Breaking News

ଯୁକ୍ତ-୨ କଳାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖି ୨୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ, ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୯.୪୩ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ-୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ

0
  • ଚଳିତ ବର୍ଷର ପାସହାର ୭୮.୮୮%
  • ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭ ପ୍ରତିଶତ ଉତ୍ତୀର୍ଣ୍ଣ
  • ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଗଣଶିକ୍ଷା ମନ୍ତ୍ରୀ
  • ପରୀକ୍ଷାର୍ଥୀମାନେ ସାମସ୍‌ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଜାଣିପାରିବେ

ଭୁବନେଶ୍ୱର: ଆଜି ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଯୁକ୍ତ-୨ କଳା ପରୀକ୍ଷାଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ବାର୍ଷିକ ଯୁକ୍ତ-୨ କଳା ପରୀକ୍ଷାଫଳକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍‌ ପରୀକ୍ଷାର ଉପଯୁକ୍ତ ପରିଚାଳନା ଏବଂ ଉଚିତ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ମକର୍ତ୍ତା ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଛନ୍ତି। ପରୀକ୍ଷାର୍ଥୀମାନେ ସାମସ୍‌ ଇ-ସ୍ପେସ୍‌ରୁ ପରୀକ୍ଷା ଫଳ ଜାଣିପାରିବେ ଏବଂ ହେଲପ୍‌ଲାଇନ୍‌ ନଂ-୦୬୭୪୨୩୦୦୯୧୪ରୁ ଆବଶ୍ୟକୀୟ ସୂଚନା ପାଇପାରିବେ। ପରୀକ୍ଷାର୍ଥୀମାନେ www.orissaresults.nic.in େୱବ୍‌ସାଇଟ୍‌ରୁ ନିଜର ଫଳ ଜାଣିପାରିବେ ଏବଂ ନିଜର ମାର୍କସିଟ୍‌ ଡାଉନ୍‌ଲୋଡ୍‌ କରିପାରିବେ।

ଚଳିତ ବର୍ଷ ରାଜ୍ୟରେ କଳା ସ୍ରୋତରେ ୨ ଲକ୍ଷ ୩୦ ହଜାର ୫୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଏକ ଲକ୍ଷ ୮୧ ହଜାର ୮୬୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପାସହାର ୭୮.୮୮ ପ୍ରତିଶତ ରହିଛି। କଳାରେ ପ୍ରଥମ ଶ୍ରେଣୀରେ ୩୨ ହଜାର ୭୮୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଜଣ, ତୃତୀୟ ଶ୍ରେଣୀରେ ଏକ ଲକ୍ଷ ୧୬ ହଜାର ୧୭୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ୨୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରେ ପାସହାର ସର୍ବାଧିକ ୮୪.୯୭ ପ୍ରତିଶତ ହୋଇଛି ।

ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫୭୨୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୮୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮୪୩ ଜଣ ପ୍ରଥମ ଶ୍ରେଣୀରେ, ୧୭୫୧ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୧୧୧୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୯.୪୩ ପ୍ରତିଶତ ରହିଛି।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ରଘୁରାମ୍‌ ଆର୍‌. ଆୟାର, ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.