ଓଡିଶାଜିଲ୍ଲା

OPD : ୨ ଘଣ୍ଟା ଓପିଡି ବନ୍ଦ କଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ, କାଜୁଆଲ୍‌ଟିରେ ଲମ୍ବା ଧାଡ଼ି

ପ୍ରଥମେ ଘଣ୍ଟାଏ ଓ ଆଜିଠାରୁ ସିଧା ଦୁଇ ଘଣ୍ଟା ଓପିଡି ବନ୍ଦ କରିଛନ୍ତି ଡାକ୍ତର। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସରକାରୀ ଡାକ୍ତରଖାନାରେ ଓପିଡି ବନ୍ଦ ରହିଛି। ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ ହନ୍ତସନ୍ତ ହୋଇଥିବା ବେଳେ କାଜୁଆଲ୍‌ଟିରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।

ଭୁବନେଶ୍ବର: ପ୍ରଥମେ ଘଣ୍ଟାଏ ଓ ଆଜିଠାରୁ ସିଧା ଦୁଇ ଘଣ୍ଟା ଓପିଡି ବନ୍ଦ କରିଛନ୍ତି ଡାକ୍ତର। ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ରାଜ୍ୟର ସରକାରୀ ଡାକ୍ତରଖାନାରେ ଓପିଡି ବନ୍ଦ ରହିଛି। ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ ହନ୍ତସନ୍ତ ହୋଇଥିବା ବେଳେ କାଜୁଆଲ୍‌ଟିରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ରାଜ୍ୟ ସରକାର ଓ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍‌ସା) ଭିତରେ ଚାଲିଥିବା ବିବାଦ ଯୋଗୁଁ ରାଜ୍ୟରେ ରୋଗୀସେବା ଗୁରୁତର ପ୍ରଭାବିତ ହୋଇଛି। ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଘଣ୍ଟିକିଆ ଓପିଡି ବନ୍ଦ ପ୍ରତିବାଦ ଆରମ୍ଭ କରିଛନ୍ତି। ଓମ୍‌ସା ପକ୍ଷରୁ ୧୦ଦଫା ଦାବିରେ ଏହି ଆନ୍ଦୋଳନ ଚାଲିଥିବା ବେଳେ ଦାବି ସମାଧାନ ଦିଗରେ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଜାତୀୟ ସ୍ବାସ୍ଥ୍ୟ ମିସନ୍‌(ଏନ୍‌ଏଚ୍‌ଏମ୍‌) କାର୍ଯ୍ୟରେ ମଧ୍ୟ ଡାକ୍ତରମାନେ ଅସହଯୋଗ ଜାରି ରଖିଛନ୍ତି।

ରୋଗୀ ସେବା ପ୍ରଭାବିତ, କାଜୁଆଲ୍‌ଟିରେ ଲମ୍ବା ଧାଡ଼ି
ରୋଗୀ ସେବାରେ ସାମିଲ ହେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ଓମ୍‌ସା ସଭାପତି ଡା. କିଶୋର ମିଶ୍ର କହିଛନ୍ତି, ୨୦୨୪ ମସିହାର ସେପ୍ଟେମ୍ବର ୧୮ ତାରିଖରେ ସରକାରଙ୍କୁ ଡାକ୍ତରଙ୍କ ଦାବି ସଂପର୍କରେ ସୂଚନା ଦିଆଯାଇଥିଲା। ଏହା ଉପରେ ବହୁଦିନ ଧରି ଆଲୋଚନା ହୋଇଥିଲେ ବି କୌଣସି ଫଳ ବାହାରି ନାହିଁ। ଆଜିଠାରୁ ଦୁଇଘଣ୍ଟିଆ ପ୍ରତିବାଦ ଆରମ୍ଭ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସଂଘର ରାଜ୍ୟ ନେତୃତ୍ବଙ୍କୁ ଆଲୋଚନାକୁ ଡାକନ୍ତୁ। କେବଳ କମିଟି ଗଠନ କରିଦେଲେ ସମସ୍ୟାର ସମାଧାନ ହେବନାହିଁ। ୧୦ବର୍ଷ ତଳେ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା। ମାତ୍ର ତାହା ଥଣ୍ଡା ବାକ୍ସ ଭିତରେ ସୀମିତ ରହିଛି। ତେଣୁ ଅନ୍ତଃବିଭାଗୀୟ କମିଟି ମଧ୍ୟ ପୂର୍ବ କମିଟି ଭଳି ହୋଇପାରେ। ତେଣୁ ସରକାରଙ୍କ ଏହି କମିଟି ଉପରେ ସଂଘର ବିଶ୍ବାସ ନାହିଁ।

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଓମ୍‌ସାର ଦାବିକୁ ରାଜ୍ୟ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏହାଭିତରେ ପ୍ରଥମ ବୈଠକ ଶେଷ ହୋଇଛି। ଦୁଇଟି ଦାବି ଭିତରୁ ଗୋଟିଏ ଶବ ବ୍ୟବଚ୍ଛେଦ, ଦନ୍ତ ଡାକ୍ତରଙ୍କ ଦାବିକୁ ସରକାର ସ୍ବୀକାର କରିଛନ୍ତି। ଡାକ୍ତରମାନେ ହେଉଛନ୍ତି ଦ୍ବିତୀୟ ଭଗବାନ। ସେମାନେ ନିଜ ବୃତ୍ତିକୁ ସମ୍ମାନ ଜଣାଇ ରୋଗୀସେବାରେ ଯୋଗ ଦିଅନ୍ତୁ। ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହରିବ। ତେଣୁ ସଂଘ, ସରକାରଙ୍କ ସହ ଆଲୋଚନା ପାଇଁ ଆସିବା ଲାଗି ଶ୍ରୀ ମହାଲିଙ୍ଗ ଆହ୍ବାନ କରିଛନ୍ତି।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button