
ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରତ୍ୟେକ ମାସର ୧୫ତାରିଖ ଦିନ ବିଭିନ୍ନ ବର୍ଗର ଭତ୍ତା ବିତରଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ମାସରେ ନବରଙ୍ଗପୁର ପୌରପାଳିକାରେ ଆଜି ଯାଏଁ ଟଙ୍କା ନେଉଥିବା ୩୧୩୭ଜଣ ହିତାଧିକାରୀ ଭତ୍ତା ପାଇନାହାନ୍ତି। ହିତାଧିକାରୀମାନେ ଭତ୍ତାବିତରଣ ହେଉଥିବା କେନ୍ଦ୍ରକୁ ଯାଇ ଅପେକ୍ଷା କରି କରି ଖାଲି ହାତରେ ଘରକୁ ଫେରିଛନ୍ତି। ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକରେ ଭତ୍ତା ବିତରଣ ହୋଇଛି ବୋଲି କହିଛନ୍ତି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ସୁଧାଂଶୁ ପାତ୍ର।
ନବରଙ୍ଗପୁର ପୌରପାଳିକାରେ ଏନଏସଏପିର ୭୩୩ହିତାଧିକାରୀ ଓ ମଧୁବାବୁ ଭତ୍ତା ଯୋଜନାରେ ଏଡସ୍ ସଂକ୍ରମିତ ଦୁଇ ବର୍ଗର ୫୯ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେଉଥିବା ସୂଚନା ମିଳିଛି। ଅପରପକ୍ଷରେ ମଧୁବାବୁ ପେନସେନ୍ ଯୋଜନାର (ଏମବିପିଓଏପି)୧୨୦ଜଣ ୮୦ବର୍ଷିୟ ବୃଦ୍ଧ ଓ ୩୪୧ଜଣ ବୃଦ୍ଧ, (ଏମବିପିଡବ୍ଲୁପି) ବିଧବା ଭତ୍ତା ୨୧୨୩ଜଣ, ଏମବିପିଡିପି ୧୪୧, ଏମବିପିଏସଡିପି ୮୦ବର୍ଷରୁ ଊର୍ଦ୍ଧ୍ବ ୮୨ ଓ ବଳକା ୬୪, ଏମବିପିୟୁଏମଡବ୍ଲୁ ୬୬ଜଣ, ଏମବିପିଟିଜ ଜଣେ, ଏମବିପିଡିଆଇଭି ୯୯ଜଣ ଏଭଳି ୩୧୩୭ଜଣ ପାଇନାହାନ୍ତି। ଗତ ସପ୍ତାହ ତଳୁ ଟଙ୍କା ଛଡାଯାଇଛି ବୋଲି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କହିଛନ୍ତି।
ଅପରପକ୍ଷରେ ଗତ ୪ଦିନ ହେବ ବ୍ୟାଙ୍କକୁ ଯାଇ ଯାଇ ହାଲିଆ ବୋଲି କହିଛନ୍ତି ଆକାଉଣ୍ଟାଣ୍ଟ ଚିତ୍ତରଂଜନ କର। ବ୍ୟାଙ୍କରେ ୪୨ଲକ୍ଷ ଟଙ୍କା ନଥିବାରୁ ସେମାନେ ଦେଇ ନଥିବା କହିଛନ୍ତି। ତେବେ ବ୍ୟାଙ୍କ ଭୁଲପାଇଁ ବହୁ ହିତାଧିକାରୀ ହନ୍ତସନ୍ତ। କିଏ ଅଟୋଭଡା କରିକି ଆଉ କିଏ ଅନ୍ୟ କାହାର ସହାୟତା ନେଇ ଭତ୍ତା ନେବାକୁ ଆସି ବୃଦ୍ଧ, ବୃଦ୍ଧା, ଅସହାୟ ବ୍ୟକ୍ତିବିଶେଷ ହଇରାଣ ହରକତ ହେଉଛନ୍ତି ବୋଲି କହିଛନ୍ତି କାଉନସିଲର ଏ.ସତୀଶ, ସୋମେଶ ଖରା, ଆଇ. ମୁରଲୀକ୍ରୀଷ୍ଣା। ସମାଜର ଅସହାୟ ବ୍ୟକ୍ତି ବିଶେଷଙ୍କୁ ଏଭଳି ହଇରାଣ କରିବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ



