ମହାନଗର

Police Housing Corporation: ପୁଲିସ ଗୃହନିର୍ମାଣ ନିଗମ ଯୌନଶୋଷଣ ମାମଲା: କାର୍ଯ୍ୟାନୁଷ୍ଠାନ ନାହିଁ, ପୁଣି ପୀଡ଼ିତାଙ୍କୁ ଡକରା

ରାଜ୍ୟ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ସର୍ବସାଧାରଣ ସ୍ଥଳରେ ହେଉ କି କାର୍ଯ୍ୟାଳୟରେ, ମହିଳାଙ୍କ ପ୍ରତି ନିର୍ଯାତନା ବରଦାସ୍ତ କରାଯିବ ନାହିଁ। ଅଭିଯୋଗ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ।

ଭୁବନେଶ୍ବର: ରାଜ୍ୟ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି, ସର୍ବସାଧାରଣ ସ୍ଥଳରେ ହେଉ କି କାର୍ଯ୍ୟାଳୟରେ, ମହିଳାଙ୍କ ପ୍ରତି ନିର୍ଯାତନା ବରଦାସ୍ତ କରାଯିବ ନାହିଁ। ଅଭିଯୋଗ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଅ। ବିସ୍ମୟର କଥା, ଖୋଦ୍‌ ଓଡ଼ିଶା ପୁଲିସ ଗୃହନିର୍ମାଣ ନିଗମ ବାଲେଶ୍ବର ଡିଭିଜନ୍‌ ପ୍ରୋଜେକ୍ଟ ମ୍ୟାନେଜରଙ୍କ ବିରୋଧରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଓ ଯୌନଶୋଷଣ ଅଭିଯୋଗ ମାମଲାରେ ବିପରୀତ ସ୍ଥିତି ଦେଖିବାକେୁ ମିଳିଛି। ପ୍ରୋଜେକ୍ଟ ମ୍ୟାନେଜର ସୌମ୍ୟକାନ୍ତ ମହାନ୍ତିଙ୍କ ବିରୋଧରେ କେବଳ ପୀଡ଼ିତା ଏକା ନୁହନ୍ତି, ସେଠାରେ କାର୍ଯ୍ୟରତ ଅନ୍ୟ ଦୁଇ ମହିଳା କର୍ମଚାରୀ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ତଦନ୍ତକାରୀ ଟିମ୍‌ ଆଗରେ ସେମାନଙ୍କ ବୟାନ ମଧ୍ୟ ରେକର୍ଡ଼ ହୋଇଥିଲା। ତଥାପି ପ୍ରୋଜେକ୍ଟ ମ୍ୟାନେଜର୍‌ଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପଛେ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ‌ନେବାକୁ ପ୍ରମାଣ ଅଭାବ ହେଉଛି।

ଏଣେ କାର୍ଯ୍ୟାନୁଷ୍ଠାନ ବଦଳରେ ତଦନ୍ତ, ଜେରା ଆଳରେ ପୀଡ଼ିତାଙ୍କୁ ବାରମ୍ବାର ବାଲେଶ୍ବରରୁ ଭୁବନେଶ୍ବର ଡକାଇ ପରୋକ୍ଷରେ ଅଧିକ ନିର୍ଯାତନା ଦେଲାଭଳି ମନେ ହେଉଛି। ଗତ ୫ ତାରିଖ ଦିନ ବିଭାଗୀୟ ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟି(ଆଇସିସି) ସଦସ୍ୟ ପ୍ରଥମେ ପୀଡ଼ିତାଙ୍କୁ ଭୁବନେଶ୍ବର କାର୍ଯ୍ୟାଳୟକୁ ଡକାଇ ବୟାନ ରେକର୍ଡ଼ କରିଥିଲେ। ପୁଣି ଆସନ୍ତା ୧୮ ତାରିଖରେ ସୁଦୂର ବାଲେଶ୍ବରରୁ ପୀଡ଼ିତାଙ୍କୁ ଭୁବନେଶ୍ବର ମୁଖ୍ୟାଳୟରେ ହାଜର ହେବାକୁ ନୋଟିସ୍‌ ପଠାଯାଇଛି। ଗତ ୬ ତାରିଖ ଦିନ ଏକ ଟିମ୍‌ ବାଲେଶ୍ବର ଡିଭିଜନ୍‌ କାର୍ଯ୍ୟାଳୟକୁ ଯାଇ ଦୁଇ ମହିଳା କର୍ମଚାରୀଙ୍କ ସମେତ ୭ଜଣଙ୍କ ବୟାନ ରେକର୍ଡ଼ କରିଥଲେ। ଅନ୍ୟ ଦୁଇ ମହିଳା କର୍ମଚାରୀ ମଧ୍ୟ ସୌମ୍ୟକାନ୍ତଙ୍କ ବିରୋଧରେ କାର୍ଯ୍ୟାଳୟରେ ଅସଦାଚରଣ, ଯୌନଶୋଷଣ ଓ ପ୍ରଭାବଶାଳୀଙ୍କ ଭୟ ଦେଖାଇ ଚୁପ୍‌ ରହିବାକୁ ଧମକାଇବା ଭଳି ସାଂଘାତିକ ଅଭିଯୋଗ କରିଥିଲେ। ପରେ ଗତ ୯ ତାରିଖରେ ସୌମ୍ୟକାନ୍ତଙ୍କୁ ମଧ୍ୟ ଆଇସିିସି ଟିମ୍‌ ଭୁବନେଶ୍ବର ନିଗମ ମୁଖ୍ୟାଳୟରେ ମାରାଥନ୍‌ ଜେରା କରିଥିଲା। ଯାହା ଜଣାପଡ଼ିଥିଲା, ୧୨ ତାରିଖ ଦିନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପୀଡ଼ିତାଙ୍କୁ ଅବଗତ କରାଯାଇଥା’ନ୍ତା। ଉଦ୍‌ବେଗର ବିଷୟ, ଏତେସବୁ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଓଲଟା ପୀଡ଼ିତାଙ୍କୁ ପୁଣି ୧୮ରେ ହାଜର ହେବାକୁ ନୋଟିସ୍‌ କରାଯାଇଛି।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଜନୈକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସିବା ପରେ ପରେ ତୁରନ୍ତ ତାଙ୍କୁ ନିଲମ୍ବନ କରାଯାଇଥିଲା ଓ ତଦନ୍ତ ଆଗକୁ ବଢ଼ିଥିଲା। କିନ୍ତୁ ପୁଲିସ ଗୃହନିର୍ମାଣ ନିଗମରେ ନିୟମକାନୁନ ଅଲଗା। ଯେଉଁଠି ପ୍ରୋଜେକ୍ଟ ମ୍ୟାନଜର୍‌ ସୌମ୍ୟକାନ୍ତଙ୍କୁ ନେଇ ମହିଳା କର୍ମଚାରୀ ଅସୁରକ୍ଷିତ ବୋଲି ଖୋଲାଖୋଲି ଅଭିଯୋଗ କରିବା ପରେ ମଧ୍ୟ ବିଭାଗ ଚୁପ୍‌ ବସିଛି। ସୌମ୍ୟକାନ୍ତଙ୍କ ମୁଣ୍ଡ ଉପରେ କାହାର ଆଶୀର୍ବାଦ ରହିଛି ଓ ତଦନ୍ତ କମିଟିକୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଉ କେତେ ପ୍ରମାଣ ଦରକାର, ସେ ନେଇ ସାଧାରଣରେ ମାଳମାଳ ପ୍ରଶ୍ନ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button