Breaking News

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ବାହନାଗା ହାଇସ୍କୁଲର ନବୀକରଣ କରାଯିବ, ଏକ ମଡେଲ ସ୍କୁଲ ଭାବରେ ବିକଶିତ ହେବ

ସ୍କୁଲର ରୂପାନ୍ତରୀକରଣ ପାଇଁ ଭଙ୍ଗାଭଙ୍ଗି କାମ ସହ ଲେଭଲିଂ ଓ ସର୍ଭେ କାମ ଆରମ୍ଭ , ୧୫ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବା ପାଇଁ ଜିଲାପାଳଙ୍କୁ ନିର୍ଦେଶ

0

ଭୁବନେଶ୍ୱର : ‍ବାଲେଶ୍ୱର ଜିଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରି ସ୍କୁଲ ଗୃହ 5-T ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଘଠିତ ଭୟାବହ ରେଳ ଦୂର୍ଘଟଣା ପରବର୍ତ୍ତି ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଶିକ୍ଷକ ଶିକ୍ଷୟତ୍ରୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହି ଭଳି ମହତ କାର୍ଯ୍ୟରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ସେ ଅଞ୍ଚଳର ଏହି ପ୍ରମୁଖ ଶିକ୍ଷା ଅନୁଷ୍ଠାନକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ଫେଲନ୍ସ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସ୍କୁଲ ର ୨ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ପ୍ରିୟଙ୍କା ବେହେରା ଓ ଷଷ୍ଠ ଶ୍ରେଣୀର ସୁମନ ସାହୁ ସ୍କୁଲର ବିକାଶ ବିଷୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ମତ ବିନିମୟ କରିଥିଲେ ଓ ସ୍କୁଲର ବିକାଶ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ । ପିଲାମାନଙ୍କର ମତାମତ ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲର ବିକାଶ ଯଥା କଂକ୍ରିଟ ଛାତ, ଶ୍ରେଣୀ ଗୃହ, ଖେଳ ପଡିଆ, ପାଚେରୀ ଆଦି ସୁବିଧା ସୁଯୋଗର ବିକାଶ ପାଇଁ ନିଷ୍ପତ୍ତି କରାଯାଇଥିଲା। ଏ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୃତି କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା।

ସ୍କୁଲର ରୂପାନ୍ତରୀକରଣ ପାଇଁ ଭଙ୍ଗାଭଙ୍ଗି କାମ ସହ ଲେଭଲିଂ ଓ ସର୍ଭେ କାମ ଆରମ୍ଭ

ପିଲାଙ୍କ ଭୟ ଅଭିଭାବକଙ୍କ ଭୟ । ଶେଷରେ ସେଇ ଭୟ ପାଇଁ ଭଙ୍ଗା ଯାଇଛି ବାହାନଗା ସ୍କୁଲ ! ଆଜି ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ଅଭିଯାନ । ୨ ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ବାହାନଗା ସ୍କୁଲ । ସ୍କୁଲର ବିଜ୍ଞାନଗାରରେ ରଖାଯାଇଥିଲା ଶତାଧିକ ମୃତଦେହ। ପରେ ଶବସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସ୍କୁଲ ପରିସରକୁ ବିଶୋଧନ କରାଯିବା ସତ୍ତ୍ୱେ ବି ପିଲା, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଭିତରେ ଡର ବସା ବାନ୍ଧିଥିଲା ।

ତେଣୁ ଶବ ରହିଥିବା ସ୍କୁଲ ଘରଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ପାଖେ ବିଭିନ୍ନ ମହଲରୁ ଦାବି ହେଉଥିଲା । ଯାହା ଆଜି ପୁରା ହୋଇଛି । ଖରା ଛୁଟି ଥିବାରୁ ଏବେଠୁ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ ଭଙ୍ଗାକାମ ।

ପ୍ରଥମେ ଶବ ଥିବା ଲମ୍ବା ହଲର ଆଜବେଷ୍ଟସ୍ ଖୋଲା ହେବା ଦେଖି ଲୋକେ ଭାବିଥିଲେ କେବଳ ଏଇ ହଲଟି ଭଙ୍ଗା ହେବ। କିନ୍ତୁ ପରେ ସିଏମଓ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବାହନଗା ହାଇସ୍କୁଲର ନବୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି । ହାଇସ୍କୁଲ ଓ ଏହା ପରିସରରେ ଥିବା ପ୍ରାଥମିକ ଏବଂ ଏଲିମେଣ୍ଟାରି ସ୍କୁଲ ଗୃହକୁ ଫାଇଭ୍-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ପୁନଃ ନିର୍ମାଣ କରାଯାଇ ଏହାକୁ ଆଦର୍ଶ ସ୍କୁଲ ଭାବେ ଗଢ଼ି ତୋଳାବାକୁ ନିଷ୍ପତ୍ତି ହୋଇଛି ।

ସେହି ଅନୁସାରେ ଆସନ୍ତା ୧୫ ଦିନ ଭିତରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁ ମହତ କାର୍ଯ୍ୟ କରିଛନ୍ତି ସେମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ ହାଇସ୍କୁଲକୁ ଫାଇଭ୍-ଟି କାର୍ଯ୍ୟକ୍ରମରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି ।

ଏପଟେ ସ୍କୁଲର ରୂପାନ୍ତରୀକରଣ ପାଇଁ ଭଙ୍ଗାଭଙ୍ଗି କାମ ସହ ଲେଭଲିଂ ଓ ସର୍ଭେ କାମ ବି ଆରମ୍ଭ ହୋଇଯାଇଛି। ସରକାରଙ୍କ ଏଇ ନିଷ୍ପତ୍ତିକୁ ସ୍ଥାନୀୟ ଅଭିଭାବକ ସ୍ବାଗତ ତ କରିଛନ୍ତି, କିଛି ବିରୋଧଭାସ ବି ଦେଖିବାକୁ ମିଳିଛି ।

Leave A Reply

Your email address will not be published.