Pakistan Citizen left Country: ଦେଶ ଛାଡ଼ୁଛନ୍ତି ପାକିସ୍ତାନ ନାଗରିକ, ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ
ଦେଶ ଛାଡ଼ୁଛନ୍ତି ପାକିସ୍ତାନୀ। ଦେଶରେ ବଢ଼ୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗ ଅଭାବରୁ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ପାକିସ୍ତାନ ନାଗରିକ। ୨୦୨୫ରେ ୭ଲକ୍ଷ ୬୦ହଜାରରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବା ପାଇଁ ଦେଶ ଛାଡ଼ି ବାହାରକୁ ଚାଲିଯାଇଛନ୍ତି।

ଇସଲାମବାଦ: ଦେଶ ଛାଡ଼ୁଛନ୍ତି ପାକିସ୍ତାନୀ। ଦେଶରେ ବଢ଼ୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗ ଅଭାବରୁ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ପାକିସ୍ତାନ ନାଗରିକ। ୨୦୨୫ରେ ୭ଲକ୍ଷ ୬୦ହଜାରରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବା ପାଇଁ ଦେଶ ଛାଡ଼ି ବାହାରକୁ ଚାଲିଯାଇଛନ୍ତି। ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ମାସିକ ଅପଡେଟ୍ ଓ ଆଉଟଲୁକ୍ ରିପୋର୍ଟରେ ଏହି ସୂଚନା ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ଓ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦୁର୍ବଳ ରହିଛି। ବିପରୀତରେ, ଅର୍ଥନୀତି ପାଇଁ ଏକମାତ୍ର ସାହାରା ପାଲଟିଛି ବିଦେଶରୁ ଆସୁଥିବା ଧନ (ରେମିଟେନ୍ସ)। ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରେମିଟେନ୍ସ ୧୯.୭ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୦.୬ ପ୍ରତିଶତ ଅଧିକ। ଏହି ପରିମାଣ ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ତୁଳନାରେ ୨୩ ଗୁଣ ଅଧିକ। ରେମିଟେନ୍ସରେ ଏହି ଦ୍ରୁତ ବୃଦ୍ଧି ସିଧାସଳଖ ଭାବରେ ଭଲ ଚାକିରି, ଆୟ ଓ ଉନ୍ନତ ଜୀବନଶୈଳି ଉପରେ ବଡ଼ ପ୍ରଭାବ ପକାଉଛି। ଯେଉଁଥି ପାଇଁ ଦେଶ ଛାଡି ଚାଲିଯାଉଛନ୍ତି ବହୁ ସଂଖ୍ୟକ ପାକିସ୍ତାନୀ।
ରିପୋର୍ଟ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ପାକିସ୍ତାନରେ ବେକାରୀ ହାର ୭.୧ ପ୍ରତିଶତରେ ପହଞ୍ଚିଛି, ଯାହା ୨୧ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର। ସମସ୍ତ ବୟସ ଗୋଷ୍ଠୀ, ଲିଙ୍ଗ ଏବଂ ଅଞ୍ଚଳରେ ବେକାରୀ ବୃଦ୍ଧି ପାଇଛି। ଗତ ଦୁଇ ବର୍ଷ ମଧ୍ୟରେ, ମଜୁରୀ, ସୀମିତ ନିଯୁକ୍ତି ସୁଯୋଗ ଓ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ୧୫ ଲକ୍ଷରୁ ଅଧିକ ପାକିସ୍ତାନୀ ଦେଶ ଛାଡିଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ଧାରା କେବଳ ଅଣକୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆଇଟି, ଡାକ୍ତର ଓ ଦକ୍ଷ ଇଞ୍ଜିନିୟ ବି ବହୁ ସଂଖ୍ୟାରେ ଦେଶ ଛାଡି ଯାଉଛନ୍ତି। ଯାହା ଆଗାମୀ ଦିନରେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ଆହୁରି ଦୁର୍ବଳ କରିଦେବ ବୋଲି ଆକଳନ କରାଯାଉଛି।
ସୌଜନ୍ୟ ସମ୍ବାଦ




