Odisha Police: ଦୁଇମାସରେ ୧୩୪୬କୋଟି ଟଙ୍କାର ଗଞ୍ଜେଇ ଜବତ
ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ୨୮ ଫେବ୍ରୁଆରି ମଧ୍ୟରେ ଓଡ଼ିଶା ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୪୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରିଛି। ୧୩୪୬କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି।

ଭୁବନେଶ୍ବର: ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ୨୮ ଫେବ୍ରୁଆରି ମଧ୍ୟରେ ଓଡ଼ିଶା ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୪୪କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରିଛି। ୧୩୪୬କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି।
ଆଜି ଭୁବନେଶ୍ବର ପୁଲିସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ଏନେଇ ସୂଚନା ଦିଆଯାଇଛି। ସୂଚନାନୁସାରେ, ୨ ମାସ ମଧ୍ୟରେ ୪୧.୭କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର, ୧୦.୧୭କୋଟି ଟଙ୍କା ମୂଲ୍ୟର ବେଆଇନ କଫ୍ ସିରପ୍, ୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ଲିଟର ଗଞ୍ଜେଇ ତେଲ ଜବତକରାଯାଇଛି। ଏହି ସମସ୍ତ ମାମଲାରେ ୬୫୪ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି।
ଏହା ସହିତ ସେ କହିଛନ୍ତି ଯେ ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡିଶା ପୁଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ୧ ଏପ୍ରିଲ ୨୦୨୬ ଠାରୁ ଆରମ୍ଭ ହେବ। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ହେବ ବୋଲି ଦୃଢ଼ୋକ୍ତି କରିଛନ୍ତି।
ନକ୍ସଲ ଗୋଷ୍ଠୀଙ୍କ ସହ ଗଞ୍ଜେଇ ଚାଷର ସମ୍ପର୍କ ନିବିଡ଼ ବୋଲି ଦାବି କରି ଡିଜିପି କହିଛନ୍ତି, ପୁଲିସର ନିରନ୍ତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ନକ୍ସଲ କାର୍ଯ୍ୟକଳାପ ୧୨ଟି ଜିଲ୍ଲାରୁ ହ୍ରାସପାଇ ୨-୩ଟି ଜିଲ୍ଲାରେ ସୀମିତ ରହିଛି। ଏହାସହ ଗଜପତି, ରାୟଗଡ଼, କୋରାପୁଟ ଆଦି ଏକଦା ନକ୍ସଲ ପ୍ରଭାବିତ ଜିଲ୍ଲାରେ ୫୦ ପ୍ରତିଶତ ହ୍ରାସ ପାଇଛି।
ସୌଜନ୍ୟ ସମ୍ବାଦ




