ଖେଳ

Odisha in the 2025-26 BCCI season: ପରିଡ଼ା, ସେନାପତି, ସାମଲ, ପୋଦାର, ବିଶ୍ବାଳ, ସାମନ୍ତରାୟ, ପ୍ରଧାନ, ସ୍ବାଇଁ, ମହାନ୍ତିଙ୍କ ଚମକ

ବିସିସିଆଇର ଘରୋଇ କ୍ରିକେଟ୍‌ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଓଡ଼ିଶା କିନ୍ତୁ ବହୁ ପୂର୍ବରୁ ହାତ ଟେକି ଦେଇ ବସିପଡ଼ିଛି। ଆମେ କେବଳ ଓଡ଼ିଶା ବରିଷ୍ଠ ପୁରୁଷ ଦଳ କଥା କହୁଛୁ, ଯିଏ ୨୦୨୫-୨୬ ଋତୁରେ ସମସ୍ତ ଫର୍ମାଟ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି।

ଭୁବନେଶ୍ବର (ସୁରେଶ ସ୍ବାଇଁ): ବିସିସିଆଇର ଘରୋଇ କ୍ରିକେଟ୍‌ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଓଡ଼ିଶା କିନ୍ତୁ ବହୁ ପୂର୍ବରୁ ହାତ ଟେକି ଦେଇ ବସିପଡ଼ିଛି। ଆମେ କେବଳ ଓଡ଼ିଶା ବରିଷ୍ଠ ପୁରୁଷ ଦଳ କଥା କହୁଛୁ, ଯିଏ ୨୦୨୫-୨୬ ଋତୁରେ ସମସ୍ତ ଫର୍ମାଟ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି। ଟ୍ବେଣ୍ଟି-୨୦ ପ୍ରତିଯୋଗିତା ‘ସୟଦ ମୁସ୍ତାକ ଅଲୀ ଟ୍ରଫି’ ଏବଂ ୫୦ ଓଭରିଆ ଦିନିକିଆ ପ୍ରତିଯୋଗିତା ‘ବିଜୟ ହଜାରେ ଟ୍ରଫି’ରେ ସମାନ ଷଷ୍ଠ ସ୍ଥାନ ପାଇଛି ୮ ଦଳୀୟ ଗ୍ରୁପ୍‌ରେ। ଶ୍ରେଷ୍ଠ ପ୍ରଥମ‌ ଶ୍ରେଣୀ ପ୍ରତିଯୋଗିତା ‘ରଣଜୀ ଟ୍ରଫି’ରେ ବି ଶେଷ ଦୁଇ ସ୍ଥାନରେ ରହିଛି ଓଡ଼ିଶା ଦଳ। କେବଳ ନାଗାଲାଣ୍ଡ ରହିଛି ଆମ ତଳେ। ମୋଟ ଉପରେ କହିଲେ ବିସିସିଆଇର ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାରେ ଖେଳୁଥିବା ୩୮ ଦଳ ମଧ୍ୟରୁ ଶୀର୍ଷ ୨୫ ଭିତରେ ରହିପାରିନାହିଁ ଓଡ଼ିଶା। କୌଣସି ଗୋଟିଏ ପ୍ରତିଯୋଗିତାରେ ବି ବରିଷ୍ଠ ଦଳ ଲିଗ୍‌ ହିଡ଼ ଡେଇଁ ପାରିନାହିଁ। ମୋତେ ଯେତେ ମାଠିବୁ ମାଠ…ଭଳି ଓଡ଼ିଶା କ୍ରିକେଟ୍‌କୁ ଯେତେ ଉତ୍ସାହ ଦେଲେ କି ଯେତେ ସମାଲୋଚନା କଲେ ଏହାର କୌଣସି ଫରକ ପଡ଼ୁନାହିଁ। ରଣଜୀ ଟ୍ରଫି: ନୈରାଶ୍ୟଜନକ ଋତୁରେ କିନ୍ତୁ କିଛି ବ୍ୟକ୍ତିଗତ ପ୍ରଦର୍ଶନ ଆଶାର ଆଲୋକ ଦେଖାଇଛି ଭବିଷ୍ୟତ ପାଇଁ।

ରଣଜୀ ଟ୍ରଫିରେ…

ରଣଜୀ ଟ୍ରଫିରେ ସମ୍ପୂର୍ଣ୍ଣ ସୁଯୋଗ ପାଇନଥିବା ଅନିଲ ପରିଡ଼ା ସର୍ବାଧିକ ହାରାହାରି ୭୮.୭୫ରେ ୧ ଶତକ, ୨୧ ଅର୍ଦ୍ଧଶତକ ସହିତ ୩୧୫ ରନ୍‌ କରିଥିଲେ। ପୂର୍ବ ସିଜନର ଶେଷ ମ୍ୟାଚ୍‌ ତଥା ନିଜ ପଦାର୍ପଣ ମ୍ୟାଚ୍‌ରେ ୯୯* ରନ୍‌ ସଂଗ୍ରହ କରିବା ସତ୍ତ୍ବେ ତାଙ୍କୁ ପ୍ରଥମ ୩ ମ୍ୟାଚ୍‌ରେ ଖେଳିବା ସୁଯୋଗ ମିଳିନଥିଲା। ଏଥର ସେ ୭ ମ୍ୟାଚ୍‌ରୁ ମାତ୍ର ୩ ଖେଳି ହାରାହାରିରେ ଶ୍ରେଷ୍ଠ ରହିଛନ୍ତି। ଅଧିନାୟକ ଶୁଭ୍ରାଂଶୁ ସେନାପତି ହାରାହାରିରେ (୪୧.୭୬)ରେ ଦ୍ବିତୀୟ ହୋଇଥିଲେ ମଧ୍ୟ ଓଡ଼ିଶା ପାଇଁ ସିଜନ୍‌ରେ ସର୍ବାଧିକ ୫୪୩ ରନ୍‌ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୧ ଶତକ ଓ ୪ ଅର୍ଦ୍ଧଶତକ ସାମିଲ ଥିଲା। ଯୁବ ଓପନର୍‌ ସ୍ବସ୍ତିକ ସାମଲ ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ୫୦୦+ ରନ୍‌ (୫୦୧) ସଂଗ୍ରହ କରିଥିଲେ। ଗୋଟିଏ ଶତକ ଓ ୩ ଅର୍ଦ୍ଧଶତକ ମାରିଥିଲେ ସାମଲ। ବୋଲିଂରେ ଓଡ଼ିଶାର ସ୍ପେଶାଲିଷ୍ଟ୍‌ ବୋଲର ନୁହଁନ୍ତି ସାମୟିକ ବୋଲର ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୨୦ ୱିକେଟ୍ ନେଇଥିଲେ। ‌ସେ ବ୍ୟାଟ୍‌ରେ ମଧ୍ୟ ୩୩୨ ରନ୍‌ ସଂଗ୍ରହ କରିଥିଲେ। ଯୁବ ଅଫସ୍ପିନର୍‌ ବାଦଲ ବିଶ୍ବାଳ ୬ ମ୍ୟାଚ୍‌ରୁ ୧୬ ୱିକେଟ୍‌ ପାଇଥିବାବେଳେ ଷ୍ଟ୍ରାଇକ୍ ବୋଲର ରାଜେଶ ମହାନ୍ତି ନେଇଥିଲେ ୧୧ ୱିକେଟ୍‌। ଶେଷ ମ୍ୟାଚ୍‌ରେ ପଦାର୍ପଣ କରି ବାମହାତୀ ସ୍ପିନର୍‌ ସୟଦ ତୁଫୈଲ ଅହମ୍ମଦ ୮ ୱିକେଟ୍‌ ଦଖଲ କରିବା ସବୁଠାରୁ ପ୍ରଶଂସନୀୟ ଥିଲା।

ବିଜୟ ହଜାରେ ଟ୍ରଫି

ବିଜୟ ହଜାରେ ଟ୍ରଫି: ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ରନ୍‌ (୩୬୨) ଓ ସର୍ବୋଚ୍ଚ ହାରାହାରି (୪୯.୭୧)ରେ ଯୁଗଳ ଅର୍ଜନ କରିଛନ୍ତି ସ୍ବସ୍ତିକ ସାମଲ। ଗୋଟିଏ ଲେଖାଏଁ ଶତକ ଓ ଦ୍ବିଶତକ ଅର୍ଜନ କରି ସେ ବିଶେଷ ପ୍ରଭାବିତ କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଦ୍ବିଶତକ ଅର୍ଜନ କରିଥିଲେ। ଅଧିନାୟକ ବିପ୍ଳବ ସାମନ୍ତରାୟ ୪୯.୧୬ ରନ୍‌ ହାରରେ ୭ ମ୍ୟାଚ୍‌ରୁ ୨୯୫ ରନ୍‌ ସଂଗ୍ରହ କରିଥିଲେ। ବୋଲିଂରେ ମଧ୍ୟ ବିପ୍ଳବ ସାମନ୍ତରାୟ ୮ ୱିକେଟ୍‌ ଅକ୍ତିଆର କରିଥିଲେ। ଗୋବିନ୍ଦ ପୋଦ୍ଦାର ୨୪୩ ରନ୍‌ ସଂଗ୍ରହ ସହିତ ୭ ୱିକେଟ୍‌ ଦଖଲ କରିଥିଲେ। ଦୁଇ ଅଭିଜ୍ଞ ଖେଳାଳି ବିପ୍ଳବ ଓ ଗୋବିନ୍ଦ ନିର୍ଭରଯୋଗ୍ୟ ଅଲ୍‌ରାଉଣ୍ଡର୍‌ ଭାବେ ଉଭା ହୋଇଛନ୍ତି। ଦେବବ୍ରତ ପ୍ରଧାନ ସର୍ବାଧିକ ୧୧ ୱିକେଟ୍ ନେଇ ମୁଖ୍ୟ ବୋଲର ରାଜେଶ ମହାନ୍ତି (୮)ଙ୍କୁ ପଛରେ ପକାଇଛନ୍ତି। ଯୁବ ତାରକା ସମ୍ବିତ ବରାଳ ଦ୍ବିତୀୟ ସର୍ବାଧିକ ୯ ୱିକେଟ୍‌ ନେଇଥିଲେ। ପ୍ରଥମ ଓଡ଼ିଆ ଭାବେ ଏହି ଫର୍ମାଟରେ ହ୍ୟାଟ୍ରିକ୍ ନେଇଥିବା ରାଜେଶ ମହାନ୍ତି ନେଇଥିଲେ ୮ ୱିକେଟ୍‌।

ସୟଦ ମୁସ୍ତାକ ଅଲୀ ଟ୍ରଫି

ସୟଦ ମୁସ୍ତାକ ଅଲୀ ଟ୍ରଫି: ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଯୁବ ୱିକେଟରକ୍ଷକ ବ୍ୟାଟର୍‌ ଅଶୀର୍ବାଦ ସ୍ବାଇଁ ସର୍ବୋଚ୍ଚ ହାରାହାରି ୬୯.୦୦ରେ ଖେଳିଥିଲେ। ସୀମିତ ୪ ମ୍ୟାଚ୍‌ରୁ ସେ ଗୋଟିଏ ଅର୍ଦ୍ଧଶତକ ସହ ୧୩୮ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ବିପ୍ଳବ ସାମନ୍ତରାୟ କିନ୍ତୁ ସର୍ବାଧିକ ୧୭୭ ରନ୍‌ ସଂଗ୍ରହ କରିଥିଲେ ୨୯.୫୦ ହାରରେ। ୭ ମ୍ୟାଚ୍‌ ଖେଳି ବିପ୍ଳବ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ମଧ୍ୟ ବିପ୍ଳବ ୯ ୱିକେଟ୍‌ ଅକ୍ତିଆର କରି ‘ଓଲ୍ଡ ଇଜ୍‌ ଗୋଲ୍ଡ’ ବୋଲି ପ୍ରମାଣିତ କରିଥିଲେ। ରାଜେଶ ମହାନ୍ତି ନିଜ ବିଲିଂ ମୁତାବକ ବୋଲିଂ କରି ମାତ୍ର ୧୫.୪୧ ହାରରେ ୧୨ ୱିକେଟ୍‌ ଅକ୍ତିଆର କରିଥିଲେ।

୯ ନବାଗତ: ସିଜନ୍‌ ସାରା ଏତେ ପରୀକ୍ଷା ନିରୀକ୍ଷା ହୋଇଥିଲା ଯେ ୯ ଜଣ ଖେଳାଳିଙ୍କୁ ପଦାର୍ପଣ ସୁଯୋଗ ମିଳିଛି। ରଣଜୀ ଟ୍ରଫିରେ ଗୌରବ ଚୌଧୁରୀ, ସମ୍ବିତ ବରାଳ, ବାଦଲ ବିଶ୍ବାଳ, ସୌରଭ ଗୌଡ଼, ସାୱନ ପହରିଆ, ସୟଦ ତୁଫୈଲ ଅହମ୍ମଦ ଏବଂ ବିଜୟ ହଜାରେ ଟ୍ରଫିରେ ସୌମ୍ୟରଂଜନ ଲେଙ୍କା, ସମ୍ବିତ ବରାଳ, ବାଦଲ ବିଶ୍ବାଳ, ଓମ୍‌ ଟି ମୁଣ୍ଡେ, ସୟଦ ତୁଫୈଲ ଅହମ୍ମଦ, ଦିନେଶ ମାଝୀ ପଦାର୍ପଣ କରିଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବାଦଲ ବିଶ୍ବାଳ ଓ ସାୱନ ପହରିୟାଙ୍କ ପଦାର୍ପଣ ଦେଖିବାକୁ ମିଳିଛି। ଉପରୋକ୍ତ ୯ ଜଣଙ୍କ ଭିତରୁ ମାତ୍ର ୨ ଖେଳାଳି ଯୁବ ଅଲ୍‌ରାଉଣ୍ଡର୍‌ ସମ୍ବିତ ବରାଳ ଓ ସ୍ପିନର୍‌ ବାଦଲ ବିଶ୍ବାଳ ତିନିଟି ଯାକ ଫର୍ମାଟ୍‌ରେ ପଦାର୍ପଣ କରି ନୂଆ ଜୀବନ ଆରମ୍ଭ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button