ଓଡିଶାମହାନଗର

Plastic: ଚିନ୍ତା ବଢ଼ାଇଲାଣି ପ୍ଲାଷ୍ଟିକ୍‌, ପଲିଥିନ୍‌

ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଘାରିଲାଣି ପ୍ଲାଷ୍ଟିକ୍‌ ଚିନ୍ତା। ଗୋଟିଏପଟେ ଅଭୟାରଣ୍ୟ ଆଡ଼କୁ କଂକ୍ରିଟ୍‌ ସହର ମାଡ଼ି ଚାଲିଥିବା ବେଳେ ଅନ୍ୟପଟେ ଜଙ୍ଗଲର ବିଭିନ୍ନ ସ୍ଥାନରେ....

ଭୁବନେଶ୍ବର/ବାରଙ୍ଗ: ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ଘାରିଲାଣି ପ୍ଲାଷ୍ଟିକ୍‌ ଚିନ୍ତା। ଗୋଟିଏପଟେ ଅଭୟାରଣ୍ୟ ଆଡ଼କୁ କଂକ୍ରିଟ୍‌ ସହର ମାଡ଼ି ଚାଲିଥିବା ବେଳେ ଅନ୍ୟପଟେ ଜଙ୍ଗଲର ବିଭିନ୍ନ ସ୍ଥାନରେ ହେଉଥିବା ବଣଭୋଜି ଦ୍ବାରା ପ୍ରାକୃତିକ ପରିବେଶ ଭୀଷଣ ଭାବେ ପ୍ରଭାବିତ ହେଉଛି। ଡିସେମ୍ବର ଓ ଜାନୁଆରି ମାସରେ ଡେରାସ, ଝୁମୁକା ପରି ଜଙ୍ଗଲର ବିଭିନ୍ନ ସ୍ଥାନରେ ବଣଭୋଜି ହେବା ଦ୍ବାରା କୁଢ଼କୁଢ଼ ଆବର୍ଜନା ଏବେ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। ବନ ବିଭାଗ ପକ୍ଷରୁ କଡ଼ା ନିୟମ ସହ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀଙ୍କୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନାହିଁ। ବଣଭୋଜି କରିବାକୁ ଆସୁଥିବା ଲୋକେ ବେଧଡ଼କ ଭାବେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର କରି ପରିବେଶକୁ ପ୍ରଦୂଷିତ କରୁଛନ୍ତି। ତାହାକୁ ନଜରରେ ରଖି ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ପ୍ଲାଷ୍ଟିକ୍‌ ମୁକ୍ତ ଅଭୟାରଣ୍ୟ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଡେରାସ୍‌ ଇକୋଟୁରିଜିମ୍‌ରେ ‘ପ୍ଲାଷ୍ଟିକ-ମୁକ୍ତ ପିକ୍‌ନିକ୍‌ ସ୍ଥଳ’ ସଚେତନତା ଅଭିଯାନ ଆୟୋଜିତ ହୋଇଛି। ପ୍ଲାଷ୍ଟିକକୁ ‘ନା’ କୁହ ବାର୍ତ୍ତା ପ୍ରଚାର କରିବା ଏବଂ ପ୍ରକୃତି ତଥା ବନ୍ୟପ୍ରାଣୀଙ୍କ ପ୍ରତି ଦାୟିତ୍ୱବାନ ଆଚରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରିଡ଼ାମାଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ସମସ୍ତ ବନ ଅଧିକାରୀ, ରେଞ୍ଜ ଅଫିସର, କ୍ଷେତ୍ର କର୍ମଚାରୀ, କଣ୍ଟାବାଡ଼ ଓ ହରିଡ଼ାମାଡ଼ର ବନ ସୁରକ୍ଷା ସମିତି(ଭିଏସ୍‌ଏସ୍‌), ଇକୋ ଡେଭଲପ୍‌ମେଣ୍ଟ କମିଟି(ଇଡିସି)ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶୀଦାରଙ୍କ ମିଳିତ ସହଯୋଗରେ ପିକ୍‌ନିକ୍‌ ସ୍ଥଳରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ହଟାଇବାକୁ ସ୍ୱଚ୍ଛତା ଅଭିଯାନ ହୋଇଥିଲା, ଯାହାକି ପରିମଳ ଓ ପରିବେଶ ସଂରକ୍ଷଣର ଗୁରୁତ୍ୱକୁ ସୂଚାଇଥିଲା।

ସ୍ବଚ୍ଛତା ଅଭିଯାନରେ ୩୨ ବସ୍ତା ପ୍ଲାଷ୍ଟିକ୍‌, ପଲିଥିନ୍‌ ସଂଗ୍ରହ କରାଯାଇଥିଲା। ଏଥିସହ ଅଭୟାରଣ୍ୟ ଆଖାପାଖରେ ଥିବା ହୋଟେଲ ଓ ଫାର୍ମ ହାଉସ୍‌ଗୁଡ଼ିକୁ ମଧ୍ୟ ତାଗିଦ୍‌ କରାଯାଇଛି। କୌଣସି ପରିସ୍ଥିତିରେ ଆବର୍ଜନା ଅଭୟାରଣ୍ୟ ଭିତରକୁ ନ ପକାଇବାକୁ କୁହାଯାଇଛି। ଯଦି କୌଣସି ସଂସ୍ଥା ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ବାରପିଟା ଓ କଣ୍ଟାବାଡ଼ ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଉଭୟ ଗ୍ରାମର ଲୋକ ଓ ପର୍ଯ୍ୟଟକମାନଙ୍କୁ ପ୍ଲାଷ୍ଟିକ୍‌ ପ୍ରଦୂଷଣର କ୍ଷତିକାରକ ପ୍ରଭାବ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ବିଷୟରେ ସଚେତନ କରାଯାଇଛି। ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସିଏଫ୍‌ ସଂଗ୍ରାମ କେଶରୀ ମହାନ୍ତି, ମଧୁସ୍ମିତା ଦାସ, ରେଞ୍ଜର ଉତ୍ତମ ସାହୁ, ରୋହିତ କୁମାର ଓ ସ୍କ୍ବାଡ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button