ଦେଶ ବିଦେଶ

ORACLE: ଓରାକଲ ୩୦ହଜାର ଛଟେଇ କରିବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟାପକ ପ୍ରସାର ପରେ ପ୍ରଯୁକ୍ତି ଦୁନିଆରେ ଛଟେଇ ଏକ ସ୍ବାଭାବିକ ଘଟଣାରେ ପରିଣତ ହୋଇଗଲାଣି। ନିୟମିତ ବ୍ୟବଧାନରେ ବଡ଼ ବଡ଼ ପ୍ରଯୁକ୍ତି କମ୍ପାନିଗୁଡ଼ିକ କର୍ମଚାରୀ ଛଟେଇ କରୁଛନ୍ତି। ସେଭଳି କମ୍ପାନିଗୁଡ଼ିକର ଲମ୍ବା ତାଲିକାରେ ଓରାକଲ ନାମ ଯୋଡ଼ିହୋଇଛି। କମ୍ପାନି ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଚାଟଜିପିଟିର ନିର୍ମାତା ଓପନଏଆଇ ସହ କମ୍ପାନି ଏକ ୩୦୦ ବିଲିଅନ ଡଲାରର ସହଯୋଗିତା। ଓପନଏଆଇ ପାଇଁ କମ୍ପାନି ଏଆଇ ଡାଟା ସେଣ୍ଟର ନିର୍ମାଣ କରିବ। ସେଥିପାଇଁ ବିପୁଳ ପାଣ୍ଠି ଆବଶ୍ୟକ‌ ହେଉଥିବା ବେଳେ କର୍ମଚାରୀ ଛଟେଇ କରି କମ୍ପାନି ୮-୧୦ ବିଲିଅନ ଡଲାର ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି। ଓପନଏଆଇ ସହ ସହଯୋଗିତା ଓରାକଲ ଉପରେ ଆର୍ଥିକ ଚାପ ସୃଷ୍ଟି କରିଛି। କମ୍ପାନିକୁ ଏଥିପାଇଁ ୧୫୬ ବିଲିଅନ ଡଲାର ଆବଶ୍ୟକ। ଗତ ଦୁଇ ମାସରେ କମ୍ପାନି ୫୮ ବିଲିଅନ ଡଲାର ଋଣ କରିଛି। ସେଥିରୁ ୩୮ ବିଲିଅନ ଡଲାରରୁ ଟେକ୍ସାସ ଓ ୱିସକନସିପର ଡାଟା ସେଣ୍ଟର ଓ ୨୦ ବିଲିଅନ ଡଲାରରୁ ନିଉ ମେକ୍ସିକୋ କ୍ୟାମ୍ପସରେ ନିବେଶ କରାଯାଉଛି।

କମ୍ପାନିର ମୋଟ ଋଣ ଏବେ ୧୦୦ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। କମ୍ପାନି ଏଭଳି ଏକ ସମୟରେ ଋଣ ଚାପ ବଢ଼ିଛି ଯେତେବେଳେ ଏହାର ଷ୍ଟକ ମୂଲ୍ୟ ଅଧା କମିଯିବାରୁ କମ୍ପାନି ବଜାର ପୁଞ୍ଜିରେ ୪୬୩ ବିଲିଅନ ଡଲାର ହରାଇଛି। ଓରାକଲର ଡାଟା ସେଣ୍ଟର ପ୍ରକଳ୍ପରୁ ଗୋଟିଏ ପରେ ଗୋଟିଏ ଆମେରିକୀୟ ବ୍ୟାଙ୍କ ଓହରିବା ଆରମ୍ଭ କରିଛନ୍ତି। ବ୍ୟାଙ୍କଗୁଡ଼ିକ କମ୍ପାନିର ଋଣ ପାଇଁ ସୁଧ ହାରକୁ ଦୁଇଗୁଣା ବଢ଼ାଇ ଦେଇଛନ୍ତି। ଫଳରେ ଡାଟା ସେଣ୍ଟର ସ୍ଥାପନ ନିମନ୍ତେ ଲିଜ୍‌ ଲାଗି କମ୍ପାନିର କଥାବାର୍ତ୍ତା ଅଟକି ଯାଇଛି। ତେଣୁ ଓପନଏଆଇ ଚାହୁଥିବା ଭଳି କ୍ଷମତା ଓରାକଲ ଯୋଗାଇଦେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏସିଆର କିିଛି ବ୍ୟାଙ୍କ କମ୍ପାନିକୁ ପାଣ୍ଠି ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ତାହା ଓରାକଲର ପ୍ରମୁଖ ସମସ୍ୟାର ସମାଧାନ କରିବ ନାହିଁ ବୋଲି କୁହାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button