Breaking News

ଆଜି ପହିଲି ରଜ: ଦାେଳି ଓ ପିଠାପଣାରେ ମାହୋଲ ସରଗରମ୍, ମାଂସ ଦୋକାନରେ ଅସମ୍ଭାଳ ଭିଡ଼

ଭୁବନେଶ୍ବର: ଆଜି ପହିଲି ରଜ। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି। ଗତକାଲି ରାତିରେ ଓ ସକାଳେ ଅଳ୍ପ ପରିମାଣର ବର୍ଷା ହୋଇଥିବା ହେତୁ ଗରମ କମ୍ ରହିଛି।

ବିଭିନ୍ନ ସ୍ଥାନରେ ରଜ ମହୋତ୍ସବ ପାଳିତ ହେଉଛି। ନୂଆ ପୋଷାକ ପିନ୍ଧି ରଜ ଦୋଳି ସାଙ୍ଗକୁ ପିଠାପଣାର ମଜା ନେଲେଣି ସବୁ ବର୍ଗର ଲୋକ। ପିଲାଠୁ ବୁଢା ଯାଏ ସମସ୍ତେ ଦୋଳି ଖେଳିଲେଣି। କେତେକ ସ୍ଥାନରେ ରଜ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଆଜି ବୁଧବାର ହୋଇଥିବା ହେତୁ ପହିଲି ରଜରେ ଆମିଷ ଦୋକାନରେ ବେଶ୍ ଭିଡ଼ ପରିଲକ୍ଷିତ ହେଉଛି। ସକାଳୁ ସକାଳୁ ମାଂସ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। କେତେକ ଲୋକ ରଜର ପୋଡ଼ପିଠା ଦୋକାନରୁ କିଣୁଥିବାର ଦୃଶ୍ୟ ବି ବେଶ ମଜାଦାର।

ପହିଲି ରଜ ପାଇଁ ପୂରା ରାଜଧା‌ନୀ ଆଜି ବି ଚଳଚଞ୍ଚଳ ହୋଇପଡ଼ିଛି। ଗତକାଲି ଭଳି ଆଜି ସୂର୍ଯ୍ୟଙ୍କ କୋପ ନଥିବାରୁ ଦିନବେଳୁ ରାଜଧାନୀର ବିଭିନ୍ନ ସ୍ଥାନରେ ରଜ ମନେଇଲେଣି ଲୋକେ।  ଗତକାଲି ସଜବାଜ ଥିବା ହେତୁ ଅଧିକାଂଶ ମାର୍କେଟ୍‌ଗୁଡ଼ିକରେ ଗହଳି ଜମିଥିଲା। କିଏ ନିଜ ପୋଷାକ ରଙ୍ଗର ଚୁଡ଼ି, କାନଫୁଲ କିଣି ନେଉଥିଲା ତ’ କିଏ ପିଠା ପାଇଁ ନଡ଼ିଆ, ଗୁଜରାତି। ପାର୍ଲର୍‌ରେ ବି ଝିଅଙ୍କ ଲମ୍ବା ଧାଡ଼ି ଲାଗିଥିଲା, ମେହେନ୍ଦି ଆର୍ଟିଷ୍ଟ୍‌ଙ୍କୁ ଫୁରସତ୍‌ ନଥିଲା।

Comments are closed.