
ଭୁବନେଶ୍ବର: କେନ୍ଦ୍ର ସରକାର ପୋତ୍ତନୁର(କୋଏମ୍ବାଟୁର୍) ଓ ଧାନବାଦ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଇଛନ୍ତି। ଏହି ରେଳ ସେବା ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଉଲ୍ଲେଖ କରିଛନ୍ତି। ଏହି ନୂତନ ଅମୃତ ଭାରତ ଟ୍ରେନ୍ ସେବାକୁ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଝାଡ଼ଖଣ୍ଡରେ ପହଞ୍ଚିବା ପୂର୍ବରୁ ଏହି ଟ୍ରେନ୍ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ସମେତ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଚାଲିବ। ସେହିପରି ଉତ୍ତର-ପୂର୍ବ ଓ ଦକ୍ଷିଣ ଭାରତ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ପାଇଁ କାମାକ୍ଷା-ଚର୍ଲାପାଲ୍ଲି ଅମୃତ ଭାରତ ଏକ୍ସପ୍ରେସ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଶାଖାପାଟଣାମ୍ ଦେଇ ଚଳାଚଳ କରିବ। ଏହି ଟ୍ରେନ୍ ପ୍ରତି ରବିବାର କାମାକ୍ଷାରୁ ଓ ପ୍ରତି ବୁଧବାର ଚର୍ଲାପାଲ୍ଲିରୁ ପ୍ରସ୍ଥାନ କରିବ।
ସୌଜନ୍ୟ ସମ୍ବାଦ




