Breaking News

ଅଭିଯୁକ୍ତ ଗୋପାଳ କେବଳ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ହତ୍ୟା କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ୍

ନବ ଦାସ ହତ୍ୟା ମାମଲା: ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

0

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ରମେଶ ଦୋରା ପହଞ୍ଚି ଜେଏମଏଫସିଙ୍କ ନିକଟରେ ଚାର୍ଜସିଟ ଦାଖଲ କରିଛନ୍ତି। ସେହି ସମୟରେ ସଦର ଏସଡିପିଓ ନିର୍ମଳ ମହାପାତ୍ର ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି। ଆଜି ଡିଏସପି ରମେଶ ଦୋରାଙ୍କ ନେତୃତ୍ବରେ ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କୋର୍ଟରେ ପହଞ୍ଚିଥିଲେ।

ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ ଗୃହରାଷ୍ଟ୍ରମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର ଉପରେ ବି ତଦନ୍ତ କରାଯାଉଛି ବୋଲି କହିଥିଲେ, ସେ ନେଇ କାହିଁକି କିଛି ଖୁଲାସା ହେଲାନାହିଁ ବୋଲି ବିଜେପି  ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏଣେ ବରିଷ୍ଠ ବିଜେଡି ନେତା ତଥା  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ  ନିଜର ପ୍ରତିକ୍ରିୟାରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଯାହା କରିବ, ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ନିହାତି ମିଳିବ। ବିରୋଧୀ ସବୁବେଳେ ସମାଲୋଚନା କରିବେ। ସରକାର ତାଙ୍କ କାମ କରିବେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତ ବିଗିଡି ନାହିଁ। ଉତ୍ତର ପ୍ରଦେଶ,ଦିଲ୍ଲୀ, ଗୁଜୁରାଟଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଆସିଲା, ହେଲେ ଖୋଲିଲାନି ହତ୍ୟା ପଛର  ରହସ୍ୟ । ଅଭିଯୁକ୍ତ ଗୋପାଳ କେବଳ ବ୍ୟକ୍ତିଗତ ଆକ୍ରୋଶ ପାଇଁ ନବଙ୍କୁ ହତ୍ୟା
କରିଥିବା ଚାର୍ଜସିଟରେ ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ୍ । ହେଲେ ଏ ବ୍ୟକ୍ତିଗତ ଆକ୍ରୋଶ କଣ ପାଇଁ ଥିଲା, ସେ ସମ୍ପର୍କରେ କିଛି ବି ଖୁଲସା ହୋଇନି। ସେହିଭଳି ହତ୍ୟା ପଛରେ ଷଡ଼ଯନ୍ତ୍ର ଦିଗ ପ୍ରତି କ୍ରାଇମବ୍ରାଞ୍ଚ ଆଖି ବୁଜି ଦେଇଥିବାରୁ ତାକୁ ନେଇ ଉଠିଛି ପ୍ରଶ୍ନ।

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ? ଯଦି  ଗୋପାଳର ଜୀବନ ପ୍ରତି ଭୟ କିମ୍ବା ବିପଦ ଥିଲା, ତେବେ ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ ଭାବେ ସେ କେବେ ଅଭିଯୋଗ କରିଥିଲେ କି ? ନବ ଆଉ ତାଙ୍କ ସମର୍ଥକଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ଜାଣି ସୁଦ୍ଧା ଗୋପାଳ ଝାରସୁଗୁଡ଼ାରୁ ବଦଳି ପାଇଁ କେବେ ଚେଷ୍ଟା କରିଥିଲେ କି ?

ସେପଟେ ଯଦି ନବ ଆଉ ଗୋପାଳଙ୍କ ଭିତରେ ବ୍ୟକ୍ତିଗତ ଶତ୍ରୁତା ରହିଥିଲା, ତେବେ ଏହା ପଛର କାରଣ କଣ ହୋଇଥାଇପାରେ ? କୌଣସି ବ୍ୟବସାୟିକ ମାମଲା ନା ଆଉ କିଛି ଭିତିରି କଥା ପାଇଁ  ଉଭୟଙ୍କ ଭିତରେ ଶତ୍ରୁତା ସୃଷ୍ଟି ହୋଇଥିଲା । ନବ ହତ୍ୟା ମାମଲାରେ ପାଖାପାଖି ୪ ମାସର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଚାର୍ଜସିଟରେ ଏସବୁ ଦିଗ ଉଲ୍ଲେଖ ରହିଛି କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ? ସେପଟେ ନବ ଦାସଙ୍କ ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ନେଇ ଯେଉଁ ତୁମ୍ବିତୋଫାନ ହେଉଥିଲା, ସେ ଷଡ଼ଯନ୍ତ୍ର ଦିଗ କୁଆଡ଼େ ଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ? ଏପଟେ ଚାର୍ଜସିଟ୍ ଆସିବା ପରେ ତଦନ୍ତକାରୀ ସଂସ୍ଥା  ଉପରେ ବର୍ଷି ସରକାରଙ୍କୁ ଘଣ୍ଟ ଘୋଡ଼ାଇବାରେ ବୋଥ୍ରା ଆଣ୍ଡ୍ ଟିମ୍ ସଫଳ ହୋଇଥିବା କହିଛି ବିଜେପି । ସେହିଭଳି ଏ ଅପରାଗ ସରକାରଠାରୁ ନ୍ୟାୟ ଆଶା କରିବା ବୃଥା ବୋଲି କଡ଼ା ଭାଷାରେ କହିଛି କଂଗ୍ରେସ।

ନବ ଦାସଙ୍କ ଭଳି ଜଣେ ହାଇପ୍ରୋଫାଇଲ ନେତା ଓ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଜଣେ ଆୱାର୍ଡ ୱିନିଂ ପୋଲିସ ଅଧିକାରୀ କେମିତି ମାରିପାରିବ, ସେ କଥା ଆଜି ବି
ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। ହତ୍ୟା ଯୋଜନା କରିବା ପୂର୍ବରୁ ନିଜ କ୍ୟାରିୟର ଓ ପିଲା ପରିବାର କଥା ଗୋପାଳ ଚିନ୍ତା କରିଥିବ ନା ନାହିଁ ? ଯଦି କରିଥିବ, ତେବେ ଏ ହତ୍ୟା ପାଇଁ
ନିଜକୁ କେମିତି ପ୍ରସ୍ତୁତ କରିପାରିବ ? ସେପଟେ ନବଙ୍କୁ ହତ୍ୟା କରିବା ପରେ ଗୋପାଳ ଅତ୍ୟନ୍ତ ସ୍ବାଭାବିକ ଥିବା ଭଲି ଲକ୍ଷ୍ୟ କରାଯାଉଥିଲା। ଏଭଳି ଜଘନ୍ୟ ହତ୍ୟା ପରେ ତା ହାଭଭାବ କି ଚେହେରାରୁ ଆଦୌ ପଶ୍ଚାତାପ କିମ୍ବା ଅନୁଶୋଚନା ନଥିବା ଭଳି ଦେଖିବାକୁ ମିଳୁଥିଲା ।

ଏ ପରିପ୍ରେକ୍ଷୀରେ ହତ୍ୟା ପଛରେ ଯେ ଷଡ଼ଯନ୍ତ୍ର କାମ କରିଛି ଏବଂ ଗୋପାଳ କେବଳ ମୋହରା ସେ  ଦିଗ ପ୍ରତି କ୍ରାଇମବ୍ରାଞ୍ଚ ଆଖି ବୁଜି ଦେଇଥିବା କୁହାଯାଉଛି। ଏପରିକି ଚାର୍ଜସିଟରେ  ଅଭିଯୁକ୍ତ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଦଫା ୧୨୦ ବି ଲଗାଇନି କ୍ରାଇମବ୍ରାଞ୍ଚ । ସେହିଭଳି ନଦ ଦାସଙ୍କ ଛାତିରେ ଭେଦିଥିବା ଗୁଳି କୁଆଡ଼େ ଗଲା, ସେ କଥା ଚାର୍ଜସିଟରେ ଉଲ୍ଲେଖ ଅଛି ତ ? ନବ ଦାସଙ୍କ ହତ୍ୟା ପଛର କାରଣକୁ ସାରା ରାଜ୍ୟବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ଗୋପାଳର ବ୍ୟକ୍ତିଗତ ରାଗକୁ ଏକମାତ୍ର କାରଣ ବୋଲି  ଦର୍ଶାଇଛି। ତେବେ ଏହି ବ୍ୟକ୍ତିଗତ ଶତ୍ରୁତା କଣ ଏବଂ ପଛର ରହସ୍ୟ କେବେ ଖୋଲୁଛି,ତା ଉପରେ ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ ଗତ ଜାନୁଆରି ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା । ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

Leave A Reply

Your email address will not be published.