ଓଡିଶାମହାନଗର

Panchayati Raj Minister: ଓଡ଼ିଶାକୁ ଦାଦନମୁକ୍ତ କରିବୁ: ପଞ୍ଚାୟତିରାଜ ମନ୍ତ୍ରୀ

ରାଜ୍ୟର ୯ଟି ଜିଲ୍ଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାର ୩୦ଟି ବ୍ଲକରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ବିଜେଡି ସରକାର ଥିବାବେଳେ ମନରେଗା ଯୋଜନାରେ ବି ୧୦୦ଦିନର କାମ ଦେଇପାରୁ ନଥିଲେ।

ଭୁବନେଶ୍ବର: ରାଜ୍ୟର ୯ଟି ଜିଲ୍ଲାବଲାଙ୍ଗୀରବରଗଡ଼କଳାହାଣ୍ଡିନୂଆପଡ଼ାଗଜପତିକନ୍ଧମାଳକୋରାପୁଟନବରଙ୍ଗପୁର ଓ ରାୟଗଡ଼ାର ୩୦ଟି ବ୍ଲକରୁ ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ବିଜେଡି ସରକାର ଥିବାବେଳେ ମନରେଗା ଯୋଜନାରେ ବି ୧୦୦ଦିନର କାମ ଦେଇପାରୁ ନଥିଲେ। ଆମେ ଲୋକଙ୍କୁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ଭିବି-ଜି ରାମଜି ଯୋଜନାରେ ବର୍ଷକୁ ୩୦୦ଦିନରେ କାମ ଦେବୁ। ଭିବି-ଜି ରାମ ଜି’ ଯୋଜନା‌ ପାଇଁ ୫,୫୭୫ କୋଟି ଟଙ୍କା ରଖାଯାଇଛି। ଏଥିରେ ବାର୍ଷିକ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ସହ ଚାଷ ସମୟରେ ୬୦ ଦିନର ବିରତି ସୁବିଧା ରହିଛି। କାର୍ଯ୍ୟ ଶେଷ ହେବାର ସର୍ବାଧିକ ୧୫ ଦିନ ମଧ୍ୟରେ ମଜୁରି ପ୍ରଦାନ କରାଯିବ ଏବଂ କାମ ନ ମିଳିଲେ ଦୈନିକ ବେକାରୀ ଭତ୍ତା ମଧ୍ୟ ମିଳିବ। ଏହାବାଦ୍ ‘କର୍ମବର୍ଦ୍ଧିଷ୍ଣୁ ପଦ୍ଧତି ମାଧ୍ୟମରେ ଜୀବିକା ଅଭିବୃଦ୍ଧି’ କାର୍ଯ୍ୟକାରୀ କରାଯିବ। ୩୬ ମାସର ଏହି ମିସନ୍‌ ପାଇଁ ୨୦୨୬-୨୭ବର୍ଷରେ ୨୨୦ କୋଟି ଟଙ୍କା ଅନୁମୋଦିତ ହୋଇଛି। ଏହିପରି ଆମେ ଆଉ କିଛି ବର୍ଷ ମଧ୍ୟରେ ଓଡ଼ିଶାକୁ ଦାଦନମୁକ୍ତ କରିଦେବୁ ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ଏହାସହ କହିଛନ୍ତି ଯେ ଆମେ ଏହି ଲକ୍ଷ୍ୟ ହାସଲ କରିପାରିବୁ କାରଣ ସରକାରଙ୍କ ଦୃଢ଼ତା ଅଛି।

 

ଅାଜି ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ମନ୍ତ୍ରୀ ଶ୍ରୀ ନାଏକ ଏହି ଦୃଢ଼ୋକ୍ତି ଦେଖାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଆମେ ପେସା ଆଇନ ବି ଆଗାମୀ ଦିନରେ ଆଣିବୁ। ଏହି ଆଇନ ଅଧୀନରେ ଆସିବାକୁ ଥିବା ୪୮% ଏସ୍‌ଟି ଓ ଏସ୍‌ସିଙ୍କୁ ସେମାନଙ୍କ ହକ୍ ପ୍ରଦାନ କରିବୁ। ଏନେଇ ପ୍ରସ୍ତୁତି ଚାଲିଛି। ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ଆମ ବିଭାଗ ମୋଟ ୩ଟି କ୍ଷେତ୍ର ରାସ୍ତା, ବ୍ରିଜ୍ ଓ ଘରକୁ ଫୋକସ୍ କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି ସରକାର ଘର ‌ପାଇ ବି ଲୋକଙ୍କୁ ଦେଇପାରିଲାନି ବୋଲି ଫେରିଯାଇଥିଲା। ହେଲେ ଆମେ ୩୭ଲକ୍ଷ ପରିବାରର ସର୍ଭେ କରିଛୁ। ଯେଉଁମାନେ ଭାଇଭାଇ ଭାଗ ହୋଇ ଅଲଗା ପରିବାର କରିଛନ୍ତି ସେମାନଙ୍କୁ ବି କିପରି ଘର ମିଳିବ ସେ‌ ବ୍ୟବସ୍ଥା କରିଛୁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆମେ ନିଶ୍ଚିତ ଘର ଦେବୁ। ‌ବହୁ ସ୍ଥାନରେ ଲୋକଙ୍କ ଗାଁକୁ ବ୍ରିଜ୍ ଅଭାବରୁ ରାସ୍ତା ସଂଯୋଗୀକରଣ ହୋଇପାରୁନି। ଏଥିପାଇଁ ଆମେ କେନାଲ, ନାଳ ଉପରେ ବି ବ୍ରିଜ୍ ନିର୍ମାଣ କରିବୁ। ଚଳିତ ଆର୍ଥିକ ବର୍ଷରେ ପ୍ରତି ଗାଁକୁ ରାସ୍ତା ସଂଯୋଗ ହେବ। ଏଥିପାଇଁ ୧୭୦୦କିମିର ନୂଆ ରାସ୍ତା ନିର୍ମାଣ କରିବୁ। ସବୁ ଗାଁକୁ ପିଚୁରାସ୍ତା ଆମର ଲକ୍ଷ୍ୟ।

ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଲେନି ବିଜେଡି, କଂଗ୍ରେସ
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହ କମ୍ପିଲା

ସେହିପରି ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରତି ଗ୍ରାମୀଣ ପରିବାରକୁ ଶତ ପ୍ରତିଶତ ପାଇପ୍ ପାଣି ଯୋଗାଇବୁ। ୨୦୨୬ ମାର୍ଚ୍ଚ ୧ ସୁଦ୍ଧା ୭୭.୧୫ % ପରିବାର ଏହି ସୁବିଧା ପାଇଥିବା ବେଳେ ଚଳିତବର୍ଷ ପାଇଁ ‘ଜଳ ଜୀବନ ମିସନ୍‌’ରେ ୭,୦୦୦ କୋଟି, ‘ବସୁଧା’ ଯୋଜନାରେ ୪୯୫ କୋଟି ଏବଂ ଆରପିଡବ୍ଲ୍ୟୁଏସ୍‌ ଯୋଜନା ପାଇଁ ୧,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ‘ମିସନ୍‌ ପାୱାର’ ଯୋଜନାରେ ୧,୦୦୦ କୋଟି ଟଙ୍କା ବିନିଯୋଗରେ ୧,୦୪୩ଟି ଅଣସଂଯୋଗୀକୃତ ବସତିକୁ ମୋଟ ୮୯୯୨.୯୭ କିମି ସଡ଼କ ଓ ଘାଟ ନିର୍ମାଣ ମାଧ୍ୟମରେ ସଂଯୋଗ କରାଯିବ। ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ୫,୨୦୦ କିମି ସଡ଼କ ଓ ୩୦୦ଟି ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୯,୭୦୦ କିମି ନୂତନ ରାସ୍ତା ଓ ୩୫୦ଟି ନୂତନ ସେତୁ ପ୍ରକଳ୍ପ ହାତକୁ ନେବ। ଏଥିସହିତ ୧୪୨ଟି ନିର୍ବାଚନମଣ୍ଡଳୀରେ ରାସ୍ତା ଉନ୍ନତୀକରଣ ପାଇଁ ୧୪୨ କୋଟି ଏବଂ ପ୍ରକୃତିକ ବିପର୍ଯ୍ୟୟ‌ ନିରୋଧ ରାସ୍ତା ପାଇଁ ୮୦ କୋଟି ଖର୍ଚ୍ଚ ହେବ। କୋଠାବାଡ଼ି ନିର୍ମାଣ ପାଇଁ ୧୦୨.୫୦ କୋଟି ଟଙ୍କା ରହିଛି। ଏହି ବଜେଟ୍ ଗ୍ରାମୀଣ ଓଡ଼ିଶାର ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।

ଆଜି ଅପରାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ହୋହଲ୍ଲା କରିବା ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ। ଏହି ସମୟରେ ବାଚସ୍ପତି ସୁରମା ପାଢ଼ୀ ପ୍ରତାପ ଚନ୍ଦ୍ର ନାୟକଙ୍କୁ କହିବାକୁ ଡାକିଥିଲେ। ଶ୍ରୀ ନାୟକ ଏସ୍‌ସିବି ଘଟଣାରେ ସରକାରଙ୍କ ପଦକ୍ଷେପ, ରାଜ୍ୟସଭା ନିର୍ବାଚନରେ ବିଜେଡି-କଂଗ୍ରେସ ମିଶିବା କଥା କହି କଡ଼ା ସମାଲୋଚନା କରିଥିଲେ। ଏହାକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ ଉଠାଇଥିଲେ। କହିଥିଲେ, ଇଏ କ’ଣ ସରକାରୀ ଦଳ ମୁଖ୍ୟ ସଚେତକ ଯେ ତାଙ୍କୁ କହିବାକୁ ବାଚସ୍ପତି ଡାକୁଛନ୍ତି। ଗୃହରେ ବାଚସ୍ପତି ନୂଆ ପରମ୍ପରା ସୃଷ୍ଟି ନକରନ୍ତୁ। ବାଚସ୍ପତି କହିଥିଲେ ମୁଁ ତାଙ୍କୁ ପଏଣ୍ଟ ଅଫ୍ ଅର୍ଡରରେ ଡାକିଛି। କିଛି ନୂଆ ପରମ୍ପରା ହୋଇନି। ଆପଣମାନେ ଆସନକୁ ଯାଆନ୍ତୁ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନିଅନ୍ତୁ। କିନ୍ତୁ ବିରୋଧୀ ତାଙ୍କ କଥା‌ ଶୁଣି ନଥିଲେ। ବିରୋଧୀ ଦଳରୁ କେହି ଆଲୋଚନା ଆରମ୍ଭ ନ କରିବାରୁ ଶାସକ ଦଳ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କୁ ଆଲୋଚନା ଆରମ୍ଭ କରିବାକୁ ବାଚସ୍ପତି ଡାକିଥିଲେ। ଶାସକ ଦଳ ପକ୍ଷରୁ ବାବୁ ସିଂହ, ଈରାଶିଷ ଆଚାର୍ଯ୍ୟ, ସନାତନ ବିଜୁଳି, ଅମର ନାୟକ, ଭାଦବ ହାଁସଦା, ଆଶ୍ରିତ ପଟ୍ଟନାୟକ, ମାନସ କୁମାର ଦତ୍ତ, ଅଶୋକ ମହାନ୍ତି, ଦୁଷ୍ମନ୍ତ କୁମାର ସ୍ବାଇଁ, ଉମାଚରଣ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ବିରୋଧୀ ଦଳ ୪ଟା ୨୬ରେ ଗୃହ ତ୍ୟାଗ କରିଥିଲେ।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button