ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଚାରିଟି ବ୍ଲକ୍ ବଣାଇଗଡ଼, ଲହୁଣିପଡ଼ା, ଗୁରୁଣ୍ଡିଆ, କୋଇଡ଼ାକୁ ନେଇ ଗଠିତ। ପ୍ରଭୂତ ଖଣିଜ ଓ ବନ୍ୟସମ୍ପଦରେ ସମୃଦ୍ଧ ଏହି ଉପଖଣ୍ଡର ବିକାଶ ଆଖିଦୃଶିଆ ହୋଇପାରିନାହିଁ। ବର୍ଷକୁ ଶହଶହ କୋଟି ଟଙ୍କା ରାଜସ୍ବ ଦେଉଥିବା ଏହି ଉପଖଣ୍ଡ ବିକାଶର ମାନଚିତ୍ରରେ ଅଦ୍ୟାବଧି ସ୍ଥାନ ପାଇନାହିଁ। ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ରାସ୍ତାଘାଟ ଆଦି ସବୁ ବିଷୟରେ ଏହି ଉପଖଣ୍ଡ ପଛୁଆ। ଉପଖଣ୍ଡରେ ଉପଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଉପଖଣ୍ଡୀୟ ମୁଖ୍ୟାଳୟ ରହିଛି, କିନ୍ତୁ ବଣାଇକୁ ଜିଲ୍ଲା ଘୋଷଣା କରିବା ପାଇଁ କେତେ ଆନ୍ଦୋଳନ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସେହିପରି ଏନ୍ଏସି ମାନ୍ୟତା ମଧ୍ୟ ଏକ ସ୍ବପ୍ନହୋଇ ରହିଯାଇଛି।

