ଦେଶ ବିଦେଶ

Oil greed: ଲାଟିନ ଆମେରିକାରେ ଅସ୍ଥିରତା, ଭେନେଜୁଏଲା ଆକ୍ରମଣ ପଛରେ ତୈଳ ଲୋଭ

ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକୀୟ ସେନା ଗିରଫ କରିବା ପରେ ତାଙ୍କୁ ନ୍ୟୁୟର୍କ ଜେଲ୍‌ରେ ରଖାଯିବା ଲାଟିନ ଆମେରିକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି...

ୱାସିଂଟନ/କାରାକାସ୍‌: ଭେନେଜୁଏଲା  ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକୀୟ ସେନା ଗିରଫ କରିବା ପରେ ତାଙ୍କୁ ନ୍ୟୁୟର୍କ  ଜେଲ୍‌ରେ ରଖାଯିବା ଲାଟିନ ଆମେରିକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।   ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ରାଜ୍ୟବାଦୀ ଯୋଜନାର ଏହା ଏକ ନଗ୍ନ ପରିପ୍ରକାଶ ବୋଲି ବିଭିନ୍ନ ରାଷ୍ଟ୍ର ବୟାନ ଦେଇଛନ୍ତି।  ଭେନେଜୁଏଲା ଅଭିଯାନକୁ ଆମେରିକା ନାର୍କୋ-ଆତଙ୍କବାଦ ବିରୋଧରେ ଜରୁରି ପଦକ୍ଷେପ ବୋଲି କହିଥିଲେ ମଧ୍ୟ ବିଶ୍ଳେଷକମାନେ ଏହା ପଛରେ ତୈଳ ଲୋଭ ଓ ରାଜନୈତିକ ଉଦ୍ଦେଶ୍ୟ ଦେଖୁଛନ୍ତି।  ଆମେରିକା ଭେନେଜୁଏଲାର ବିଶାଳ ତୈଳ ସଂପଦକୁ ଅକ୍ତିଆର କରିବା ପାଇଁ ନିଜ ଘାତଶକ୍ତି ପ୍ରୟୋଗ କରିଛି ବୋଲି ସେମାନେ କହିଛନ୍ତି। ମାଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କ ବିରୋଧରେ ଡ୍ରଗ୍ ଟ୍ରାଫିକିଂ ଓ ନାର୍କୋ-ଟେରରିଜମ୍ ଅଭିଯୋଗ କେବଳ ଏକ ବାହାନା ବୋଲି ଅନେକ ବିଶ୍ଳେଷକ ମତ ରଖିଛନ୍ତି।

ଡ୍ରଗ୍ ଟ୍ରାଫିକିଂ ଅଭିଯୋଗ ନେଇ ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ମାଦୁରୋ ଓ ତାଙ୍କ ସରକାର ‘ସିନାଲୋଆ କାର୍ଟେଲ୍’ ଓ ‘ଟ୍ରେନ୍ ଡେ ଆରାଗୁଆ’ ଭଳି ଗ୍ୟାଙ୍ଗ୍ ସହ ମିଶି ହଜାର ହଜାର ଟନ୍ କୋକେନ୍ ଆମେରିକାକୁ ପଠାଉଛନ୍ତି। ଏହାର ଲାଭ ଭେନେଜୁଏଲା ସରକାରକୁ ଯାଉଛି। ୨୦୨୦ରୁ ଏହି ଅଭିଯୋଗ ରହିଛି ଏବଂ ଏଥର ଟ୍ରମ୍ପ ଏହାକୁ ଆଧାର କରି ଅଭିଯାନ କରିଛନ୍ତି।  ତେବେ   ଭେନେଜୁଏଲାରେ ବିଶ୍ୱର ସବୁଠାରୁ ବଡ଼ ତୈଳ ଭଣ୍ଡାର ରହିଥିବା ଏବଂ ଏହାକୁ ଆମେରିକା ପରିଚାଳନା କରିବ ବୋଲି ଟ୍ରମ୍ପଙ୍କ ଖୋଲା ବୟାନ ନାର୍କୋ ଆତଙ୍କବାଦ ଆଭିମୁଖ୍ୟକୁ ଗୌଣ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ତୈଳ କମ୍ପାନିଗୁଡ଼ିକ ସେଠାରେ ବିନିଯୋଗ କରି ଦୁର୍ବଳ ଭିତ୍ତିଭୂମି ଠିକ୍ କରିବେ ଓ ବିପୁଳ ପରିମାଣର ତୈଳ ବିକ୍ରି କରିବେ। ସମାଲୋଚକମାନେ କହିଛନ୍ତି ଯେ ଏହା ତୈଳ ପାଇଁ ଗୋଟିଏ ସ୍ବାଧୀନ ରାଷ୍ଟ୍ରର ସରକାରକୁ ରାତାରାତି ବଦଳାଇ ଦେବା ଏବଂ ରାଷ୍ଟ୍ରମୁଖ୍ୟଙ୍କୁ ବନ୍ଦୀ କରିବା ଭୀଷଣ ଅନର୍ଥ ସୃଷ୍ଟି କରିପାରେ।  ତେବେ ଟ୍ରମ୍ପ ଏହାକୁ ଆମେରିକାର ସୁରକ୍ଷା ଓ ଅର୍ଥନୈତିକ ହିତ ପାଇଁ ଆବଶ୍ୟକ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରି ୩ ରାତିରେ ‘ଅପରେସନ୍ ଆବସୋଲ୍ୟୁଟ୍ ରିଜଲ୍ଭ୍’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଆମେରିକାର ଯୁଦ୍ଧବିମାନ ଓ ସ୍ୱତନ୍ତ୍ର ବାହିନୀ କାରାକାସ୍ ସହ ଉତ୍ତର ଭେନେଜୁଏଲାର ବିଭିନ୍ନ ସ୍ଥାନରେ ବୋମା ମାଡ଼ କରିଥିଲା। ଫୁଏର୍ତେ ଟିଉନା ସାମରିକ ବେସ୍ ସମେତ ଅନେକ ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା।  ଭେନେଜୁଏଲା ଅଧିକାରୀମାନେ କହିଛନ୍ତି ଯେ, ଏହି ଆକ୍ରମଣରେ ଅତି କମ୍‌ରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସାଧାରଣ ନାଗରିକ ଓ ସୈନ୍ୟ ରହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button