ଜାତୀୟ

CBSEକୁ ମିଳିଲେ ନୂଆ ଅଧ୍ୟକ୍ଷ, ବରୁଣ ଭରଦ୍ୱାଜ ସଚିବ ନିଯୁକ୍ତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିବିଏସଇ (CBSE) ର ଅନ୍-ସ୍କ୍ରିନ୍ ମାର୍କିଂ (OSM) ବିବାଦକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷ ରାହୁଲ ସିଂହ ଏବଂ ସଚିବ ହିମାଂଶୁ ଗୁପ୍ତାଙ୍କ ବଦଳି ପରେ ଏବେ ବୋର୍ଡରେ ନୂଆ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ସମଗ୍ର ଟେଣ୍ଡର ପ୍ରକ୍ରିୟାର ଯାଞ୍ଚ ପାଇଁ ଗଠିତ କମିଟିର ରୂପରେଖ ସ୍ପଷ୍ଟ ହୋଇଛି ।

ବୋର୍ଡର କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ।ବରିଷ୍ଠ ଆଇଏଏସ୍ ଅଧିକାରୀ  ପ୍ରଶାନ୍ତ ସୀତାରାମ ଲୋଖଣ୍ଡେଙ୍କୁ ସିବିଏସଇର ନୂଆ ଅଧ୍ୟକ୍ଷ (Chairman) ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ବରିଷ୍ଠ ପ୍ରଶାସନିକ ଅଧିକାରୀ ବରୁଣ ଭରଦ୍ୱାଜଙ୍କୁ ବୋର୍ଡର ନୂଆ ସଚିବ (Secretary) ଦାୟିତ୍ୱ ମିଳିଛି।

ଏସ. ରାଧା ଚୌହାନ ତଦନ୍ତ କମିଟିର ଅଧ୍ୟକ୍ଷ

ସିବିଏସଇ ଦ୍ୱାରା ଡିଜିଟାଲ୍ ମୂଲ୍ୟାଙ୍କନ ବା ଓଏସଏମ (OSM) ସେବା ପାଇଁ କରାଯାଇଥିବା କ୍ରୟ ଓ ଟେଣ୍ଡର ପ୍ରକ୍ରିୟାର ଅନିୟମିତତା ଯାଞ୍ଚ କରିବା ପାଇଁ ସରକାର ଏକ ବିଶେଷ ସମିତି ଗଠନ କରିଛନ୍ତି। କ୍ୟାପାସିଟି ବିଲ୍ଡିଂ କମିଶନ ର ଚେୟାରପର୍ସନ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ଏସ. ରାଧା ଚୌହାନ ଏହି ଉଚ୍ଚସ୍ତରୀୟ ତଦନ୍ତ କମିଟିର ଅଧ୍ୟକ୍ଷତା କରିବେ। ଏହି କମିଟି ଓଏସଏମ ସିଷ୍ଟମ୍ ସହ ଜଡ଼ିତ ସମସ୍ତ ଚୁକ୍ତି, ନିୟମାବଳୀ ଏବଂ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ କରିବ।

କମିଟିର କାର୍ଯ୍ୟଶୈଳୀ

ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ତଦନ୍ତ ପ୍ରକ୍ରିୟାକୁ ସଠିକ୍ ଓ ନିରପେକ୍ଷ କରିବା ପାଇଁ କମିଟିକୁ ବିଶେଷ ସ୍ୱାଧୀନତା ଦିଆଯାଇଛି । ତଦନ୍ତ ସମୟରେ ଆବଶ୍ୟକ ପଡ଼ିଲେ କମିଟିର ଅଧ୍ୟକ୍ଷା ଏସ. ରାଧା ଚୌହାନ ଅନ୍ୟ ସରକାରୀ ବିଭାଗ କିମ୍ବା କାର୍ଯ୍ୟାଳୟର ବିଶେଷଜ୍ଞ ଓ ଅଧିକାରୀମାନଙ୍କର ସାହାଯ୍ୟ ନେଇପାରିବେ। କେନ୍ଦ୍ର ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିବାରୁ ତଦନ୍ତ ଶେଷ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିଛନ୍ତି। ତଦନ୍ତ ସମିତିକୁ ଆଗାମୀ ୩୦ ଦିନ ମଧ୍ୟରେ ନିଜର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରି କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (DoPT) ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 

 

ସୌଜନ୍ୟ Prameya News7

Show More
Back to top button