Breaking News

ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ବିଶ୍ଵ ଦେଖିବବିକଶିତ ଭାରତରେ ଓଡ଼ିଶାରେ ମହିଳା ସଶକ୍ତିକରଣର ଝଲକ, ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟରେ ଝୁମିବେ ଦର୍ଶକ

ଭୁବନେଶ୍ଵର: ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ । ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗତକାଲି ଅପରାହ୍ନରେ ଏହି ସୂଚନା ମିଳିବାପରେ ରାଜ୍ୟ ସରକାରଙ୍କ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳି ଯାଇଛି ।୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଉଦ୍ଦେଶ୍ୟରେ,ଆଗାମୀ ସାଧାରଣତନ୍ତ୍ର ଦିବସର ପ୍ରଜ୍ଞାପନ ମେଢ ପାଇଁ ଭାରତ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ବିଷୟବସ୍ତୁ ‘ବିକଶିତ ଭାରତ’ ଏବଂ ‘ଗଣତନ୍ତ୍ରର ଜନନୀ ଭାରତ’ମଧ୍ୟରୁ ରାଜ୍ୟ ସରକାର ‘ବିକଶିତ ଭାରତ’ ବିଷୟବସ୍ତୁ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ଵ ଦେଇଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ପ୍ରକାରେ,ଦେଶର ଅର୍ଥନୈତିକ ବିକାଶ ଏବଂ ସାମାଜିକ ଉନ୍ନତି ପାଇଁ ମହିଳାସଶକ୍ତୀକରଣ ଜରୁରୀ ହୋଇଥିବାରୁ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେମହିଳା ସଶକ୍ତୀକରଣକୁ ଏହି ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି।ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା କନ୍ଦର୍ପ ହସ୍ତୀ ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ । ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ଏହା ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠାପୂର୍ଣ୍ଣ ସମର୍ପଣକୁ ଦର୍ଶାଉଛି । ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ,ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯାଇଛି ।

ସେହିପରି,ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତକରାଯାଇଛି।ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ଡଙ୍ଗରିଆ ଶାଲ, ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଯାହାକି,ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତରାଜ୍ୟର ଗ୍ରାମାଞ୍ଚଳଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରୁଛି । ସେହିପରି,ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାରଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି।ଦେବାଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାରହେଉଥିବା ବିରାଟକାୟ ଛତା,କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଉଛି ।

ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁନେଇରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଛି । ବିକାଶପଥରେଓଡ଼ିଶାଅଶ୍ଵ ବେଗରେ ଅଗ୍ରସର ହେଉଥିବାରୁ,ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁମଧ୍ୟ ସେଠାରେସ୍ଥାନିତ କରାଯାଇଛି।ସେହିପରି,ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରୁଛି ।ଏଥିସହିତ,ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ନୃତ୍ୟ ପରିବେଷଣ କରିବେ ।

ଭାରତ ସରକାରଙ୍କ ଠାରୁ ପ୍ରାପ୍ତ ପତ୍ର ଅନୁସାରେ ଓଡିଶା ସମେତ ଦେଶର ଅନ୍ୟ ପନ୍ଦରଟି ରାଜ୍ୟର ପ୍ରଜ୍ଞାପନ ମେଢ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ । ନୂଆଦିଲ୍ଲୀର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରଜ୍ଞାପନ ମେଢ ନିର୍ମାଣ ପାଇଁ ଆଗାମୀ ଆଠ ତାରିଖ ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଆବଶ୍ୟକୀୟ ଯାନ ଯୋଗାଇ ଦିଆଯିବ ଏବଂ ୨୩ ତାରିଖ ଦିନକର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା ଅଭ୍ୟାସ ପ୍ୟାରେଡରେ ଓଡିଶାର ସୁସଜ୍ଜିତ ପ୍ରଜ୍ଞାପନ ମେଢ ପରୀକ୍ଷାମୂଳକ ଭାବେ ଚାଲିବ। ଏଥିପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ନିର୍ମାଣକାରୀ ସଂସ୍ଥାର ଶିଳ୍ପୀମାନେ ଯଥାଶୀଘ୍ର ଦିଲ୍ଲୀ ଯିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed.