାବିଲା କରିବାରେ ଓଡିଶା ସୁନାମ ଅର୍ଜନ କରିଛି । ନିକଟରେ ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ୟ୍ୟରେ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀ ଅଭୂତପୂର୍ବ ସହଯୋଗ ଦେଇଛନ୍ତି ।   ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପ୍ରସଙ୍ଗରେ ବନ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି  ଅଭୟାରଣ୍ୟ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଛି  ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ ।
ଏ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମୟୁରଭଂଜ  ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ  ବିଡିଓଙ୍କୁ ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ପ୍ରୟାସ ଦିଗରେ ସମ୍ମନ୍ୱିତ ଆକ୍ସନ ପ୍ଲାନ୍ ଦେବାକୁ କୁହାଯାଇଛି । ସ୍ଥାନୀୟ ଭାଷାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ବିକଶିତ କରିବା ଏବଂ ଗ୍ରାମବାସୀଙ୍କ ସହ ନିୟମିତ ସଚେତନତା ବୈଠକ କରିବା ଉପରେ  ଗୁରୁତ୍ୱ ଦିଆଯାଇଛି ।  ଜିଲ୍ଲାସ୍ତରରେ  ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୃକ୍ତିରେ ସମନ୍ୱୟ କକ୍ଷ ଖୋଲାଯାଇ ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବାକୁ କୁହାଯାଇଛି ।  ଡିଜିପି ବଂଶଲ ଯୋଗଦେଇ ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏହି ମିଶନର ସଫଳତା ପାଇଁ ପୁଲିସ୍ ପ୍ରଶାସନର ସମସ୍ତ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ ।
ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ଯୋଗଦେଇ ଶିମିଳିପାଳ ଅଭୟାରଣ୍ୟର ଗୁରୁତ୍ୱ ସଂପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ ।  ଏହି ଅଭୟାରଣ୍ୟ ସଂଲଗ୍ନ  ଅଂଚଳରେ ୨୫୨ ଟି ଗ୍ରାମର ପ୍ରାୟ ୧୦ ହଜାରରୁ ଅଧିକ ଅଧିବାସୀ ଜଙ୍ଗଲ  ସମ୍ପଦ  ଉପରେ ନିର୍ଭର କରୁଛନ୍ତି । ଏଥିରୁ ୫ ଟି ଗ୍ରାମର ୨୫୦ ପରିବାରଙ୍କୁ ସଂପୂର୍ଣ୍ଣ ଭାବେ ଅନ୍ୟତ୍ର ସ୍ଥାନାନ୍ତର ପରେ ବସତି ବ୍ୟବସ୍ଥା କରାଯାଇସାରିଛି । ୧୯୭୩ ମସିହାରେ ଭାରତ  ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦେଶରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ପ୍ରମୁଖ ୯ଟି ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ୧୨୦୦ ପ୍ରଜାତିର  ଫୁଲ ଗଛ, ୯୭ ପ୍ରକାର ଅର୍କିଡ୍, ୬୦ ପ୍ରକାର ସରୀସୃପ, ୩୫୦ ପ୍ରକାର ପକ୍ଷୀ ଓ ୫୫ ପ୍ରକାର ସ୍ତନ୍ୟପାୟୀ  ପ୍ରାଣୀ ଅଛନ୍ତି ।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଦେଶରେ ବିରଳ ପ୍ରଜାତିର ବାଘ ପାଇଁ ପ୍ରସିଦ୍ଧ । ଏହାର ସୁରକ୍ଷା ପାଇଁ ୬୦୦ରୁ ଉର୍ଦ୍ଧ୍ଵ ବନସୁରକ୍ଷା ସହାୟକ, ଆଖପାଖ ଅଂଚଳରୁ ନିୟୋଜିତ କରାଯାଇଥିବା ବେଳେ  ଜଙ୍ଗଲରେ ନିଆଁ  ଲିଭାଇବା ସମୟରେ ୨୦୦  ରୁ ଅଧିକ ଲୋକ ମୁତୟନ ରହିଥାନ୍ତି ।  ୮୦ ରୁ ଅଧିକ ଇକୋ ଉନ୍ନୟନ ପରିଷଦ  ଜଙ୍ଗଲ ଡିଭିଜନ ସୀମାରେ ଗଠନ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ  ଅଞ୍ଚଳ ୨୭୫୦ ବର୍ଗ କିଲୋମିଟର ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ୨୩୦୬.୬୧ ବର୍ଗ କିଲୋମିଟର ରୁ ଅଧିକ ହୋଇଥିବା ବେଳେ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳ ୫୫୦୦ ବର୍ଗ କିଲୋମିଟର ରହିଛି ଏବଂ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ୮୪୫ ବର୍ଗ କିଲୋମିଟରରୁ ଅଧିକ ଅଟେ । ଶିମିଳିପାଳରୁ  ଉତ୍ତର ଓଡ଼ିଶାର ବୁଢ଼ାବଳଙ୍ଗା, ଦେଓ ଆଦି ବୃହତ୍  ନଦୀ ଓ ଅନେକ ଜଳାଶୟ ସୃଷ୍ଟି ହୋଇଛି । ଆଦିବାସୀ ଅଧ୍ୟୁଷିତ ଏହି  ସଂଲଗ୍ନ ଅଞ୍ଚଳରେ ସାନ୍ତାଳ, କୋଲ୍ଲ, ବାଥୁଡି, ଭୂମିଜ, ମୁଣ୍ଡା, ବିନ୍ଧାଣୀ ଆଦିବାସୀଙ୍କ ବ୍ୟତୀତ ଖଡିଆ, ମାଙ୍କଡ଼ିଆ, ଲୋଧା ଆଦି ଆଦିବାସୀ ଗୋଷ୍ଠୀ ରହୁଛନ୍ତି । ସେମାନଙ୍କର ଜୀବୀକାର୍ଜନ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହିସବୁ ଅଂଚଳରେ ସେସବୁ କାର୍ୟ୍ୟକ୍ରମ କରାଯାଉଥିବା ସତ୍ତ୍ୱେ ଏହାକୁ ଅଧିକ ଗୁରୁତର ସହିତ ନେଇ ଅଧିକ କାର୍ୟ୍ୟକ୍ରମ କରିବାକୁ ବିଭାଗର ସମସ୍ତ ସହଯୋଗ ରହିବା  ସଂପର୍କରେ ରାଜ୍ୟ ପଂଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ ପ୍ରକାଶ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ ଆଦି ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେବା ସହ ଜଙ୍ଗଲ ଉପକଣ୍ଠ ଗ୍ରାମଗୁଡ଼ିକ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାଂସ୍କୃତିକ କାର୍ୟ୍ୟକ୍ରମ ଜରିଆଲେ ସଚେତନା କାର୍ୟ୍ୟକରାଯିବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲାସ୍ତରୀୟ କମିଟି କରାଯାଇ ଏଥି ନିମନ୍ତେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଥିବା ସଂପର୍କରେ ମୟୂରଭଂଜ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଶିମିଳିପାଳ ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ କହିଥିଲେ ଯେ, ପୂର୍ବରୁ ଶିମିଳି ପାଳ ଅଭୟାରଣ୍ୟ ଜଙ୍ଗଲରେ  ନିଆଁ ଲାଗିବା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ  ତାହା ରୋକାଯାଇ  ପାରିଛି । ମହିଳା ବନ କର୍ମଚାରୀମାନେ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ ଏ ଦିଗରେ ସଚେତନ କରିପାରିବେ ବୋଲି ସେ           କହିଥିଲେ । ଇତି ମଧ୍ୟରେ ବେଆଇନ୍ ଶିକାରୀ ଓ ଅନୁପ୍ରବେଶକାରୀଙ୍କ ପ୍ରତି କଡା ନଜର ରଖା ଯାଇଥିବା ସହ କମ୍ବିଂ ଅପରେସନ୍ ଆରମ୍ଭ ହୋଇଯାଇଥିବା ବାରିପଦା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ ।

Comments are closed.