Picture: ପୌରପାଳିକାରେ ଅପନ୍ତରା ଗାଁର ଚିତ୍ର
ଜଟଣୀ ପୌରପାଳିକା ୧୧ନମ୍ବର ୱାର୍ଡରେ ଆଜି ବି ଅପନ୍ତରା ଗାଁ ଚିତ୍ର ଦେଖିବାକୁ ମିଳୁଛି। କଚ୍ଚା ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ନଥିବା ପକ୍କା ସଡ଼କ, ମୁକୁଳା ଓ ଆବର୍ଜନା ଭର୍ତ୍ତି ଡ୍ରେନ୍....

ଜଟଣୀ: ଜଟଣୀ ପୌରପାଳିକା ୧୧ନମ୍ବର ୱାର୍ଡରେ ଆଜି ବି ଅପନ୍ତରା ଗାଁ ଚିତ୍ର ଦେଖିବାକୁ ମିଳୁଛି। କଚ୍ଚା ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ନଥିବା ପକ୍କା ସଡ଼କ, ମୁକୁଳା ଓ ଆବର୍ଜନା ଭର୍ତ୍ତି ଡ୍ରେନ୍ ପାଇଁ ସହରର ଏହି ପ୍ରମୁଖ ଅଞ୍ଚଳଟି କୌଣସି ଅପହଞ୍ଚ ଅଞ୍ଚଳର ଗାଁ ଭଳି ପ୍ରତୀୟମାନ ହେଉଛି। ବିଜ୍ଞାପିତ ଅଞ୍ଚଳ ବଦଳି ପୌରପାଳିକା ଅଞ୍ଚଳ ହେବା ପରେ ବି ଏହି ୱାର୍ଡବାସୀ ସହରୀ ପରିବେଶରେ ରହିବା ସୁବିଧା ପାଇପାରିନାହାନ୍ତି।
ଏହି ୱାର୍ଡରେ ରହିଛି ଶ୍ରୀରାମନଗର, ବେହେରାସାହି, ବେଙ୍ଗଲି କଲୋନି, ବିଶ୍ୱନାଥ କଲୋନି, କୁମ୍ଭାରଖାତିଆ ଗାଁ ଓ ଆନନ୍ଦ ବଜାର ଆଦି ଅଞ୍ଚଳ। ଏଠାରେ ବହୁ ପ୍ରମୁଖ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନାହିଁ। ଫଳରେ ରାତିରେ ମହିଳା ଓ ଯୁବତୀମାନେ ଯାତାୟାତ କରିବାକୁ ଭୟ କରୁଛନ୍ତି। ବହୁ ରାସ୍ତା ଆଜି ବି କଚ୍ଚା ରାସ୍ତା ହୋଇରହିଛି। ତେଣୁ ବର୍ଷା ଦିନେ କାଦୁଆ ପଚପଚ ରାସ୍ତାରେ ଖାଲଖମାରେ ଲୋକେ ପଡ଼ିଉଠି ଯା’ଆସ କରୁଛନ୍ତି। ଅନେକ ଡ୍ରେନ୍ ନିୟମିତ ସଫା କରାଯାଉନାହିଁ।
ଫଳରେ ଆବର୍ଜନା ଭର୍ତ୍ତି ହୋଇରହୁଛି। ଡ୍ରେନ୍ରେ ଜମି ରହିଥିବା ପଚା ପାଣି ଯୋଗୁ ଏହି ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ଅସହ୍ୟ ହୋଇପଡ଼ୁଛି। ବହୁ ଅଞ୍ଚଳରେ ବିଦ୍ୟୁତ୍ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଲୋକଙ୍କ ପାଇଁ ବିପଦ ସାଜିଛି। ଅନେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଗୁଡ଼ିକ ଖୋଲାରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପାଚେରି ନଥିବାରୁ ରାସ୍ତା କଡ଼ରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ସବୁ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ବଡ଼ କଥା ହେଉଛି ଏହି ୱାର୍ଡରେ ସବୁ ପରିବାରକୁ ୨୪ଘଣ୍ଟିଆ ପାଇପ୍ ଜଳ ମିଳି ନାହିଁ। ମିଲ୍ ପୋଖରୀ ଓ ଇଚ୍ଛାପୁର ସ୍କୁଲ ପଛପଟେ ଥିବା ନଖିନାନୀ ପୋଖରୀ ବଡ଼ କଦର୍ଯ୍ୟ ହୋଇପଡ଼ିଛି। ଏସବୁ ସମସ୍ୟା ନେଇ କାଉନ୍ସିଲର୍ ଦିଲୀପ କୁମାର ମାର୍ଥା କହିଛନ୍ତି ଯେ କିଛି ସ୍ଥାନରେ ବିବାଦ ଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ସବୁ ଅଞ୍ଚଳକୁ ୨୪ଘଣ୍ଟିଆ ପାଇପ୍ ଜଳ ଯୋଗାଣ କରିବାକୁ ବ୍ୟବସ୍ଥା କରାଯାଉଛି। ମୁକୁଳା ଟ୍ରାନ୍ସଫର୍ମରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବିଦ୍ୟୁତ୍ ବିଭାଗ ସହ ଆଲୋଚନା ଚାଲିଛି।
ସୌଜନ୍ୟ ସମ୍ବାଦ



