Breaking News

ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ, ପୋଲିସ ଥାନାକୁ ଆଣି ପଚରାଉଚରା ବେଳେ କହିଲେ କିଭଳି ଅପହରଣ ନାଟକ ରଚିଥିଲେ

କାର ଓ ୨ ବାଇକ ଜବତ, ୬ ଗିରଫ

0

ଫୁଲବାଣୀ: ନିଜେ ନିଜକୁ ଅପହରଣର ନାଟକ କରି ଫସିଲେ ବ୍ଲକ ଉପାଧ୍ୟକ୍ଷ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷଙ୍କ ସହ ତାଙ୍କର ୫ ସହଯୋଗୀଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଏ ଘଟଣାରେ ୩ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ବୋଲି ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସୂଚନା ଦେଇଛନ୍ତି।

ଫିରିଙ୍ଗିଆ ବ୍ଲକ୍ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଗତ ୨ ତାରିଖ ରାତିରେ ଯାଜସପଙ୍ଗା ଘାଟିରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସହଯୋଗୀ ବିରଞ୍ଚି ମଲ୍ଲିକ ଏବଂ ବସନ୍ତ ମଲ୍ଲିକ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ଏହାପରେ ପୋଲିସ ତାଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା।

ସକାଳୁ ଫିରିଙ୍ଗିଆ ପୋଲିସ ତାଙ୍କୁ ବାଲିଗୁଡ଼ାର ସୁଡ୍ରା ବଜାରରୁ ଫିରିଙ୍ଗିଆ ଥାନାକୁ ଆଣି ପଚରାଉଚରା କରିବା ବେଳେ ସେମାନେ କିଭଳି ଅପହରଣ ନାଟକ ରଚିଥିଲେ, ତାହା ବ୍ଲକ୍ ଉପାଧ୍ୟକ୍ଷ ସ୍ବୀକାର କରିଥିଲେ।

ଏହି ମାମଲାରେ ପୋଲିସ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଏବଂ ତାଙ୍କ ସହଯୋଗୀ ବିରଞ୍ଚି ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଅଜିତ ରଣା, ତ୍ରିଲୋଚନ ଝାଙ୍କର ଏବଂ ଯୁକ୍ତେଶ୍ବର ରଣାଙ୍କୁ ଗିରଫ କରିଛି। ଲୋକଙ୍କଠାରୁ ସିମ୍ଫାଥି ପାଇବା ପାଇଁ ଏଭଳି ଅପହରଣ ନାଟକ ରଚାଯାଇଥିବା କହିଛି ପୋଲିସ।

କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଜାଜେସପଙ୍ଗା ଘାଟି ରାସ୍ତା ପୂର୍ବରୁ ଗତ ୨ ତାରିଖରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟାକ୍ଷ ଅଜିତ ସାହୁ ନିଖୋଜ ଘଟଣା ଭିନ୍ନ ମୋଡ଼ ନେବା ସହ ପୁଲିସ ସମସ୍ତ ଘଟଣାର ଗୁମର ଖୋଲିଛି। ନିଜେ ବ୍ଲକ ଉପାଧ୍ୟାକ୍ଷ ଅଜିତ ସାହୁ ଏହି ଘଟଣା ମୋର ନିଜ ସୁପରିକଳ୍ପିତ ବୋଲି କହିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଛି।

ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ଏହି ନାଟକର ପ୍ରକୃତ ରହସ୍ୟକୁ ବାହାର କରିବା ସହ ସରକାରୀ କର୍ମଚାରୀଙ୍କୁ ଭୁଲ ସୂଚନା ଦେବା ସହ ହଇରାଣ କରିବା, ଜଣକ ବିରୋଧରେ ପଦକ୍ଷେପ ନେବାକୁ ପ୍ରବାର୍ତ୍ତାଇବା, ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଭଳି ଅଭିଯୋଗରେ ଫିରିଙ୍ଗିଆ ଥାନାରେ ୯୦/୨୩ରେ ଏକ ମାମଲା ରୁଜୁ ହୋଇଛି।

ଫିରିଙ୍ଗିଆ ବ୍ଲକ ଉପାଧ୍ୟାକ୍ଷ ଅଜିତ ସାହୁ, ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଲିକ, ରତଙ୍ଗ ମେଟ ବସନ୍ତ ମଲିକଙ୍କ ସମେତ ଏହି ଘଟଣାରେ ସହଯୋଗ କରିଥିବା ବୌଦ୍ଧ ଜିଲାର ଯୁକ୍ତେଶ୍ବର ରଣା, ତ୍ରିଲୋଚନ ଝାଙ୍କର, ଅଜିତ ରାଣାକୁ ପୁଲିସ ଗିରଫ କରିଛି। ଆଜି ସମସ୍ତ ୬ଜଣ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ବ୍ୟବହୃତ ଟାଟା ଟିଆଗୋ କାର ଏବଂ ୨ଟି ବାଇକକୁ ଜବତ କରାଯାଇଛି ବୋଲି ଫିରିଙ୍ଗିଆ ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.