Oil: ଭାରତରେ ପେଟ୍ରୋଲ୍ ଦାମ୍କୁ ପ୍ରଭାବିତ କରିବା ଆରମ୍ଭ କଲା ମଧ୍ୟପ୍ରାଚ୍ୟ ଯୁଦ୍ଧ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶରେ ପେଟ୍ରୋଲ୍ ଦାମ୍କୁ ପ୍ରଭାବିତ କରିବା ଆରମ୍ଭ କରିଛି। ପ୍ରିମିୟମ୍ ପେଟ୍ରୋଲ୍ ଦାମ୍ରେ ଲିଟର ପିଛା ୨-୩ ଟଙ୍କାର ବୃଦ୍ଧି ହୋଇଛି। ଇଣ୍ଡିଆନ ଅଏଲ୍ର ଏକ୍ସପି୯୫ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ପାୱାର ପେଟ୍ରୋଲ୍ ଦାମ୍ରେ ବୃଦ୍ଧି ଘଟିଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶରେ ପେଟ୍ରୋଲ୍ ଦାମ୍କୁ ପ୍ରଭାବିତ କରିବା ଆରମ୍ଭ କରିଛି। ପ୍ରିମିୟମ୍ ପେଟ୍ରୋଲ୍ ଦାମ୍ରେ ଲିଟର ପିଛା ୨-୩ ଟଙ୍କାର ବୃଦ୍ଧି ହୋଇଛି। ଇଣ୍ଡିଆନ ଅଏଲ୍ର ଏକ୍ସପି୯୫ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ପାୱାର ପେଟ୍ରୋଲ୍ ଦାମ୍ରେ ବୃଦ୍ଧି ଘଟିଛି। ଏହି ଦରବୃଦ୍ଧି ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ସାଧାରଣ ପେଟ୍ରୋଲ ଓ ଡିଜେଲ୍ ଦର ଅପରିବର୍ତ୍ତିତ ରହିଛି। କିଛି ଦିନ ପୂର୍ବେ ତୈଳ କମ୍ପାନିଗୁଡ଼ିକ ଉଭୟ ବାଣିଜ୍ୟିକ ଏଲ୍ପିଜି ଓ ଘରୋଇ ଏଲ୍ପିଜି ମୂଲ୍ୟ ବଢ଼ାଇଥିଲେ।
ଘରୋଇ ଏଲ୍ପିଜି ଦାମ୍ ୬୦ ଟଙ୍କା ବଢ଼ିଥିଲା। କେତେକ ଇଣ୍ଡିଆନ ଅଏଲ୍ ପେଟ୍ରୋଲ୍ ପମ୍ପ୍ରେ ଏକ୍ସପି୯୫ ପ୍ରିମିୟମ୍ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୧୦୧.୮୦ ଟଙ୍କା ହୋଇଛି। ଏଚ୍ପିସିଏଲ୍ର ପାୱାର ପେଟ୍ରୋଲ୍ ଦାମ୍ ୨-୨.୩ ଟଙ୍କା ବଢ଼ିଛି। ପ୍ରିମିୟମ୍ ପେଟ୍ରୋଲ୍କୁ ତୈଳ କମ୍ପାନିଗୁଡ଼ିକ ଉଚ୍ଚ ପ୍ରଦର୍ଶନକାରୀ ଇନ୍ଧନ ଭାବେ ଉପସ୍ଥାପନ କରି ବିକ୍ରି କରୁଛନ୍ତି।
ତେବେ ମୋଟ୍ ତୈଳ ବିକ୍ରିରେ ପ୍ରିମିୟମ୍ ପେଟ୍ରୋଲ୍ର ଭାଗ ଯଥେଷ୍ଟ କମ୍ ରହିଛି। ଅନେକ ସମୟରେ ସାଧାରଣ ପେଟ୍ରୋଲ୍ ଶେଷ ହୋଇଯାଇଥିବା ଟାଙ୍କିଗୁଡ଼ିକରେ ପ୍ରିମିୟମ୍ ପେଟ୍ରୋଲ୍ ବିକ୍ରି ହୋଇଥାଏ ଓ ଗ୍ରାହକମାନେ ତାହା ପକାଇବାକୁ ବାଧ୍ୟ ହୋଇଥାନ୍ତି। ପେଟ୍ରୋଲ୍ ପମ୍ପରୁ ମିିଳିଥିବା ସୂଚନା ଅନୁସାରେ ଏହି ଦରବୃଦ୍ଧି ଦେଶବ୍ୟାପୀ ସମାନ ନାହିଁ। ବିଭିନ୍ନ ସ୍ଥାନରେ ଦାମ୍ ଭିନ୍ନ ଭିନ୍ନ ବଢ଼ିଛି। ତେବେ ମୋଟ୍ ଦରବୃଦ୍ଧି ୨-୩ ଟଙ୍କା ମଧ୍ୟରେ ରହିଛି।
ସୌଜନ୍ୟ ସମ୍ବାଦ




